ସବୁ ମାମଲାର ଶୁଣାଣି ସୁପ୍ରିମକୋର୍ଟରେ ହେବ

ଇପିଏଫ୍‌ ପେନ୍‌ସନ୍‌ ବୃଦ୍ଧି ପ୍ରସଙ୍ଗ

ନୂଆଦିଲ୍ଲୀ: ଅଧିକ ପେନ୍‌ସନ୍‌ ପାଇବା ଆଶାରେ ଦେଶର ବିଭିନ୍ନ ହାଇକୋର୍ଟରେ ଦାଖଲ ହୋଇଥିବା ସବୁ ମାମଲାଗୁଡ଼ିକୁ ସୁପ୍ରିମକୋର୍ଟ ସ୍ଥାନାନ୍ତର କରିବାକୁ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍‌ଓ) ପକ୍ଷରୁ କୋର୍ଟଙ୍କୁ ଅନୁରୋଧ କରାଯାଇଛି। କେବଳ ସୁପ୍ରିମକୋର୍ଟରେ ମାମଲାଗୁଡ଼ିକ ବିରୋଧରେ ଲଢ଼େଇ କରିବାକୁ ଇପିଏଫ୍‌ଓ ଆଗ୍ରହ ପ୍ରକାଶ କରିଛି।ଏକ୍‌ଜେମ୍ପଟ୍‌ ଏଷ୍ଟାବ୍ଲିସ୍‌ମେଣ୍ଟ୍‌ (ରିହାତି ସଂସ୍ଥା)ଗୁଡ଼ିକର କର୍ମଚାରୀମାନଙ୍କୁ ପେନ୍‌୍‌ସନ୍‌ ବଢ଼ାଇବା ନିମନ୍ତେ ଆବେଦନ କରିବାର ବିକଳ୍ପ ପ୍ରଦାନ କରାଯାଇନାହିଁ। ସେଭଳି ସଂସ୍ଥାଗୁଡ଼ିକର କର୍ମଚାରୀମାନେ ଇପିଏଫ୍‌ଓର ଏହି ନିଷ୍ପତ୍ତି ବିରୋଧରେ ବିଭିନ୍ନ ହାଇକୋର୍ଟରେ ମାମଲା ଦାୟର କରିଛନ୍ତି। ଏହା ଜାଣିବା ପରେ ଇପିଏଫ୍‌ଓ ପକ୍ଷରୁ ସବୁ ମାମଲା ଉଚ୍ଚ ନ୍ୟାୟାଳୟକୁ ସ୍ଥାନାନ୍ତର କରିବା ପାଇଁ ସୁପ୍ରିମକୋର୍ଟଙ୍କୁ ଅନୁୁରୋଧ କରାଯାଇଛି।

ଏକ୍‌ଜେମ୍ପଟ୍‌ ଏଷ୍ଟାବ୍ଲିସ୍‌ମେଣ୍ଟ୍‌୍‌ ହେଉଛନ୍ତି ସେହି ସଂସ୍ଥା ଯେଉଁମାନେ ନିଜର ପିଏଫ୍‌ ଟ୍ରଷ୍ଟ୍‍ ନିଜେ ପରିଚାଳନା କରିଥାନ୍ତି। ସେଭଳି ଘରୋଇ ପିଏଫ୍‌ ଟ୍ରଷ୍ଟ୍‍ଗୁଡ଼ିକ ନିଜ କର୍ମଚାରୀଙ୍କ ପାଇଁ ଇପିଏଫ୍‌ଓର କାମ କରିଥାନ୍ତି। ଏହି ଟ୍ରଷ୍ଟ୍‍ଗୁଡ଼ିକ ଇପିଏଫ୍‌ଓ ନିୟମ ଅନୁଯାୟୀ କାମ କରିଥାନ୍ତି କିନ୍ତୁ ସେମାନଙ୍କୁ ଇପିଏଫ୍‌ଓ ପକ୍ଷରୁ ଏକ୍‌ଜେମ୍ପଟ୍‌ ଟ୍ରଷ୍ଟ୍‍ ଭାବେ ବିଚାର କରାଯାଏ।
ନିକଟରେ ୧୨ ଜଣ ଅବସରପ୍ରାପ୍ତ କର୍ମଚାରୀ ଅଧିକ ପେନ୍‌ସନ୍‌ ପାଇବା ପାଇଁ ସୁପ୍ରିମକୋର୍ଟରେ ମାମଲା ଦାୟର କରି ସଫଳତା ପାଇଥିଲେ। ଏହି ଖବର ପ୍ରଚାରିତ ହେବା ପରେ ଅନେକ କର୍ମଚାରୀଙ୍କ ମନରେ ଅଧିକ ପେନ୍‌ସନ୍‌ ପାଇବାର ଆଶା ଜାଗ୍ରତ ହୋଇଛି। ତେବେ ଏହି ୧୨ ଜଣ କର୍ମଚାରୀଙ୍କୁ ଯେଉଁଭଳି ସୁବିଧା ପ୍ରଦାନ କରାଗଲା ସେଭଳି ସୁବିଧା ଏକ୍‌ଜେମ୍ପଟ୍‌ ଏଷ୍ଟାବ୍ଲିସ୍‌ମେଣ୍ଟ୍‌ର କର୍ମଚାରୀମାନଙ୍କୁ ପ୍ରଦାନ କରିବାକୁ ଇପିଏଫ୍‌ଓ ଅନିଚ୍ଛା ପ୍ରକାଶ କରିଛି।

ଇପିଏଫ୍‌ଓରେ ୫ କୋଟି ପାଖାପାଖି ସଦସ୍ୟ ରହିଛନ୍ତି। ସେମାନଙ୍କ ମଧ୍ୟରୁ ୮୦ ଲକ୍ଷ କର୍ମଚାରୀ ହେଉଛନ୍ତି ଏକ୍‌୍‌ଜେମ୍ପଟେଡ୍‌ ଏଷ୍ଟାବ୍ଲିସ୍‌ମେଣ୍ଟ୍‌ଗୁଡ଼ିକର କର୍ମଚାରୀ। ଉଲ୍ଲେଖଯୋଗ୍ୟ, ୧୯୯୬ରେ କର୍ମଚାରୀ ପେନ୍‌ସନ୍‌ ସ୍କିମ୍‌ (ଇପିଏସ୍‌) ନିୟମରେ ସଂଶୋଧନ କରାଯାଇଥିଲା। କର୍ମଚାରୀମାନେ ସେମାନଙ୍କ ମୂଳ ବେତନ ଏବଂ ମହଙ୍ଗା ଭତ୍ତାର ୮.୩୩% ଅଂଶ ଇପିଏସ୍‌ରେ ଜମା କରିପାରିବେ ବୋଲି ଇପିଏଫ୍‌ଓ ଅନୁମତି ପ୍ରଦାନ କରିଥିଲା। ନିୟମ ସଂଶୋଧନ ହେବାର ଏକ ଦଶନ୍ଧୀ ପର୍ଯ୍ୟନ୍ତ ମାତ୍ର କିଛି ହାତ ଗଣିତ କର୍ମଚାରୀ ପେନ୍‌ସନ୍‌ ବଢ଼ାଇବା ବିକଳ୍ପ ଗ୍ରହଣ କରିଥିଲେ। ଏବେ ପ୍ରଚଳିତ ନିୟମ ଅନୁସାରେ ଇପିଏସ୍‌ ଅବଦାନ ପାଇଁ ଜଣେ କର୍ମଚାରୀଙ୍କ ସର୍ବାଧିକ ବେତନ ୧୫ ହଜାର ଟଙ୍କା ବୋଲି ଧରାଯିବ। ସେ ଯେତେ ଅଧିକ ଦରମା ପାଉଥାନ୍ତୁ ନା କାହିଁକି ଇପିଏସ୍‌ ଅବଦାନ ବାବଦରେ ତାଙ୍କର ଦରମାକୁ ୧୫ ହଜାର ଟଙ୍କା ବୋଲି ଧରାଯିବ। ଫଳରେ ବର୍ତମାନ ନିୟମ ଅନୁସାରେ ଜଣେ କର୍ମଚାରୀ ମାସକୁ ସର୍ବାଧିକ ୧୨୫୦ ଟଙ୍କା ପେନ୍‌ସନ୍‌ ଖାତାରେ ଜମା କରିପାରୁଛନ୍ତି।

ନିକଟରେ ସୁପ୍ରିମକୋର୍ଟରେ ୧୨ ଜଣ ଅବସରପ୍ରାପ୍ତ କର୍ମଚାରୀ ବିଜୟ ହାସଲ କରି ଅଧିକ ପେନସନ୍‌ ପାଇବା ପରେ ଅନେକ କର୍ମଚାରୀ ସେଭଳି ଲାଭବାନ ହେବାକୁ ଚାହୁଁଛନ୍ତି। କିଭଳି ଅଧିକ ପେନ୍‌ସନ୍‌ ପାଇହେବ ତାହା ଜାଣିବା ପାଇଁ ଅନେକ କର୍ମଚାରୀ ପ୍ରୟାସ କରୁଛନ୍ତି। ସେମାନଙ୍କ ମଧ୍ୟରୁ କିଛି କର୍ମଚାରୀ କୋର୍ଟରେ ମାମଲା ଦାୟର କରୁଛନ୍ତି।

ସମ୍ବନ୍ଧିତ ଖବର