ଅନଲାଇନ୍ ଗେମ୍‌ ଖେଳି କମ୍ପାନିକୁ ୩୮ କୋଟି ଟଙ୍କା ଚୂନ ଲଗାଇଲେ ଅଧିକାରୀ

ଅଧସ୍ତନ କର୍ମଚାରୀଙ୍କ କମ୍ପ୍ୟୁଟରରୁ ବିଦେଶକୁ ପଠାଇଥିଲେ

ବେଙ୍ଗାଲୁରୁ: ଆମେରିକାଭିତ୍ତିକ ନିବେଶ ପରିଚାଳନା କମ୍ପାନି ଗୋଲ୍ଡମ୍ୟାନ୍ ସାଚ୍ସ ସର୍ଭିସେସ୍ ପ୍ରାଇଭେଟ୍‌ ଲିମିଟେଡର ଜଣେ ବରିଷ୍ଠ ଅଧିକାରୀ କମ୍ପାନିକୁ ୩୮ କୋଟିର ଚୂନ ଲଗାଇଛନ୍ତି। ଅଶ୍ବିନୀ ଝୁନଝୁନୱାଲା ନାମକ ଏହି ଅଧିକାରୀ ଜଣକ କମ୍ପାନିର ଉପସଭାପତି (ଫରେକ୍ସ ଏବଂ ଇକ୍ବିଟି ସେଟଲେମେଣ୍ଟସ) ଭାବେ କାର୍ଯ୍ୟ କରୁଥିଲେ। ଅଶ୍ବିନୀ କମ୍ପାନିର ଅନ୍ୟ ଜଣେ କନିଷ୍ଠ ସହଯୋଗୀଙ୍କ କମ୍ପ୍ୟୁଟରରେ ଲଗଇନ୍ କରି ଏଭଳି କାଣ୍ଡ ଭିଆଇଛନ୍ତି। ସେ ସେହି ପାଣ୍ଠିକୁ ହଂକଂରେ ଥିବା ଏକ ବ୍ୟାଙ୍କର ଗୋଟିଏ ଘରୋଇ ଆକାଉଣ୍ଟକୁ ପଠାଇଛନ୍ତି।

Kashmir Vision

ଝୁନଝୁନୱାଲାଙ୍କ ଏହି କାରନାମା ଗତ ୬ ତାରିଖରେ ଧରା ପଡ଼ିଥିଲା। ଗୌରବ ମିଶ୍ର ନାମକ ତାଙ୍କର ଅନ୍ୟ ଜଣେ ଅଧସ୍ଥନ କର୍ମଚାରୀ ଏହି କାରବାର ସମ୍ପର୍କରେ ପ୍ରଥମେ ପ୍ରଶ୍ନ ଉଠାଇଥିଲେ। କମ୍ପାନିର ଆଭ୍ୟନ୍ତରୀଣ ଯାଞ୍ଚରୁ ଏହି କାର୍ଯ୍ୟ ଝୁନଝୁନୱାଲାଙ୍କ ଦ୍ବାରା କରାଯାଇଥିବା ଜଣା ପଡ଼ିଛି। ଏହି ଘଟଣା ପଦାକୁ ଆସିବା ପରେ ଝୁନଝୁନୱାଲା ସୋମବାରଠାରୁ ନିଖୋଜ ହୋଇଯାଇଥିଲେ। ତେବେ ମଙ୍ଗଳବାର ସକାଳୁ ତାଙ୍କୁ ପୁଲିସ ଗିରଫ କରିଛି। କମ୍ପାନିର ଅଭିଯୋଗ ଅନୁଯାୟୀ ତାଙ୍କ ବିରୋଧରେ ଆଇପିସିର ବିଭିନ୍ନ ଧାରାରେ ମାମଲା ରୁଜୁ ହୋଇଛି। ପୁଲିସର କହିବାନୁଯାୟୀ, ଝୁନଝୁନୱାଲା ଗତ ୪ ତାରିଖରେ ଏହି ବେଆଇନ ଆର୍ଥିକ କାରବାର କରିଛନ୍ତି। ଅନ୍ୟ ସହକର୍ମୀଙ୍କ କମ୍ପ୍ୟୁଟରରୁ ଲଗଇନ୍ କରି ସେ ତାଙ୍କ ନିଜ ନାମକୁ ପ୍ରଥମେ ଉପରୋକ୍ତ ରାଶିର ଅର୍ଥ ସ୍ଥାନାନ୍ତର କରିଥିଲେ। ୧୦ ମିନିଟ ମଧ୍ୟରେ ଏହି ଅର୍ଥ ନିଜ ନାମକୁ ସେ ପଠାଇଥିଲେ। ଟଙ୍କା ବେଆଇନ ପ୍ରେରଣ ସମ୍ପର୍କରେ ତାଙ୍କୁ ପଚରାଯିବାରୁ ସେ ମାନିଯାଇଥିଲେ। ଏବେ ତାଙ୍କୁ ପଚରାଉଚୁରା କରାଯାଉଛି ବୋଲି ଡିସିପି (ହ୍ବାଇଟ୍ ଫିଲ୍ଡ) ଏମ ଏନ ଅନୁଚେତ୍ କହିଛନ୍ତି। କମ୍ପାନିର ଅଭିଯୋଗ ଅନୁଯାୟୀ ନିକଟରେ ଝୁନଝୁନୱାଲା ଅନଲାଇନ୍ ପୋକର୍‌ ଗେମିଂ ( ଇଣ୍ଟରନେଟ୍‌ରେ ଏକ ପ୍ରକାର ତାସ ଖେଳ) ରେ ପ୍ରାୟ ୪୭ ଲକ୍ଷ ଟଙ୍କା ହରାଇଥିଲେ। ଏଥିସହିତ ସେ କିଛି ବ୍ୟାଙ୍କ ଋଣ ଏବଂ ଲୋକଙ୍କ ଠାରୁ ଋଣ ମଧ୍ୟ କରିଥିଲେ। ଏଥିଯୋଗୁ ତାଙ୍କର ଆର୍ଥିକ ସ୍ଥିତି ଖରାପ ହୋଇଯାଇଥିଲା। ଗତମାସରେ ସେ ଅଧିକ ପରିମାଣର ବ୍ୟକ୍ତିଗତ ଋଣ ଆଣିବା ପାଇଁ ଉଦ୍ୟମ କରିଥିଲେ ମଧ୍ୟ ବ୍ୟାଙ୍କ ସେଥିପାଇଁ ମନା କରିଥିଲା। କାରଣ ପୂର୍ବରୁ ସେ ୬ ଥର ଋଣ କିସ୍ତି ପରିଶୋଧରେ ଖିଲାପ କରିଛନ୍ତି। ଝୁନଝୁନୱାଲା ଯେଉଁ ଅର୍ଥ ତାଙ୍କ କମ୍ପାନିରୁ ହଡ଼ପ କରିଥିଲେ ତାହାକୁ ସେ ହଂକଂସ୍ଥିତ ଏକ ବ୍ୟାଙ୍କର ସିନର୍ଜି ୱିସଡମ ନାମକ ଆକାଉଣ୍ଟରେ ଜମା କରିଥିଲେ। କନିଷ୍ଠ ସହଯୋଗୀଙ୍କ ଆକାଉଣ୍ଟ ମାଧ୍ୟରେ ଏହି କାର୍ଯ୍ୟ କରି ସେ ଧରା ପଡ଼ିବେ ନାହିଁ ବୋଲି ଭାବିଥିଲେ ମଧ୍ୟ ସିସିଟିଭିରେ ରହିଥିବା ଫୁଟେଜ୍‌ରୁ ତାଙ୍କର କାରନାମା ଧରା ପଡ଼ିଯାଇଥିଲା । ପୂର୍ବରୁ ଏଭଳି ବେଆଇନ କାର୍ଯ୍ୟ କରଥିବା କମ୍ପାନିର ଜଣେ ପୂର୍ବତନ କର୍ମଚାରୀ ବେଦାନ୍ତ ରୁଙ୍ଗଟା ଝୁନଝୁନୱାଲାଙ୍କୁ ଏହି କାର୍ଯ୍ୟ ପାଇଁ ଉତ୍ସାହିତ କରିଥିବା ସନ୍ଦେହ କରାଯାଉଛି। ସୋସିଆଲ ମିଡିଆରେ ସେ ରୁଙ୍ଗଟାଙ୍କ ସହିତ ଯୋଗାଯୋଗରେ ଥିଲେ।

ସମ୍ବନ୍ଧିତ ଖବର