ନୂଆଦିଲ୍ଲୀ: ଭାରତ ଜି୨୦ର ଅଧ୍ୟକ୍ଷତା ହାସଲ କରିଥିବା ବେଳେ ଶ୍ରମ ବଜାରରେ ଯେଉଁ ଅସମାନତା ରହିଛି ତାହା ଉପରେ ଗମ୍ଭୀର ଆଲୋଚନାର ଆବଶ୍ୟକତା ରହିଛି ବୋଲି ଭାରତୀୟ ମଜଦୁର ସଂଘ (ବିଏମ୍‌ଏସ୍‌) ତଥା‌ ଲେବର-୨୦ର ଅଧ୍ୟକ୍ଷ ହିରଣ୍ମୟ ପାଣ୍ଡ୍ୟା କହିଛନ୍ତି। ‌‌ଲେବର ୨୦ ବା ଏଲ୍‌-୨୦ ହେଉଛି ଜି୨୦ ଅଧୀନରେ ଥିବା ଶ୍ରମ କ୍ଷେତ୍ରର ଏକ ଗୋଷ୍ଠୀ। ଶ୍ରୀ ପାଣ୍ଡ୍ୟା କହିଛନ୍ତି ଯେ କରୋନା ମହାମାରୀ ପରେ ସାରା ବିଶ୍ବର ଶ୍ରମ ବଜାରରେ ବଡ଼ ଧରଣର ପରିବର୍ତ୍ତନ ହୋଇଛି। ଯଦିଓ କିଛିଟା ସୁଧାର ହୋଇଛି ତାହା ନିର୍ଦିଷ୍ଟ ଏକ ବର୍ଗରେ ସୀମିତ ରହିଛି। କୁଶଳୀ ଶ୍ରମିକଙ୍କ କ୍ଷେତ୍ରରେ ସୁଧାର ଦ୍ରୁତ ଗତିରେ ହୋଇଛି। କିନ୍ତୁ ସ୍ବଳ୍ପ ଓ ମଧ୍ୟ କୁଶଳୀ କ୍ଷେତ୍ରରେ ସୁଧାର ମାତ୍ରା କମ୍ ରହିଛି।

Advertisment

ଫଳରେ ବିଭିନ୍ନ ଶ୍ରମ ବର୍ଗ ମଧ୍ୟରେ ବୈଷମ୍ୟ ବୃଦ୍ଧି ପାଇଛି। ଗରିବ ଓ ଅବହେଳିତ ଗୋଷ୍ଠୀ ଅଧିକ ଗରିବ ହେଉଛନ୍ତି। ମହିଳାମାନେ ମଧ୍ୟ ଗୁରୁତର ଭାବେ ପ୍ରଭାବିତ ହୋଇଛନ୍ତି। ଏହି ସବୁ ଜଟିଳ ପ୍ରସଙ୍ଗ ବିଷୟରେ ଆଲୋଚନା କରି ସମାଧାନ ପନ୍ଥା ବାହାର କରିବା ନିମନ୍ତେ ଜି୨୦ ଅଧ୍ୟକ୍ଷତାର ହାସଲ କରିଥିବା ଭାରତ ପାଖରେ ସୁଯୋଗ ରହିଛି। ଆନ୍ତର୍ଜାତିକ ଶ୍ରମ ସମସ୍ୟା ଓ ସାମାଜିକ ଶ୍ରମ ଆନ୍ଦୋଳନ ଉପରେ ଆଲୋଚନା ପାଇଁ ଏଲ୍‌-୨୦ ଏକ ଉପଯୁକ୍ତ ମଞ୍ଚ ହେବ ବୋଲି ସେ କହିଛନ୍ତି। ବିଶ୍ବବ୍ୟାପୀ ଶ୍ରମିକ ବର୍ଗଙ୍କ ନିମନ୍ତେ ଅଧିକ ସାମାଜିକ ନିରାପତ୍ତା ଓ ସୁରକ୍ଷା ବୃଦ୍ଧି କରିବା ଦିଗରେ ଏଲ୍‌-୨୦କୁ କାର୍ଯ୍ୟ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି।