ଝାରସୁଗୁଡ଼ା: ଭାରତୀୟ ଶିଳ୍ପ ସଂଘ (ସିଆଇଆଇ) ପକ୍ଷରୁ ଓଡ଼ିଶା ସରକାରଙ୍କ ସହଯୋଗରେ ୧୯ ତାରିଖରୁ ଝାରସୁଗୁଡ଼ାରେ ଚାଲିଥିବା ଏଣ୍ଟରପ୍ରାଇଜ୍‌ ଓଡ଼ିଶାର ୨୪ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଏହି ଅବସରରେ ସିଆଇଆଇ ପୂର୍ବାଞ୍ଚଳ ଅଧ୍ୟକ୍ଷ ଶିବ ସିଦ୍ଧାନ୍ତ ନାରାୟଣ କୌଲ କହିଛନ୍ତି ଯେ ସାରା ବିଶ୍ୱରେ ଓଡ଼ିଶାର ବିକାଶର କଥା ଆଲୋଚନା ହେଉଛି। ଓଡ଼ିଶା ସରକାର ପୁଞ୍ଜିନିବେଶ ଓ ଉଦ୍ୟୋଗ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି କରିଛନ୍ତି। ଓଡ଼ିଶାରେ ଅନେକ ଶିଳ୍ପ କେନ୍ଦ୍ର ରହିଛି, କିନ୍ତୁ ଝାରସୁଗୁଡ଼ା ସେଥିମଧ୍ୟରୁ ଅନ୍ୟତମ। ବୃହତ୍ ଶିଳ୍ପ ସଂସ୍ଥା ଏବଂ ଏମ୍‌ଏସ୍‌ଏମ୍‌ଇ ମଧ୍ୟରେ ଥିବା ବ୍ୟବଧାନକୁ ଦୂର କରି ରାଜ୍ୟର ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଆମର ଲକ୍ଷ୍ୟ ଥିଲା। ଏମ୍‌ଏସ୍‌ଏମ୍‌ଇ ଙ୍କ ଦ୍ୱାରା ସୃଷ୍ଟି ହୋଇଥିବା ସୁଯୋଗକୁ ବଡ଼ କମ୍ପାନିଗୁଡ଼ିକ ଅଣଦେଖା କରିପାରିବେ ନାହିଁ ବୋଲି ସେ କହିଛନ୍ତି।

Advertisment

କାର୍ଯ୍ୟକ୍ରମରେ ୧୦୦୦ରୁ ଅଧିକ ଅଂଶଗ୍ରହଣକାରୀ, ୧୫୦ ପ୍ରଦର୍ଶକ ଓ ୫୪ ଶିଳ୍ପ ଅଂଶୀଦାର ଏବଂ ଶିଳ୍ପ ସଂଘ ଉପସ୍ଥିତ ଥିଲେ। ଏଥିରେ ଅଷ୍ଟ୍ରେଲିଆ, ବାଂଲାଦେଶ, ନେପାଳ ଓ ମିଆଁମାରର ପ୍ରତିନିଧି ଦଳ ଓ କୂଟନୀତିଜ୍ଞଙ୍କ ସମେତ ଓଡ଼ିଶା ତଥା ଦେଶର ଶିଳ୍ପପତି ଓ ଓଡ଼ିଶା ବାହାରୁ ୫୮ଟି କମ୍ପାନି ଅଂଶଗ୍ରହଣ କରିଥିଲେ। ସିଆଇଆଇ ପୂର୍ବାଞ୍ଚଳ ଉପାଧ୍ୟକ୍ଷ ଶୁଭେନ୍ଦ୍ର ବେହେରା କହିଥିଲେ ଯେ, ୨ ଦିନ ମଧ୍ୟରେ ୧୫୦ରୁ ଅଧିକ ବି୨ବି ବୈଠକ ଅନୁଷ୍ଠିତ ହୋଇଥିଲା। ୨୦୦୦ରୁ ଅଧିକ ପଞ୍ଜୀକୃତ ପ୍ରତିନିଧି ଥିଲେ। ୫୦ କ୍ରେତାଙ୍କ ସହ ଏମ୍ଏସ୍‌ଏମ୍‌ଇଗୁଡ଼ିକର ବୈଠକ ହୋଇଥିଲା।