ବୁଲେଟ୍‌ ଟ୍ରେନ୍‌: କଫି ମେକର୍‌, ଚା ମେସିନ୍‌, ଫାଷ୍ଟ୍‍ଫୁଡ୍‌ ଏବଂ ରୋଟେଟିଂ ସିଟ୍‌ ଉପଲବ୍ଧ ହେବ

ମୁମ୍ବାଇ: ମୁମ୍ବାଇରୁ ଅହମ୍ମଦାବାଦ୍‌ ମଧ୍ୟରେ ଚାଲିବାକୁ ଥିବା ଭାରତର ପ୍ରଥମ ବୁଲେଟ୍‌ ଟ୍ରେନ୍‌ରେ ବିଜ୍‌ନେସ୍‌ କ୍ଲାସ୍‌ କୋଚ ଏବଂ ରୋଟେଟିଂ(ଘୂରନ୍ତା) ସିଟ୍‌ ବ୍ୟବସ୍ଥା କରାଯିବ। ଏହା ସହିତ ଟ୍ରେନ୍‌ ମଧ୍ୟରେ ଫାଷ୍ଟଫୁଡ୍‌ ବିକ୍ରେତା ବି ଉପଲବ୍ଧ ହେବେ। ଏହାବ୍ୟତୀତ ଟାଓ୍ଵଲ୍‌ ଓ୍ଵାର୍ମର ଏବଂ କଫି ମେକର୍‌ ଆଦି ଉପଲବ୍ଧ ହେବ ଏହି ଅତ୍ୟାଧୁନିକ ଟ୍ରେନ୍‌ ମଧ୍ୟରେ।

ପ୍ରାରମ୍ଭରୁ ମୁମ୍ବାଇ-ଅହମ୍ମଦାବାଦ୍‌ ମାର୍ଗରେ ୧୦ଟି କୋଚ୍‌ ବିଶିଷ୍ଟ ୩୫ଟି ବୁଲେଟ୍‌ ଟ୍ରେନ୍‌ ଚଳାଚଳ କରିବେ। ଟ୍ରେନ୍‌ ମଧ୍ୟରେ ଗୋଟାଏ ବିଜ୍‌ନେସ୍‌ କ୍ଲାସ୍‌ କୋଚ ଏବଂ ୯ଟି ଷ୍ଟାଣ୍ଡାର୍ଡ କ୍ଲାସ୍‌ କୋଚ ପ୍ରତ୍ୟେକ ଟ୍ରେନ୍‌ରେ ରହିବ। ବିଜ୍‌ନେସ୍‌ କ୍ଲାସ୍‌ କୋଚ ମଧ୍ୟରେ ଗୋଡ଼ ରଖିବା ପାଇଁ ସ୍ଥାନ, ଜିନିଷପତ୍ର ରଖିବା ପାଇଁ ଜାଗା, ରେଫ୍ରିଜ୍‌ରେଟର୍‌, ଗରମ ପାଣି, ଚା’ ମେସିନ୍‌, କଫି ମେକର୍‌, ଷ୍ଟାଫ୍‌ ରୁମ୍‌ ଆଦି ଉପଲବ୍ଧ ହେବ। ଏହି କୋଚ୍‌ରେ ମହିଳା, ପୁରୁଷ ଏବଂ ଦିବ୍ୟାଙ୍ଗମାନଙ୍କ ପାଇଁ ଅଲଗା ଅଲଗା ଓ୍ଵାସ୍‌ରୁମ୍‌ ଓ ଟଏଲେଟ୍‌ ବ୍ୟବସ୍ଥା ରହିବ ବୋଲି ଶୁଣିବାକୁ ମିଳୁଛି।

ନବଜାତକଙ୍କୁ ଦୁଗ୍ଧ ପାନ କରାଇବା ପାଇଁ ମହିଳା ବା ଅନ୍ୟ ଅସୁସ୍ଥ ବ୍ୟକ୍ତିଙ୍କ ସକାଶେ ଭିନ୍ନ କୋଚ ମଧ୍ୟ ରହିବ। ସେହି କୋଚ୍‌ରେ ଫୋଲଡିଂ ବ୍ୟାଗ୍‌, ଏବଂ ଆଇନା ଆଦି ଉପଲବ୍ଧ ହେବ। ସିଟ୍‌ଗୁଡ଼ିକ ଆପେ ଆପେ ବୁଲିବା ବ୍ୟବସ୍ଥା କରାଯିବ। ଫଳରେ ଯାତ୍ରୀମାନେ ଯାତ୍ରା ସମୟରେ ଦୃଶ୍ୟକୁ ମନ ଭରି ଉପଭୋଗ କରିପାରିବେ।

ସମ୍ବନ୍ଧିତ ଖବର