‘ମେକ୍ ଇନ୍ ଓଡ଼ିଶା’ ପାଇଁ ଶିଳ୍ପ ଜଗତକୁ ଆମନ୍ତ୍ରଣ

ସିଆଇଆଇ ଏଣ୍ଟରପ୍ରାଇଜ୍ ଓଡ଼ିଶା ୨୦୧୯ ଉଦ୍‌ଘାଟିତ, ୧୫୦ରୁ ଅଧିକ କଂପାନି, ୨୦୦ ଷ୍ଟଲ୍‌

ଭୁବନେଶ୍ବର : ରାଜ୍ୟ ସରକାରଙ୍କ ପ୍ରମୁଖ ନିବେଶକ ସମ୍ମିଳନୀ ମେକ୍ ଇନ୍‌ ଓଡ଼ିଶା ଆୟୋଜନ ହେବାକୁ ଆହୁରି ଏକ ବର୍ଷ ପାଖାପାଖି ସମୟ ବାକି ଥିବା ବେଳେ ଏଥିରେ ଭାଗ ନେବା ଲାଗି ଶିଳ୍ପ ଜଗତକୁ ଆଜି ଆଗୁଆ ଆମନ୍ତ୍ରଣ କରାଯାଇଛି। ଆଜି ଠାରୁ ୟୁନିଟ୍-୩ ପ୍ରଦର୍ଶନୀ ପଡ଼ିଆରେ ଆରମ୍ଭ ହୋଇଥିବା ଏଣ୍ଟରପ୍ରାଇଜ୍‌ ଓଡ଼ିଶା ୨୦୧୯ ଉଦ୍୍ଘାଟନୀ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିଳ୍ପ ଜଗତକୁ ଏହି ଆମନ୍ତ୍ରଣ କରିଛନ୍ତି।

ସେ କହିଛନ୍ତି, ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭ୍‌କୁ ଆୟୋଜନ କରିବା ଲାଗି ଓଡ଼ିଶା ସରକାରଙ୍କ ସହ କାର୍ଯ୍ୟ କରିବା ପାଇଁ ମୁଁ ଆପଣମାନଙ୍କୁ ଆମନ୍ତ୍ରଣ କରୁଛି। ଏହି କନ୍‌କ୍ଲେଭ୍ ବେଶ ସଫଳତା ହାସଲ କରିଛି। ଅତୀତରେ ଏହା ଜରିଆରେ ୪ ଲକ୍ଷ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପୁଞ୍ଜିନିବେଶ ପ୍ରସ୍ତାବ ଆସିଛି। ସେଥି ମଧ୍ୟରୁ ୯୧ଟି ପ୍ରସ୍ତାବ ମଞ୍ଜୁର ହୋଇଥିବା ବେଳେ ଅନ୍ୟ ପ୍ରସ୍ତାବଗୁଡ଼ିକ ମଞ୍ଜୁରି ହାସଲ କରିବାର ବିଭିନ୍ନ ପର୍ଯ୍ୟାୟରେ ରହିଛି। ଏହି କନ୍‌କ୍ଲେଭ୍‌ର ପରବର୍ତ୍ତି ସଂସ୍କରଣ ଆସନ୍ତା ୨୦୨୦ ନଭେମ୍ବର ୩୦ରୁ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ଆୟୋଜନ କରାଯିବ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି, ଯେଉଁ ସବୁ ଜିଲ୍ଲାରେ କମ୍ ଶିଳ୍ପ ସଂସ୍ଥା ରହିଛି ଆମେ ସେଠାରେ ଶିଳ୍ପ ଭିତ୍ତିଭୂମିକୁ ଅଧିକ ସୁଦୃଢ଼ କରିବା ଉପରେ ଗୁରୁତ୍ବ ଦେଉଛୁ। ଆମ ସରକାର ମହିଳା, ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଓ ଦିବ୍ୟାଙ୍ଗମାନଙ୍କ ପାଇଁ ଉତ୍ସଗ୍ରୀକୃତ ପ୍ରୋତ୍ସାହନ ପ୍ରଦାନ କରୁଛି। ଶିଳ୍ପ ଜଗତ ଲାଗି ଦକ୍ଷ ଶ୍ରମ ଶକ୍ତି ପ୍ରସ୍ତୁତ କରିବା ପାଇଁ ସ୍କିଲଡ୍‌ ଇନ୍ ଓଡ଼ିଶା ଜରିଆରେ ଉଦ୍ୟମ କରାଯାଉଥିବା ବେଳେ ୨୦୨୦ ସୁଦ୍ଧା ଦେଶର ଶ୍ରେଷ୍ଠ ୩ ଷ୍ଟାର୍ଟଅପ୍ ହବ୍ ଭିତରେ ସ୍ଥାନ ପାଇବା ଲାଗି ସ୍ବତନ୍ତ୍ର ଷ୍ଟାର୍ଟ-ଅପ୍ ନୀତି ଅଣାଯାଇଛି। ରାଜ୍ୟରେ ଉତ୍ପାଦନ କରାଯାଉଥିବା ୫୦% ଖଣିଜ ପଦାର୍ଥ‌ର ଭାଲ୍ୟୁ ଆଡିସନ୍‌ (ମୂଲ୍ୟ ଯୋଗ) କରିବା ଲାଗି ଏକ ଭିଜନ୍ ଡକ୍ୟୁମେଣ୍ଟ୍‌ ପ୍ରସ୍ତୁତ କରାଯାଉଛି ବୋଲି ସେ ସୂଚନା ଦେଇଛନ୍ତି। ଆନୁଷଙ୍ଗିକ ଶିଳ୍ପର ବିକାଶ ପାଇଁ ବଡ଼ ଶିଳ୍ପ ସଂସ୍ଥା ଓ ଏମ୍‌ଏସ୍‌ଏମ୍‌ଇଗୁଡ଼ିକ ମିଳିତ ଭାବେ କାର୍ଯ୍ୟ କରିବାକୁ ସେ ଆହ୍ବାନ ଦେଇଛନ୍ତି।
ଏହି ଅବସରରେ ଶିଳ୍ପ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ରାଜ୍ୟର ପ୍ରଶାସନିକ ସ୍ବଚ୍ଛତା ଉପରେ ଆଲୋକପାତ କରିଥିବା‌ ବେଳେ ସମସ୍ତଙ୍କ ଜୀବନରେ ଉନ୍ନତି ଆଣିବା ଦିଗରେ ସରକାର ପ୍ରତିବଦ୍ଧ ହୋଇ କାର୍ଯ୍ୟ କରୁଥିବା କହିଛନ୍ତି। ଏମ୍ଏସ୍‌ଏମ୍‌ଇ ସଚିବ ହେମନ୍ତ ଶର୍ମା କହିଛନ୍ତି, ୨୦୧୮ର ମେକ୍ ଇନ୍ ଓଡ଼ିଶାରେ ଆସିଥିବା ପ୍ରସ୍ତାବଗୁଡ଼ିକ ମଧ୍ୟରୁ ୧୯ଟି ପ୍ରସ୍ତାବ କ୍ରିୟାନ୍ବୟନର ବିଭିନ୍ନ ସ୍ତରରେ ରହିଛି। ବେଦାନ୍ତର ଆଲୁମିନା ବ୍ୟବସାୟର ସିଇଓ ରାହୁଲ ଶର୍ମା କହିଛନ୍ତି ଯେ, ଖଣି କ୍ଷେତ୍ରରେ ଓଡ଼ିଶା ଭାରତ ପାଇଁ ଅଷ୍ଟ୍ରେଲିଆ ସଦୃଶ ସଫଳତା ଆଣିପାରିବ। ୨୦୩୦ ସୁଦ୍ଧା ଓଡ଼ିଶାକୁ ଏକ ଟ୍ରିଲିଅନ୍‌ ଡଲାର ଅର୍ଥନୀତିରେ ପରିଣତ କରିବା ଭଳି କ୍ଷମତା ଏହି କ୍ଷେତ୍ର ପାଖରେ ରହିଛି। ଏହି କ୍ଷେତ୍ର ଆସନ୍ତା ପାଞ୍ଚ ବର୍ଷ ଭିତରେ ୧୫-୨୦ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିପାରିବ ବୋଲି ସେ କହିଛନ୍ତି।

ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ) ତରଫରୁ ଆୟୋଜନ କରାଯାଇଥିବା ଏଣ୍ଟରପ୍ରାଇଜ୍ ଓଡ଼ିଶା ୨୦୧୯ରେ ୧୫୦ରୁ ଅଧିକ ସଂସ୍ଥା ୨୦୦ ଷ୍ଟଲ୍‌ ଖୋଲିଛନ୍ତି। ନାଲ୍‌କୋ, ବେଦାନ୍ତ, ଆଦିତ୍ୟ ବିର୍ଲା, ଏମ୍‌ଏମ୍‌ଡିସି, ଏସ୍‌ଏନ୍‌ଏମ୍ ଗ୍ରୁପ୍ ଅଫ୍ କଂପାନିଜ୍, ଏନ୍‌ଟିପିସି ଓ ପିପିଏଲ୍‌ ଭଳି ବଡ଼ ବଡ଼ ସଂସ୍ଥା ଏଠାରେ ଷ୍ଟଲ୍‌ ଖୋଲିଛନ୍ତି। କୋଡିଏ ହଜାର ବର୍ଗଫୁଟ ଅଞ୍ଚଳରେ ଏହାକୁ ଆୟୋଜନ କରାଯାଇଛି। ଆଜିର ଉଦ୍‌ଘାଟନୀ ଅବସରରେ ଖଣି ଓ ଧାତୁ କ୍ଷେତ୍ର ଲାଗି ଶିଳ୍ପ ୪.୦ ରିପୋର୍ଟକୁ ଉନ୍ମୋଚନ କରାଯାଇଛି। ଏହି ଅବସରରେ ଓଡ଼ିଶା ମାଇନିଂ ସୋ’ ଓ ୱାଇଆଇ ଇନୋଭେକ୍ସ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯିବ।

ଏହି ଅବସରରେ ଅତିଥି ଭାବେ ସିଆଇଆଇ ଓଡ଼ିଶାର ଅଧ୍ୟକ୍ଷ ପ୍ରଦୀପ୍ତ ମହାନ୍ତି, ସିଆଇଆଇର ପୂର୍ବତନ ଅଧ୍ୟକ୍ଷ ଏମ୍ କେ ଗୁପ୍ତା ଓ ସିଆଇଆଇର ଆଞ୍ଚଳିକ ନିର୍ଦେଶିକା ନୀତା କର୍ମାକର ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର