ଜେଏସ୍‌ଡବ୍ଲ୍ୟୁ ଉତ୍କଳ ଷ୍ଟିଲ୍‌ ପ୍ରକଳ୍ପକୁ ପରିବେଶ ମଞ୍ଜୁରି

ମୁମ୍ବାଇ: ଜଗତସିଂହପୁର ଜିଲ୍ଲାରେ ଜେଏସ୍‌ଡବ୍ଲ୍ୟୁର ଇସ୍ପାତ କାରଖାନା ସ୍ଥାପନ ନେଇ ଆଶା ଉଜ୍ଜୀବିତ ହୋଇଛି। ଜେଏସ୍‌ଡବ୍ଲ୍ୟୁର ସହାୟକ କମ୍ପାନି ଜେଏସଡବ୍ଲ୍ୟୁ ଉତ୍କଳ ଷ୍ଟିଲ୍ ଲିମିଟେଡ୍‌ (ଜେଏସ୍‌ୟୁଏଲ୍‌)ର ଏହି ଗ୍ରୀନଫିଲ୍‌ଡ ସମନ୍ବିତ ଇସ୍ପାତ କାରଖାନା ପ୍ରକଳ୍ପକୁ ପରିବେଶ ମଞ୍ଜୁରି ମିଳିଛି। କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ ଉକ୍ତ ମଞ୍ଜୁରି ଦେଇଛି। ବର୍ଷକୁ ୧୩.୨ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ଇସ୍ପାତ ଓଡ଼ିଶାର ଏହି କାରଖାନାରୁ ଉତ୍ପାଦନ ହେବ। ଏହି ମେଗା ପ୍ରକଳ୍ପ ଦ୍ବାରା ୭୨ ହଜାର ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏଥିରେ ୧୫ ହଜାର ପ୍ରତ୍ୟକ୍ଷ ଏବଂ ୫୭ ହଜାର ପରୋକ୍ଷା ନିଯୁକ୍ତି ସୁଯୋଗ ରହିଛି। ୨୯୫୦ ଏକର ଜମିରେ ହେବାକୁ ଥିବା ଏହି ପ୍ରକଳ୍ପ ପାଇଁ ମାତ୍ର ୨.୬ ଏକର ଘରୋଇ ଜମି ରହିଛି। ଏଥିପାଇଁ ଜମି ମାଲିକଙ୍କ ସହମତି ମିଳିସାରିଛି। ଅତ୍ୟାଧୁନିକ ଏବଂ ପରିବେଶ ଅନୁକୂଳ ସମନ୍ବିତ ଇସ୍ପାତ କାରଖାନା ପାଇଁ ପ୍ରାୟ ୬୫ ହଜାର କୋଟି ଟଙ୍କା ବିନିଯୋଗ ହେବ ବୋଲି ଆକଳନ ହୋଇଛି। ଏହାକୁ ଜେଏସ୍‌ଡବ୍ଲ୍ୟୁ ବୋର୍ଡ ସଦସ୍ୟଙ୍କ ଅନୁମୋଦନ ମିଳିସାରିଛି। ଓଡ଼ିଶା ସରକାର ଏଥିପାଇଁ ଜମି ପ୍ରଦାନ କରିବା ମାତ୍ରେ ପର୍ଯ୍ୟାୟଭିତ୍ତିରେ ନିର୍ମାଣ କାମ ଆରମ୍ଭ ହେବ। ଉକ୍ତ ପ୍ରକଳ୍ପରେ ବାର୍ଷିକ ୧୦ ନିୟୁତ ଟନର ସିମେଣ୍ଟ ଗ୍ରାଇଣ୍ଡିଂ ୟୁନିଟ, ୯୦୦ ମେଗାୱାଟର କ୍ୟାପଟିଭ ପାୱାର ପ୍ଲାଣ୍ଟ ଏବଂ ୫୨ ଏମଟିପିଏ ହ୍ୟାଣ୍ଡଲିଂ କ୍ଷମତା ବିଶିଷ୍ଟ କ୍ୟାପଟିଭ ଜେଟି ମଧ୍ୟ ରହିଛି। ଜେଏସ୍‌ଡବ୍ଲ୍ୟୁର ଅଧ୍ୟକ୍ଷ ତଥା ଏମଡି ସଜ୍ଜନ ଜିନ୍ଦଲ କହିଛନ୍ତି, ବିଶ୍ବରେ ଆଞ୍ଚଳିକ ଅର୍ଥନୀତିର ଅଭିବୃଦ୍ଧି ମୁଖ୍ୟତଃ ଖଣି ଉତ୍ସ, କୁଶଳ ମାନବ ସମ୍ବଳ ଯୋଗାଯୋଗ ଓ ବାଣିଜ୍ୟିକ ଭିତ୍ତିଭୂମି ଉପରେ‌ ନିର୍ଭର କରେ। ଭାରତର ଅଭିବୃଦ୍ଧିରେ ଓଡ଼ିଶା ଏକ ଉତ୍‌ପ୍ରେରକ ଭାବେ କାର୍ଯ୍ୟ କରିପାରିବ ଏବଂ ୧ ଟ୍ରିଲିଅନ ଡଲାର ଅର୍ଥନୀତିରେ ନିଜକୁ ଅନ୍ତର୍ଭୁକ୍ତ କରିପାରିବ। ରାଜ୍ୟବାସୀଙ୍କ ଦକ୍ଷତା ଓ ନେତୃତ୍ବରେ ଓଡ଼ିଶାର ଅଭିବୃଦ୍ଧି କାହାଣୀ ଆଗେଇବା ନେଇ ଜେଏସ୍‌ଡବ୍ଲ୍ୟୁର ପୂର୍ଣ୍ଣ ବିଶ୍ବାସ ରହିଛି ବୋଲି ସେ କହିଛନ୍ତି।

କମ୍ପାନି ଜନଶିକ୍ଷା, ସ୍ବାସ୍ଥ୍ୟ, ଦକ୍ଷତା ବିକାଶ, ସାମାଜିକ ଭିତ୍ତିଭୂମି, ବର୍ଜ୍ୟବସ୍ତୁ ପରିଚାଳନା, ପରିବେଶ, ପାନୀୟ ଜଳ, ମହିଳା ସଶକ୍ତୀକରଣ ଆଦି ସମେତ ପ୍ରକଳ୍ପର ପାରିପାର୍ଶ୍ବିକ ବିକାଶ ନିମନ୍ତେ କମ୍ପାନି ପ୍ରାୟ ୨୦୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଅଟକଳ କରିଛି। ଏହାବ୍ୟତୀତ ପରିବେଶ ସୁରକ୍ଷା ପାଇଁ କମ୍ପାନି ୨୮୫୦ କୋଟି ଟଙ୍କା ନିବେଶ କରିବା ଯୋଜନା କରିଛି।

ସମ୍ବନ୍ଧିତ ଖବର