ନିଯୁକ୍ତିଦାତାଙ୍କ ପାଇଁ ପ୍ରଶାସନିକ ଶୁଳ୍କ କମାଇଲା ଇପିଏଫ୍‌୍‌ଓ

ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍‌ଓ) ପକ୍ଷରୁ ପ୍ରଶାସନିକ ଶୁଳ୍କ ୦.୫୦%କୁ ହ୍ରାସ କରାଯାଇଛି। ଏହା ଦ୍ୱାରା ପାଖାପାଖି ୫ ଲକ୍ଷ ନିଯୁକ୍ତିଦାତା ଲାଭବାନ ହେବେ। ନିଯୁକ୍ତିଦାତାଙ୍କ ଉପରେ ଏହି ଶୁଳ୍କ ଲାଗୁ କରାଯାଉଛି। ଜୁନ୍‌ ପହିଲାରୁ ଏହା କାର୍ଯ୍ୟକାରୀ ହେବ। ଇପିଏଫ୍‌ଓର ଏହି ନିଷ୍ପତ୍ତି ଯୋଗୁଁ ନିଯୁକ୍ତିଦାତାମାନେ ବାର୍ଷିକ ୯୦୦ କୋଟି ଟଙ୍କା ସଞ୍ଚୟ କରିପାରିବେ। ନିଯୁକ୍ତିଦାତାମାନେ ପ୍ରଦାନ କରୁଥିବା ମୋଟ ମଜୁରିର ୦.୬୫% ପ୍ରଶାସନିକ ଶୁଳ୍କ ଭାବେ ଆଦାୟ କରାଯାଉଥିଲା। ଏହାକୁ ୦.୫୦%କୁ ହ୍ରାସ କରିବାକୁ ଚଳିତ ବର୍ଷ ଫେବ୍ରୁଆରିରେ ଅନୁଷ୍ଠିତ ହୋଇଯାଇଥିବା ଇପିଏଫ୍‌ଓର ଟ୍ରଷ୍ଟି ବୋର୍ଡ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ଗତବର୍ଷ ଇପିଏଫ୍‌ଓ ପକ୍ଷରୁ ପ୍ରଶାସନିକ ଶୁଳ୍କ ବାବଦରେ ୩୮୦୦ କୋଟି ଟଙ୍କା ଆଦାୟ କରାଯାଇଥିଲା। ଏହି ଶୁଳ୍କ କମ୍‌ କରାଯାଇଥିବାରୁ ନିଯୁକ୍ତିଦାତାମାନେ ଅଧିକରୁ ଅଧିକ କର୍ମଚାରୀଙ୍କୁ ଇପିଏଫ୍‌ଓର ସଦସ୍ୟ କରାଇବାକୁ ଆଗ୍ରହ ପ୍ରକାଶ କରିବେ। ଇପିଏଫ୍‌ଓ ପାଖରେ ୨୦ ହଜାର କୋଟି ଟଙ୍କାର ପ୍ରଶାସନିକ ଶୁଳ୍କ ବଳକା ରହିଛି। ଏହା ଉପରେ ବର୍ଷକୁ ୧୬୦ କୋଟି ଟଙ୍କାର ସୁଧ ମିଳୁଛି।

ସମ୍ବନ୍ଧିତ ଖବର