ନୂଆଦିଲ୍ଲୀ: ଭାରତର ବିକାଶ ହାରକୁ ଆହୁରି ବଢ଼ାଇବାକୁ ହେଲେ ଆର୍ଥିକ ସଂସ୍କାରକୁ ଆହୁରି ବ୍ୟାପକ କରିବାକୁ ହେବ। ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠିର ଡେପୁଟି ଏମ୍ଡି ଗୀତା ଗୋପୀନାଥ ଏହା କହିଛନ୍ତି। ତେବେ ସେ ଏହା କହିଛନ୍ତି ଯେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ହାର ଭଲ ରହିଛି। ଚଳିତବର୍ଷ ଏହା ୭ ପ୍ରତିଶତ ରହିବା ନେଇ ଆମେ ଆକଳନ କରିଛୁ। ମଧ୍ୟମ ଅବଧିର ଅଭିବୃଦ୍ଧି ୬.୫ ପ୍ରତିଶତରୁ ୭ ପ୍ରତିଶତ ମଧ୍ୟରେ ରହିପାରେ। ବିଶ୍ବ ଅଭିବୃଦ୍ଧିକୁ ଭାରତର ଯୋଗଦାନ ୧୭ ପ୍ରତିଶତ। ବିଶ୍ବରେ ପ୍ରମୁଖ ଅର୍ଥନୀତିଗୁଡ଼ିକ ମଧ୍ୟରେ ଭାରତର ଅଭିବୃଦ୍ଧି ଭଲ ରହିଛି। କିନ୍ତୁ ଆହୁରି ଅଧିକ ହାରରେ ଅର୍ଥନୈତିକ ଅଭିବୃଦ୍ଧି ହାସଲ କରିବାକୁ ହେଲେ ସଂସ୍କାରକୁ ଆହୁରି ବଢ଼ାଇବାକୁ ହେବ। ଏହା ଉପରେ ସରକାର ମଧ୍ୟ କାର୍ଯ୍ୟ କରୁଛନ୍ତି ବୋଲି ଗୀତା ଗୋପୀନାଥ ଏକ ସାକ୍ଷାତକାରରେ କହିଛନ୍ତି।
୭ ପ୍ରତିଶତ ଅଭିବୃଦ୍ଧି ଭାରତ ହାସଲ କରୁଥିଲେ ମଧ୍ୟ ଯେତିକି ନିଯୁକ୍ତି ସୃଷ୍ଟି ହେବାକଥା ତାହା ହେଉନାହିଁ। ଏହା ଉପରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି ବୋଲି ସେ ମତ ଦେଇଛନ୍ତି। ଘରୋଇ ନିବେଶକୁ ଦେଖିଲେ ରିଅଲ ଇଷ୍ଟେଟ୍ ଓ ପାରିବାରିକ କ୍ଷେତ୍ରର ନିବେଶ ଭଲ ରହିଛି। କିନ୍ତୁ ଯନ୍ତ୍ରାଂଶ ଓ ଅନ୍ୟାନ୍ୟ ଉପକରଣକୁ ଦେଖିଲେ ନିବେଶ ସେତେଟା ଭଲ ନାହିଁ। ବ୍ୟବସାୟ ବାତାବରଣକୁ ସହଜ କରିବା ପାଇଁ ନିରନ୍ତରଭାବେ ପ୍ରାଧାନ୍ୟ ଦେବାର ଆବଶ୍ୟକତା ରହିଛି। ଭାରତକୁ ବିଦେଶୀ ନିବେଶ ଆକୃଷ୍ଟ କ୍ଷେତ୍ରରେ ଗୁଜରାଟ ଓ ତାମିଲନାଡ଼ୁର ସ୍ଥିତି ଭଲ ରହିଛନ୍ତି। ଭାରତର କେଉଁ ରାଜ୍ୟକୁ ଏଫଡିଆଇ ଯାଉଛି ଅନୁଧ୍ୟାନ କରିବା ପରେ ଏହା ଜାଣିବାକୁ ମିଳିଛି ବୋଲି ସେ କହିଛନ୍ତି। ଉଭୟ ଭୌତିକ ଓ ଡିଜିଟାଲ ଭିତ୍ତିଭୂମି କ୍ଷେତ୍ରରେ ସରକାର କରିଥିବା ନିବେଶକୁ ମଧ୍ୟ ସେ ପ୍ରଶଂସା କରିଛନ୍ତି। ତଥାପି ଭାରତ ଭଳି ଅର୍ଥନୀତିରେ ଭିତ୍ତିଭୂମି ପାଇଁ ଅଧିକ ନିବେଶର ଆବଶ୍ୟକତା ରହିଛି। ସରକାର ମଧ୍ୟ ବଜେଟ୍ରେ ଏଥିପାଇଁ ଅଧିକ ବ୍ୟୟବରାଦ କରିଛନ୍ତି।
ଭାରତର ସୀମା ଶୁଳ୍କ ଉଚ୍ଚସ୍ତରରେ ରହିଛି ବୋଲି ସେ ମତ ଦେଇଛନ୍ତି। ବିଶ୍ବ ଯୋଗାଣ ଶୃଙ୍ଖଳର ଅଂଶ ହେବା ପାଇଁ ହେଲେ ଭାରତକୁ ଉଭୟ ଆମଦାନି ଓ ରପ୍ତାନି ଶୁଳ୍କକୁ କମାଇବାକୁ ହେବ। ଏହା ନକରିଲେ ଦେଶକୁ ନିବେଶ ଆକୃଷ୍ଟ କରିବା କଷ୍ଟସାଧ୍ୟ ହେବ। ଶିକ୍ଷା, ଦକ୍ଷତା ବିକାଶ ଉପରେ ଭାରତକୁ ଗୁରୁତ୍ବ ଦେବାକୁ ହେବ। ଏଥିରେ ଡିଜିଟାଲ ସ୍କିଲ ମଧ୍ୟ ଅନ୍ତର୍ଭୁକ୍ତ। ଦେଶ ପାଇଁ କୃଷି କ୍ଷେତ୍ରର ସଂସ୍କାର ବି ଗୁରୁତ୍ବପୂର୍ଣ୍ଣ। ନିଯୁକ୍ତି ବୃଦ୍ଧି ପାଇଁ ସରକାର ବଜେଟରେ ପ୍ରୋତ୍ସାହନ ଯୋଜନା କରିଛନ୍ତି। ବର୍ତ୍ତମାନ ଠାରୁ ୨୦୩୦ ମଧ୍ୟରେ ୫ କୋଟିରୁ ସାଢ଼େ ୧୪ କୋଟି ଅତିରିକ୍ତ ନିଯୁକ୍ତି ସୃଷ୍ଟି କରିବାର ଆବଶ୍ୟକତା ରହିଛି। ଏହି ସଂଖ୍ୟକ ନିଯୁକ୍ତି ସୃଷ୍ଟି କରିବାକୁ ହେଲେ ସଂସ୍କାରକୁ ବଢ଼ାଇବାକୁ ହେବ। ସାର୍ବଜନୀନ ମୌଳିକ ଆୟ ସଂପର୍କିତ ପ୍ରଶ୍ନରେ ସେ କହିଛନ୍ତି ଏହା ଅର୍ଥପୂର୍ଣ୍ଣ ହେବା ଉଚିତ। ସମସ୍ତଙ୍କୁ ଏଥିରେ ସାମିଲ କଲେ ଦିଆଯିବାକୁ ଥିବା ରାଶି କମ୍ ରହିବ। ଯଦି ଅଧିକ ରାଶି ଦିଆଯାଏ ତାହା ଅର୍ଥନୀତି ଉପରେ ବଡ଼ ବୋଝ ପକାଇବ। ତେଣୁ ନିର୍ଦ୍ଦିଷ୍ଟ ବର୍ଗର ବ୍ୟକ୍ତିଙ୍କ ପାଇଁ ଏହାକୁ କାର୍ଯ୍ୟକାରୀ କରାଯିବା ଆବଶ୍ୟକ ବୋଲି ଗୀତା ଗୋପୀନାଥ ମତ ଦେଇଛନ୍ତି।