ଭୁବନେଶ୍ବର: ରୁଚି ମସଲା କଂପାନି ଚା’ ବ୍ୟବସାୟ କ୍ଷେତ୍ରରେ ପ୍ରବେଶ କରିଛି। ଆଜି ଭୁବନେଶ୍ବରରେ ଆୟୋଜିତ ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ରୁଚିର ଦୁଇ ପ୍ରକାର ନୂଆ ଚା’ ଉତ୍କଳ ଓ ଉତ୍କର୍ଷକୁ ବଲିଉଡ୍ ଅଭିନେତ୍ରୀ ସୋନାଲି ବେନ୍ଦ୍ରେ ଉନ୍ମୋଚନ କରିଛନ୍ତି। ରୁଚି ଫୁଡ୍ଲାଇନ୍ ଜରିଆରେ ଚା’ କାରବାର ହେବ। କଂପାନି ଆସାମରୁ ଚା’ ଆମଦାନି କରୁଛି। ଏହି ଅବସରରେ ରୁଚିର ପରିଚାଳନା ନିର୍ଦେଶକ ଡ. ଶରତ କୁମାର ସାହୁ, ନିର୍ଦେଶକ ଅରବିନ୍ଦ ସାହୁ, ନିର୍ଦେଶିକା ସଙ୍ଗୀତା ସାହୁ ଓ ସଲିନା ସାହୁ, ମାର୍କେଟିଂ ମୁଖ୍ୟ ଦେବବ୍ରତ ପଟ୍ଟନାୟକ ଓ ବିକ୍ରି ମୁଖ୍ୟ ଦିଲ୍ଲୀପ କୁମାର ସାହୁ ଉପସ୍ଥିତ ଥିଲେ। ଡ. ସାହୁ କହିଛନ୍ତି ଯେ ୪୭ ବର୍ଷ ଧରି ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ କାରବାର କରି ଆମେ ଲୋକଙ୍କ ପାଖରେ ବିଭିନ୍ନ ପ୍ରକାର ସାମଗ୍ରୀ ପହଞ୍ଚାଇଛୁ। କେବଳ ଚା’ର ଅଭାବ ରହିଥିଲା ଯାହାକୁ ରୁଚି ଚା’ ଜରିଆରେ ପୂରଣ କରାଯାଇଛି। ରାଜ୍ୟର ଐତିହ୍ୟ ପରମ୍ପରା ଓ ସଂସ୍କୃତିକୁ ନଜରରେ ରଖି ଦୁଇ ପ୍ରକାର ଚା’ର ନାମକରଣ କରାଯାଇଛି ବୋଲି ସେ କହିଛନ୍ତି।
ଏହି ଅବସରରେ ରୁଚି ଚା’ ପକ୍ଷରୁ ଯୁବ ଉଦ୍ୟୋଗୀମାନଙ୍କ ପାଇଁ ଅଭିନବ କାର୍ଯ୍ୟକ୍ରମ ମୁଝ୍ ମେ ହୈ ଦମ୍ ଆରମ୍ଭ କରାଯାଇଛି। ଏଥିରେ ଯୁବ ଉଦ୍ୟୋଗୀମାନେ ନିଜର ଅଭିନବ ଯୋଜନା ସମ୍ପର୍କରେ ଅନ୍ଲାଇନ୍ ମାଧ୍ୟମରେ ପଠାଇପାରିବେ। ଶ୍ରେଷ୍ଠ ୫ ଯୁବ ଉଦ୍ୟୋଗୀଙ୍କୁ ଦୁଇ ଲକ୍ଷ ଟଙ୍କାର ଆର୍ଥିକ ପୁରସ୍କାର ପ୍ରଦାନ କରାଯିବ। କାର୍ଯ୍ୟକ୍ରମରେ ‘ସୋନାଲିଙ୍କ ସହିତ ରୁଚି ଚା’ ନାମରେ ସ୍ବତନ୍ତ୍ର ଅଧିବେଶନ ଆୟୋଜନ କରାଯାଇଥିଲା ଯେଉଁଥିରେ ରୁଚିର ପରିଚାଳନା ନିର୍ଦେଶକ ଡ. ସାହୁ ଓ ନିର୍ଦେଶକ ଅରବିନ୍ଦ ସାହୁ ଯୋଗ ଦେଇ ଚା’ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଗଜଲ ବତ୍ସ ଓ ହ୍ବାଇଟ୍ କାନ୍ଭାସ୍ର ମୁଖ୍ୟ ଉଲ୍ଲାସ ଚନ୍ଦ୍ର ବେହୁରା କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ। ରୁଚିର ଲୋକ ସମ୍ପର୍କ ମୁଖ୍ୟ ଶୁଭେନ୍ଦୁ କୁମାର ଭୂୟାଁ ଉପସ୍ଥିତ ଥିଲେ।