ଖାଉଟିଙ୍କ ପସନ୍ଦ ବଦଳାଇ ଦେଇଛି କରୋନା, ଦରମା ଅପେକ୍ଷା ପରିବେଶ ସୁରକ୍ଷାକୁ ଅଧିକ ଗୁରୁତ୍ବ ଦେଉଛନ୍ତି କର୍ମଚାରୀ

ବେଙ୍ଗାଲୁରୁ: କରୋନା ପରିପ୍ରେକ୍ଷୀରେ ପରିବେଶର ସୁରକ୍ଷା ସଂପର୍କରେ ଲୋକମାନେ ଅଧିକ ସଚେତନ ହୋଇଛନ୍ତି। ଏପରିକି ଗ୍ରାହକମାନେ ବଜାରରୁ ସାମଗ୍ରୀ କିଣିବା ବେଳେ ସେମାନଙ୍କ ପକେଟରୁ ଅଧିକ ଅର୍ଥ ଦେବାକୁ କିମ୍ବା କମ୍ ଦରମାରେ ଚାକିରି କରିବାକୁ ଆଗ୍ରହୀ ରହିଛନ୍ତି ବୋଲି ଆଇବିଏମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଫର୍‌ ବିଜ୍‌ନେସ୍‌ ଭାଲ୍ୟୁ (ଆଇବିଭି) ସର୍ଭେରୁ ଏହା ଜଣାଯାଇଛି। ବିଶ୍ବର ୯ଟି ଦେଶରୁ ୧୪୦୦୦ରୁ ଅଧିକ ଗ୍ରାହକଙ୍କୁ ନେଇ ହୋଇଥିବା ସର୍ଭେରୁ ଏଭଳି ଫଳାଫଳ ମିଳିଛି।

ପ୍ରତି ୧୦ ଜଣଙ୍କ ମଧ୍ୟରୁ ୯ ଜଣ କହିଛନ୍ତି ଯେ ପରିବେଶର ସ୍ଥାୟିତ୍ବ ସଂପର୍କରେ ‌କୋଭିଡ-୧୯ ସେମାନଙ୍କ ଚିନ୍ତାଧାରାକୁ ପ୍ରଭାବିତ କରିଛି। ଜଙ୍ଗଲ ନିଆଁ, ବନ୍ୟା, ମରୁଡ଼ି ଭଳି ବିପର୍ଯ୍ୟୟ ତୁଳନାରେ କୋଭିଡ-୧୯ ସେମାନଙ୍କୁ ଅଧିକ ମାତ୍ରାରେ ପ୍ରଭାବିତ କରିଛି। ଆଇବିଏମ୍ ଗ୍ଲୋବାଲ ବିଜ୍‌ନେସ୍ ସର୍ଭି‌ସେସ୍‌ର ମୁରେ ସିମ୍ପସନ୍‌ କହିଛନ୍ତି, ବିଶ୍ବବ୍ୟାପୀ ଲୋକମାନେ ଜଳବାୟୁ ପରିବର୍ତ୍ତନ ଜନିତ ସଂକଟକୁ ନେଇ ପୂର୍ବାପେକ୍ଷା ଅଧିକ ଚିନ୍ତିତ ଅଛନ୍ତି। ଆମେ ଏହା ମଧ୍ୟ ପରିଲକ୍ଷିତ କରିଛୁ ଯେ, ଅନେକ କମ୍ପାନି ସେମାନଙ୍କ ଗ୍ରାହକ ଏବଂ ନିବେଶକଙ୍କ ଆଶା ପୂରଣ ସହିତ ସେମାନଙ୍କ ନିଜସ୍ବ ପରିବେଶ ସଂକ୍ରାନ୍ତ ଲକ୍ଷ୍ୟ ହାସଲ ଉପରେ ଗୁରୁତ୍ବ ଦେଉଛନ୍ତି। ଅଧିକାଂଶ କମ୍ପାନି ଏଥିପାଇଁ କାର୍ବନ ନିର୍ଗମନ ହ୍ରାସ କରିବା ପାଇଁ ବିଭିନ୍ନ ଉପାୟ ଅବଲମ୍ବନ କରୁଛନ୍ତି। କୃତ୍ରିମ ବୁଦ୍ଧିମତା ଏବଂ ବ୍ଲକଚେନ୍ ଭଳି ନୂଆ ନୂଆ ପ୍ରଯୁକ୍ତିର ଉପଯୋଗ କରୁଛନ୍ତି। ସର୍ଭେରେ ଭାଗ ନେଇଥିବା ପ୍ରାୟ ଅଧାଅଧି ଗ୍ରାହକ ଏହା କହିଛନ୍ତି ଯେ, କମ୍ପାନି ପ୍ରତି ଜଳବାୟୁ ପରିବର୍ତ୍ତନର ଯେଉଁ ବିପଦ ରହିଛି ତାହାଦ୍ବାରା ନିବେଶକଙ୍କ ଆର୍ଥିକ ଅନିଶ୍ଚିତତା ବୃଦ୍ଧି ପାଉଛି। କିନ୍ତୁ ଭାରତରେ ପ୍ରାୟ ୭୦ ପ୍ରତିଶତ ଗ୍ରାହକ ଏଭଳି ମତ ସହ ଏକମତ ହୋଇଛନ୍ତି। ତେଣୁ ଅନେକ ଗ୍ରାହକ ସେମାନଙ୍କ କିଣାକିଣି, ଭ୍ରମଣ, କମ୍ପାନି ଚୟନ ଏବଂ ଏପରିକି ନିବେଶ ସଂକ୍ରାନ୍ତ ନିଷ୍ପତ୍ତିକୁ ବଦଳାଇବାକୁ ପ୍ରସ୍ତୁତ ଅଛନ୍ତି।

ସର୍ଭେରେ ସାମିଲ ହୋଇଥିବା ୭୧ ପ୍ରତିଶତ କର୍ମଚାରୀ ଏବଂ ଚାକିରି ଖୋଜୁଥିବା ବ୍ୟକ୍ତିମାନେ କହିଛନ୍ତି ଭବିଷ୍ୟତର ପରିବେଶ ସୁରକ୍ଷାକୁ ଗୁରୁତ୍ବ ଦେଉଥିବା କମ୍ପାନି ସେମାନଙ୍କ ପାଇଁ ଅଧିକ ଆକର୍ଷଣ ରଖୁଛି। ତେଣୁ ପରିବେଶ ଏବଂ ସାମାଜିକ ସଚେତନ କମ୍ପାନିରେ ଚାକିରି ପାଇଁ ଆବେଦନ କରିବାକୁ ଏବଂ ଚାକିରି ଗ୍ରହଣ କରିବାକୁ ସର୍ଭେରେ ଭାଗ ନେଇଥିବା ଲୋକଙ୍କ ମଧ୍ୟରୁ ଦୁଇ ତୃତୀୟାଂଶ ଲୋକ ମତ ଦେଇଛନ୍ତି। ଏପରିକି ଏଭଳି ସଂସ୍ଥାରେ କାମ କରିବାକୁ କମ୍ ଦରମା ନେବାକୁ ମଧ୍ୟ କର୍ମଚାରୀମାନେ ପ୍ରସ୍ତୁତ ଥିବା ବିଷୟ ପ୍ରାୟ ଅଧାଅଧି ବ୍ୟକ୍ତି କହିଛନ୍ତି। ପ୍ରାୟ ୮୫ ପ୍ରତିଶତ ଭାରତୀୟ ପରିବେଶ ଦୃଷ୍ଟିରୁ ନିରନ୍ତର ଅଭିବୃଦ୍ଧିକୁ ଗୁରୁତ୍ବ ଦେଉଥିବା କମ୍ପାନି ୮୫ ପ୍ରତିଶତ ଭାରତୀୟଙ୍କ ପ୍ରିୟ। ତେଣୁ ପରିବେଶ ସୁରକ୍ଷା ଉପରେ ଗୁରୁତ୍ବ ଦେଉଥିବା କମ୍ପାନିକୁ କର୍ମଚାରୀମାନେ ଅଧିକ ପସନ୍ଦ କରୁଥିବାରୁ ପରିବେଶକୁ କମ୍ ପ୍ରାଧାନ୍ୟ ଦେଉଥିବା କମ୍ପାନି ଆଗାମୀ ଦିନରେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ପରିବେଶ ସୁରକ୍ଷା ପାଇଁ କାର୍ଯ୍ୟ କରୁଥିବା କମ୍ପାନିକୁ ଚାକିରି ପାଇଁ ଅନ୍ୟ କମ୍ପାନିରୁ କର୍ମଚାରୀମାନେ ଚାଲିଯାଇପାରନ୍ତି।

ବ୍ୟକ୍ତିଗତ ସ୍ବାସ୍ଥ୍ୟ ଯତ୍ନ ଉତ୍ପାଦ କିଣିବା ପୂର୍ବରୁ ଭାରତରେ ୬୩ ପ୍ରତିଶତ ଗ୍ରାହକ ଗବେଷଣା କରିଥାନ୍ତି। ଏପରିକି ବ୍ରାଣ୍ଡ୍‌ ଚୟନ ସମୟରେ ସେମାନଙ୍କ ପାଇଁ ପରିବେଶ ସୁରକ୍ଷାକୁ ଗୁରୁତ୍ବ ଦେଉଥିବା କମ୍ପାନି ଅଧିକ ମହତ୍ତ୍ବ ରଖେ। କୋଭିଡ-୧୯ ପୂର୍ବ ସମୟ ତୁଳନାରେ ଏଥିରେ ୨୨ ପ୍ରତିଶତ ବୃଦ୍ଧି ଦେଖାଦେଇଛି। ବିଶ୍ବରେ ୬୦ ପ୍ରତିଶତ ଗ୍ରାହକ ମତ ଦେଇଛନ୍ତି ଯେ ପରିବେଶ ଉପରେ ନକାରାତ୍ମକ ପ୍ରଭାବକୁ ହ୍ରାସ କରିବା ପାଇଁ ସେମାନେ କିଣାକିଣି ବ୍ୟବହାର ବଦଳାଇବାକୁ ରାଜି ଅଛନ୍ତି। ଭାରତରେ ଏହି ସଂଖ୍ୟା ୭୮ ପ୍ରତିଶତ ଥିବାବେଳେ ଚୀନରେ ୭୦ ପ୍ରତିଶତ ରହିଛି। ସର୍ଭେରେ ସାମିଲ ବିଶ୍ବର ୩୦ ଭାଗ ବ୍ୟକ୍ତି ଏକମତ ଯେ ସେମାନଙ୍କ ବ୍ୟକ୍ତିଗତ ଭ୍ରମଣ ଅଭ୍ୟାସ ଯୋଗୁ ପରିବେଶ ଉପରେ ଖରାପ ପ୍ରଭାବ ପଡ଼ୁଛି। ତେଣୁ ୮୨ ପ୍ରତିଶତ ବ୍ୟକ୍ତି ମତ ଦେଇଛନ୍ତି ଅଧିକ ଖର୍ଚ୍ଚ କରିବାକୁ ପଡ଼ିଲେ ମଧ୍ୟ ସେମାନେ ଅଧିକ ପରିବେଶ ଅନୁକୂଳ ପରିବହନ ବିକଳ୍ପକୁ ପସନ୍ଦ କରିବେ। ଆମେରିକାର ୬୪ ପ୍ରତିଶତ ଲୋକ ଏଥିରେ ଏକମତ ଥିବାବେଳେ ଭାରତରେ ସର୍ବାଧିକ ୯୫ ପ୍ରତିଶତ ଏବଂ ଚୀନରେ ୯୧ ପ୍ରତିଶତ ଲୋକ ଏଥିରେ ରାଜି ଅଛନ୍ତି।

ସମ୍ବନ୍ଧିତ ଖବର