ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶରେ ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ୍‌ (ଏଏମ୍‌ଏନ୍‌ଏସ୍‌) ଇଣ୍ଡିଆ ପକ୍ଷରୁ ଏକ ମେଗା ଇସ୍ପାତ କାରଖାନା ସ୍ଥାପନ ହେବ। ପ୍ରଥମ ପର୍ଯ୍ୟାୟରେ ବାର୍ଷିକ ୮.୨ ନିୟୁତ ଟନ୍‌ କ୍ଷମତା ବିଶିଷ୍ଟ କାରଖାନା ସ୍ଥାପନକୁ ପରିବେଶ ମଞ୍ଜୁରି ମିଳିଛି। ଅନକାପଲ୍ଲୀ ଜିଲ୍ଲାରେ ୨୨୦୦ ଏକର ଜମିରେ ପ୍ରଥମ ପର୍ଯ୍ୟାୟରେ ସ୍ଥାପନ ହେବାକୁ ଥିବା ଏହି ପ୍ରକଳ୍ପ ପାଇଁ ୮୦ ହଜାର କୋଟି ଟଙ୍କା ନିବେଶ ହେବ। ଚଳିତବର୍ଷ ଏହି ପ୍ରକଳ୍ପର କାର୍ଯ୍ୟ ଆରମ୍ଭ ହୋଇପାରେ। ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରକଳ୍ପର ମୋଟ ଇସ୍ପାତ ଉତ୍ପାଦନ କ୍ଷମତା ୨୪ ନିୟୁତ ଟନକୁ ବୃଦ୍ଧି ପାଇପାରେ। ଏଥିପାଇଁ କମ୍ପାନିର ମୋଟ ନିବେଶ ରାଶି ୧.୫ ଲକ୍ଷ କୋଟି ଟଙ୍କା ହୋଇପାରେ। 

Advertisment

ପ୍ରଥମ ପର୍ଯ୍ୟାୟରେ ୮୦ ହଜାର କୋଟି ନିବେଶ ‌
ବାର୍ଷିକ ୮.୨ ନିୟୁତ ଟନ୍‌ ଉତ୍ପାଦନ କ୍ଷମତା

୨୦୨୪ ଅଗଷ୍ଟରେ କମ୍ପାନି ଆନ୍ଧ୍ରପ୍ରଦେଶ ସରକାରଙ୍କୁ ଏହାର ପ୍ରକଳ୍ପ ପ୍ରସ୍ତାବ ପଠାଇଥିଲା।  ଚଳିତବର୍ଷ ଅନକାପଲ୍ଲୀ ଜିଲ୍ଲାରେ ରାଜୟାପେଟାଠାରେ ଉକ୍ତ ପ୍ରକଳ୍ପ ସ୍ଥାପନ ହେବ। ଦ୍ବିତୀୟ ପର୍ଯ୍ୟାୟ ସଂପ୍ରସାରଣ ପାଇଁ କମ୍ପାନି ୩୩୦୦ ଏକର ଜମି ମାଗିଛି। ଛତିଶଗଡ଼ର ବଇଲଡିଲାରୁ ଏଠାକୁ ସ୍ଲରି ପାଇପ୍‌ ଯୋଗେ ଲୁହାପଥର ଆଣିବା ଯୋଜନା ରଖିଛି। 

ଆନ୍ଧ୍ରପ୍ରଦେଶରେ ଏଏମଏନଏସର ଏହି ପ୍ରକଳ୍ପ ପାଇଁ କମ୍ପାନି ଖୁବ୍‌ ଦ୍ରୁତ ବେଗରେ ମଞ୍ଜୁରି ଓ ଅନୁମତି ହାସଲ କରିବାରେ ଲାଗିଛି। ଜମି ଚିହ୍ନଟ, ଆବଣ୍ଟନ, ଜନଶୁଣାଣି ଏବଂ ଚୂଡ଼ାନ୍ତ ପରିବେଶ ମଞ୍ଜୁରି ପାଇଁ ସାଧାରଣତଃ ୨ରୁ ୪ ବର୍ଷ ସମୟ ଲାଗିଥାଏ। କିନ୍ତୁ ଏ କ୍ଷେତ୍ରରେ ୧୪ ମାସ ସମୟ ଲାଗିଛି। ରାଜ୍ୟ ସରକାର କମ୍ପାନିକୁ ଯେଉଁ ଜମି ଦେଇଛନ୍ତି ସେଠାରେ ବନ୍ୟଜନ୍ତୁ, ଜଲଙ୍ଗ, ନଦୀ ଏବଂ ଆଦିବାସୀ ଲୋକ ବାସ କରୁନାହାନ୍ତି ବୋଲି ଜଣେ ଅଧିକାରୀ କହିଛନ୍ତି।