ଭୁ‌ବନେଶ୍ବର : କରୋନା ପାଇଁ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା (ପିଏମ୍‌ଜିକେୱାଇ) ଗତମାସ ୨୬ ତାରିଖରେ ଘୋଷଣା କରିଛନ୍ତି। ଇପିଏଫ୍ ଲାଗୁ ହେଉଛଥିବା ଛୋଟ ଛୋଟ ସଂସ୍ଥା ଗୁଡ଼ିକ ବର୍ତ୍ତମାନ ପରିସ୍ଥିତିରେ ଆର୍ଥିକ ଅସୁବିଧା ଦେଇ ଗତି କରୁଥିବାରୁ ସେମାନଙ୍କୁ ସରକାର ପ୍ୟାକେଜରେ ରିହାତି ପ୍ରଦାନ କରିଛନ୍ତି। ଇପିଏଫ୍ ସୁବିଧା ପାଉଥିବା କର୍ମଚାରୀ ଯେଉଁମାନଙ୍କର ବେତନ ୧୫ ହଜାର ଟଙ୍କାରୁ କମ୍ ସେମାନଙ୍କର ୩ ମାସର ଇପିଏଫ୍ ଯୋଗଦାନ ସରକାର ଜମା କରିବେ। ୧୦୦ ଜଣ ପର୍ଯ୍ୟନ୍ତ କର୍ମଚାରୀଙ୍କୁ ନିଯୁକ୍ତି ଦେଇଥିବା ପ୍ରତିଷ୍ଠାନ/କାରଖାନା ଯେଉଁଥିରେ ୯୦ ପ୍ରତିଶତ ବା ତଦୁର୍ଦ୍ଧ୍ବ କର୍ମଚାରୀ ମାସିକ ୧୫ ହଜାର ଟଙ୍କାରୁ କମ୍ ବେତନ ପାଉଛନ୍ତି ସେମାନଙ୍କ ପାଇଁ ଏହି ସୁବିଧା ମିଳିବ।

Advertisment

ଅର୍ଥମନ୍ତ୍ରୀ ଘୋଷଣା କରିଥିବା ପ୍ୟାକେଜ୍‌କୁ କାର୍ଯ୍ୟକାରୀ କରିବା ପାଇଁ ଶ୍ରମ ମନ୍ତ୍ରାଳୟ ବିଜ୍ଞପ୍ତି ଜାରି କରିଛି। ଏହି ଯୋଜନାର ଲକ୍ଷ୍ୟ, କାର୍ଯ୍ୟକାରୀ କରିବା ପାଇଁ ଆବଶ୍ୟକ ଯୋଗ୍ୟତା, ବୈଧତା ଅବଧି, କିପରି କାର୍ଯ୍ୟକାରୀ କରାଯିବ, ଆବଶ୍ୟକ ପ୍ରମାଣପତ୍ର ଏବଂ ଘୋଷଣାନାମା ସହିତ ଇଲେକ୍‌‌ଟ୍ରୋନିକ୍ ଚାଲାଣ ତଥା ରିଟର୍ଣ୍ଣ (ଇସିଆର୍) ଦାଖଲ କରିବା ପାଇଁ ଇପିଏଫଓ ପକ୍ଷରୁ ଇଲେକ୍‌ଟ୍ରୋନିକ୍ ବ୍ୟବସ୍ଥା କରାଯାଇଛି। ଇସିଆର୍ ଅପଲୋଡ୍‌ ହେବା ପରେ ଏବଂ ପ୍ରତିଷ୍ଠାନ ଓ କର୍ମଚାରୀଙ୍କ ବୈଧତା ଯାଞ୍ଚ ପରେ ଯୋଗ୍ୟ କର୍ମଚାରୀଙ୍କ ପାଇଁ କର୍ମଚାରୀ ଏବଂ ନିଯୁକ୍ତିଦାତା କେତେ ରିହାତି ପାଇବେ ଏବଂ ନିଯୁକ୍ତିଦାତା କେତେ ଅର୍ଥ ଜମା କରିବେ ତାହା ପୃଥକ୍ ଭାବେ ଚାଲାଣରେ ଜଣାପଡ଼ିବ। ଚାଲାଣରେ ଉଲ୍ଲେଖ ଥିବା ରାଶିକୁ ନିଯୁକ୍ତିଦାତା ପଇଠ କରିବା ପରେ ଇପିଏଫ୍ ଏବଂ ଇପିଏସ୍ ଯୋଗଦାନ ରାଶି ଯୋଗ୍ୟ କର୍ମଚାରୀଙ୍କ ୟୁଏଏନ୍‌ରେ ସିଧାସଳଖ ଜମା ହୋଇଯିବ। ଏ ସମ୍ପର୍କିତ ଯୋଜନା ଏବଂ ବାରମ୍ବାର ପଚରାଯାଉଥିବା ପ୍ରଶ୍ନ ଏବଂ ସ୍ପଷ୍ଟୀକରଣ ଆଦି ଇପିଏଫଓ ହୋମ୍‌‌ପେଜ୍‌ ୱେବସାଇଟ୍‌ର ‘କୋଭିଡ-୧୯’ ଅଧୀନରେ ଉଲ୍ଲେଖ ରହିଛି।