ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା ଲାଗି ୧ ଲକ୍ଷ କୋଟି ଟଙ୍କାର ଅଟକଳ ଧାର୍ଯ୍ୟ କରାଯାଇଛି। ଉଭୟ ନିଯୁକ୍ତିଦାତା ଓ କର୍ମଚାରୀମାନଙ୍କ ହିତକୁ ଦୃଷ୍ଟିରେ ରଖି ଏହି ଯୋଜନା ପ୍ରସ୍ତୁତ କରାଯାଇଛି। ଏଥିରେ ୩.୫ କୋଟି କର୍ମଚାରୀ ଉପକୃତ ହେବେ। ଯୋଜନାର ଦୁଇଟି ଭାଗ ରହିଛି। ପ୍ରଥମ ଭାଗ କର୍ମଚାରୀ ଓ ଦ୍ବିତୀୟଟି ନିଯୁକ୍ତିଦାତାଙ୍କ ପାଇଁ ରହିଛି। ପ୍ରଥମ ଭାଗରେ ୧.୯୨ କୋଟି ଏବଂ ଦ୍ବିତୀୟ ଭାଗରେ ୨.୬୦ କୋଟି କର୍ମଚାରୀ ଉପକୃତ ହେବେ ବୋଲି କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍ଓ) ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଆଞ୍ଚଳିକ ଭବିଷ୍ୟନିଧି କମିସନର-୨ ମୌସୁମୀ ଲତା ପାଢ଼ୀ କହିଥିଲେ ଯେ ଏହି ଯୋଜନାରେ ବିନିର୍ମାଣ କ୍ଷେତ୍ର ଉପରେ ବିଶେଷ ଧ୍ୟାନ ଦିଆଯାଉଛି। ପ୍ରଥମ ଥର ଚାକିରିରେ ଯୋଗଦେଉଥିବା କର୍ମଚାରୀଙ୍କୁ ଏହି ଯୋଜନାରେ ଦୁଇଟି କିସ୍ତିରେ ୧୫ହଜାର ଟଙ୍କା ପର୍ଯ୍ୟନ୍ତ ବେତନ ପ୍ରଦାନ କରାଯିବ। କର୍ମଚାରୀଙ୍କ ଭିତରେ ସଞ୍ଚୟ ମନୋଭାବ ବଢ଼ାଇବା ଲାଗି ପ୍ରୋତ୍ସାହନ ରାଶିକୁ ଏକ ଜମା ଖାତାରେ ନିର୍ଦ୍ଦିଷ୍ଟ ଅବଧି ପାଇଁ ଜମା ରଖାଯିବ। ସେହି ସମୟ ଶେଷ ହେବା ପରେ ଟଙ୍କା ଉଠାଇହେବ। ସେହିପରି, ନିଯୁକ୍ତିଦାତାମାନେ ପ୍ରତି ଅତିରିକ୍ତ କର୍ମଚାରୀଙ୍କ ପାଇଁ ଛଅ ମାସ ପର୍ଯ୍ୟନ୍ତ ମାସିକ ୩୦୦୦ ଟଙ୍କା ପର୍ଯ୍ୟନ୍ତ ପାଇପାରିବେ। ଏହି ଅବସରରେ ଇପିଏଫ୍ଓର ନୋଡାଲ୍ ଅଫିସର୍ ଅଲେଖ ଚନ୍ଦ୍ର ସାହୁ, ସ୍ବସ୍ତି ଗ୍ରୁପ୍ର ଭିପି ଶୁଭୋ ବିଶ୍ବାସ ଓ ମହାପ୍ରବନ୍ଧକ (କର୍ପୋରେଟ୍ ଯୋଗାଯୋଗ) ନିହାର ରଞ୍ଜନ ସାହୁ ଉପସ୍ଥିତ ଥିଲେ।