ରାଞ୍ଚି: ଆମେ ପୋଖରୀରେ ମାଡ଼ୁଥିବା ଦଳର ଫୁଲ ଓ ପତ୍ର ଯେତିକି ସୁନ୍ଦର ଦେଖାଯାଏ, ଏହା ଜଳଜୀବଙ୍କ ପାଇଁ ସେତିକି ବିପଜ୍ଜନକ ହୋଇଥାଏ । ତେବେ ଏହି ଦଳର ଦ୍ରୁତ ପ୍ରସାରଣ ଯୋଗୁଁ ଖୁବ୍ ଶୀଘ୍ର ପୂରା ପୋଖରୀକୁ ଘେରି ଯାଏ। ଫଳରେ ସୂର୍ଯ୍ୟକିରଣ ଓ ପବନ ପୋଖରୀର ପାଣି ଭିତରକୁ ଯାଇ ପାରେନାହିଁ । ଏହି ସମସ୍ୟାର ମୁକାବିଲା ପାଇଁ ଏକ ନିଆରା ଉପାୟ ବାହାର କରିଛନ୍ତି ଝାଡ଼ଖଣ୍ଡର ଇସ୍ପାତ ସହର ଜାମସେଦପୁରର ଇଞ୍ଜିନିୟର ଗୌରବ ଆନନ୍ଦ । ଗୌରବ ପଶ୍ଚିମବଙ୍ଗର ଶାନ୍ତିପୁରର ବୁଣାକାରଙ୍କ ସହାୟତାରେ ପୋଖରୀର ଦଳରୁ ଫାଇବର ତିଆରି କରନ୍ତି ଏବଂ ସେଥିରୁ ଶାଢ଼ି ତିଆରି କରନ୍ତି । ବର୍ଷ ବର୍ଷ ଧରି ସେ କାଗଜ, ମାଟିକୁ ନେଇ ବିଭିନ୍ନ ହସ୍ତଶିଳ୍ପ ତିଆରି କରି ଆସୁଛନ୍ତି, କିନ୍ତୁ ଆଉ ଏକ ପାଦ ଆଗକୁ ଯାଇ ସେ ପ୍ରଥମ ଥର ପାଇଁ ଏହାର ତନ୍ତୁକୁ କପଡ଼ା ଭାବେ ବ୍ୟବହାର କରିବାକୁ ନିଷ୍ପତ୍ତି ନେଇଥିଲେ । ଏହି ପରିକଳ୍ପନାକୁ ନେଇ ପ୍ରସ୍ତୁତ ହୋଇଥିଲା ବିଶ୍ୱର ପ୍ରଥମ 'ଫ୍ୟୁଜନ ଶାଢି'।

Advertisment

ଗୌରବ ଜଣେ ପରିବେଶ ଯନ୍ତ୍ରୀ ହେବା ସହ 'ସ୍ୱଚ୍ଛତା ପୁକାରେ' ନାମକ ସଂସ୍ଥା ମଧ୍ୟ ଚଳାଉଛନ୍ତି। ନିଜ ସଂଗଠନ ସହ ଜଡିତ ଅଭିଯାନ ଅଧୀନରେ ସେ ନଦୀ-ପୋଖରୀ ସଫା କରିବା ପାଇଁ କାମ ଜାରି ରଖିଛନ୍ତି । ଏହି ଅଭିଯାନ ସମୟରେ ସେ ଦେଖିଲେ ଯେ ଜଳ ପ୍ରଦୂଷିତ ହେବାର ମୁଖ୍ୟ କାରଣ ହେଉଛି ଦଳ। ଏହାପରେ ୨୦୨୨ ମସିହାରେ ସେ ୧୬ ବର୍ଷର କ୍ୟାରିୟର ଛାଡି ନିଜ ସଂସ୍ଥାର କାମ ଉପରେ ଧ୍ୟାନ ଦେବା ଆରମ୍ଭ କରିଥିଲେ । ଗୌରବ ଲକ୍ଷ୍ୟ କରିଥିଲେ ଯେ ଦଳର ଡାଳରେ ଫାଇବରରେ ସେଲୁଲୋଜ ଥାଏ ଏବଂ ଏହାକୁ ଜୁଟ ଭଳି ସୂତାରେ ପରିଣତ କରାଯାଇପାରେ । ତା'ପରେ ସେ ସୂତା ତିଆରି କରି ବୁଣାକାରମାନଙ୍କୁ ଦେବାକୁ ସ୍ଥିର କଲେ। ଦଳରୁ ତିଆରି ସୂତାରେ କପା ଇତ୍ୟାଦି ମିଶାଇ ଫ୍ୟୁଜନ ଶାଢି ତିଆରି କରାଯାଏ ।

ଏହି ପ୍ରକଳ୍ପ ଜରିଆରେ ଲୋକମାନେ କପା ଭଳି ପ୍ରାକୃତିକ ସମ୍ପଦର ବିକଳ୍ପ ପାଇବେ ବୋଲି ଗୌରବ ଚାହୁଁଥିଲେ। ଆଜି ସେ ପାଖାପାଖି ୨୫ କେଜି ଓଜନର ଶାଢ଼ି ପ୍ରସ୍ତୁତ କରୁଛନ୍ତି । ଏହା ଏକ ନୂତନ ଫ୍ୟାସନକୁ ପ୍ରୋତ୍ସାହନ ଦେଉଛି । ୨୦୨୨ରେ ସେ କିଛି ବୁଣାକାର ଏବଂ ଗ୍ରାମୀଣ ମହିଳାଙ୍କ ସହାୟତାରେ ପ୍ରଥମ ଫ୍ୟୁଜନ ଶାଢି ତିଆରି କରିଥିଲେ । ଆଜି ଗାଁର ପ୍ରାୟ ୪୫୦ ଜଣ ମହିଳା ତାଙ୍କ ସହ କାମ କରୁଛନ୍ତି। ଏହି ମହିଳାମାନେ ପାଣିରୁ ଦଳ ବାହାର କରି ଶୁଖାଇ ସୂତା ତିଆରି କରିବା ପାଇଁ କାମ କରିଥାନ୍ତି ।