ଭୁବନେଶ୍ବର: ଗୁରୁବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶା ଖଣି ନିଗମ (ଓଏମ୍ସି) କାର୍ଯ୍ୟର ସମୀକ୍ଷା କରିଛନ୍ତି। ରାଜ୍ୟରେ ଅଧିକରୁ ଅଧିକ ଖଣିଭିତ୍ତିକ ଶିଳ୍ପ ପ୍ରତିଷ୍ଠା କରିବା ଏବଂ ଖଣିରେ ଅଧିକ ସଂଖ୍ୟକ ଜନଜାତିଙ୍କୁ ନିଯୁକ୍ତି ଦେବା ଉପରେ ସେ ଜୋର ଦେଇଛନ୍ତି। ସେ କହିଛନ୍ତି ଯେ ଖଣି ଅଞ୍ଚଳରେ ପ୍ରାୟତଃ ଆଦିବାସୀ ଲୋକ ବାସ କରୁଛନ୍ତି। ସେମାନଙ୍କ ଆର୍ଥିକ ଓ ସାମାଜିକ ସ୍ଥିତିରେ ଉନ୍ନତି ଆଣିବା ଲାଗି ଖଣି କମ୍ପାନିଗୁଡ଼ିକ କାମ କରିବା ଦରକାର ବୋଲି ସେ କହିଛନ୍ତି। ଖଣି ପାରିପାର୍ଶିକ ଅଞ୍ଚଳରେ ଶିକ୍ଷା ଓ ସ୍ୱାସ୍ଥ୍ୟର ବିକାଶ, ଶୁଦ୍ଧ ପାନୀୟ ଜଳ ଯୋଗାଣ, ଦାରିଦ୍ର୍ୟ ଦୂରୀକରଣ, ଉତ୍ତମ ଗମନାଗମନ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେବାକୁ ମୁଖ୍ୟମନ୍ତ୍ରୀ ଓଡ଼ିଶା ଖଣି ନିଗମର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସିଏସ୍ଆର୍ର ସିଂହଭାଗ ଖଣି ଅଞ୍ଚଳର ଲୋକମାନଙ୍କ ଜୀବନଶୈଳୀରେ ଉନ୍ନତି ଆଣିବା ଦିଗରେ ଖର୍ଚ୍ଚ କରିବାକୁ ସେ କହିଛନ୍ତି। ଖଣିଜ ଉତ୍ତୋଳନରେ ଯନ୍ତ୍ରପାତି ଓ ଦକ୍ଷ ମାନବ ସମ୍ବଳ ଉଭୟକୁ ବ୍ୟବହାର କରିବା ଲାଗି ଆହ୍ବାନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହା ହେଲେ ଖଣିଜ ଉତ୍ପାଦନ ବୃଦ୍ଧି ପାଇବ। ଖଣି ପ୍ରଦୂଷଣ ଦ୍ବାରା ପ୍ରଭାବିତ ଲୋକଙ୍କ ସ୍ବାସ୍ଥ୍ୟ ସମସ୍ୟା କଥା ବୁଝିବାକୁ ମଧ୍ୟ ସେ କହିଛନ୍ତି।
ଓଡ଼ିଶାରେ ଅଧିକାଂଶ ଶିଳ୍ପର ନିଜସ୍ବ ଖଣି ନଥିବା ବେଳେ ସେମାନଙ୍କୁ ଓଏମ୍ସି ଖଣିଜ ପଦାର୍ଥ ଯୋଗାଉଛି। ଏହା ହେଉଛି ଦେଶର ଚତୁର୍ଥ ବୃହତ୍ ଲୁହାପଥର ଉତ୍ପାଦନକାରୀ। ଏହି ସମୀକ୍ଷା ବୈଠକରେ ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ମୁଖ୍ୟ ସଚିବ ମନୋଜ ଆହୁଜା, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ସଚିବ ନିକୁଞ୍ଜ ବିହାରୀ ଧଳ, ଖଣି ଓ ଇସ୍ପାତ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଡି କେ ସିଂହ, ଅର୍ଥ ବିଭାଗର ପ୍ରମୁଖ ସଚିବ ଶାଶ୍ବତ ମିଶ୍ର ଏବଂ ଓଡ଼ିଶା ଖଣି ନିଗମର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ବଲବନ୍ତ ସିଂହ ଉପସ୍ଥିତ ଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/08/dgdjgjddgj.jpg)