ଇପିଏଫ୍‌ ଆୟ ସୀମା ୨୧ ହଜାର ହେବ! ଏବେ ବେତନ ସୀମା ୧୫ ହଜାର ଟଙ୍କା ଅଛି

ସୀମା ବଢ଼ିଲେ ଉପକୃତ ହେବେ ସଦସ୍ୟ

ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି (ଇପିଏଫ୍‌ଓ)ରେ ସାମିଲ ହେବା ପାଇଁ ରହିଥିବା କର୍ମଚାରୀମାନଙ୍କ ମାସିକ ବେତନ ସୀମା ୨୧ ହଜାର ଟଙ୍କାକୁ ବୃଦ୍ଧି ପାଇବା ସମ୍ଭାବନା ରହିଛି। ସରକାର ଏ ନେଇ ଯୋଜନା କରୁଛନ୍ତି। ଏହା ହେଲେ ଇପିଏଫ୍‌ ବାବଦରେ ଉଭୟ କର୍ମଚାରୀ ଏବଂ ନିଯୁକ୍ତିଦାତାଙ୍କୁ ଅଧିକ ଅର୍ଥ ଜମା କରିବାକୁ ସୁଯୋଗ ମିଳିବ। ଫଳରେ କର୍ମଚାରୀମାନେ ଅବସର ପାଇଁ ଚାକିରିରେ ଥିବା ସମୟରେ ଅଧିକ ସଞ୍ଚୟ କରିବା ସୁଯୋଗ ପାଇପାରିବେ। ଏହାଫଳରେ ଅଧିକ କର୍ମଚାରୀ ଇପିଏଫଓର ସାମାଜିକ ସୁରକ୍ଷା ପରିସରକୁ ଆସିବାକୁ ସକ୍ଷମ ହେବେ।

ଇପିଏଫ୍‌ରେ ସାମିଲ ହେବା ପାଇଁ ବର୍ତ୍ତମାନ କର୍ମଚାରୀଙ୍କ ମାସିକ ସର୍ବୋଚ୍ଚ ବେତନ ସୀମା ୧୫ ହଜାର ଟଙ୍କା ରଖାଯାଇଛି। ୨୦୧୪ ମସିହାରେ ସଂଶୋଧନ ଅଣାଯାଇ ଏହା କରାଯାଇଛି। ପୂର୍ବରୁ ଏଥିପାଇଁ ମାସିକ ବେତନ ସୀମା ୬୫୦୦ ଟଙ୍କା ରହିଥିଲା। ୨୦ ଜଣରୁ ଅଧିକ କର୍ମଚାରୀ ଥିବା ସଂସ୍ଥା ପାଇଁ ଇପିଏଫ ଯୋଜନା କାର୍ଯ୍ୟକାରୀ ହୋଇଥାଏ। ତେବେ ସର୍ବୋଚ୍ଚ ବେତନ ସୀମା କେତେ ରଖାଯିବ ତାହା ନିର୍ଦ୍ଧାରଣ କରିବା ଲାଗି ଏକ ବିଶେଷଜ୍ଞ କମିଟି ଶୀଘ୍ର ଗଠନ କରାଯିବ। ବେତନ ସୀମାକୁ ମୁଦ୍ରାସ୍ଫୀତି ସହିତ ଯୋଡ଼ାଯିବ ଏବଂ ଇଫିଏଫଓ ପରିସରକୁ ଆଣିବା ଲାଗି ସମୟକୁ ସମୟ ଏହାକୁ ସମୀକ୍ଷା କରାଯିବ ବୋଲି ଏକ ସୂତ୍ରରୁ ଜଣାଯାଇଛି। କର୍ମଚାରୀ ରାଜ୍ୟ ବୀମା ନିଗମରେ ସାମିଲ ପାଇଁ ମାସିକ ବେତନ ସୀମା ୨୧ ହଜାର ଟଙ୍କା ରହିଥିବାରୁ ଇପିଏଫଓ ବେତନକୁ ମଧ୍ୟ ଏହା ସହିତ ସମାନ କରାଯାଇପାରେ ବୋଲି କୁହାଯାଉଛି। ଏହା ହେଲେ ଶ୍ରମ ମନ୍ତ୍ରାଳୟ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ଦୁଇଟି ଯାକ ସାମାଜିକ ସୁରକ୍ଷା ଯୋଜନାରେ ସମତା ରହିବ ଏବଂ ପ୍ରତିଷ୍ଠାନଗୁଡ଼ିକ ଉପରେ ନିୟମ କାର୍ଯ୍ୟକାରୀ କରିବା ପ୍ରକ୍ରିୟାର ବୋଝ ବି ହ୍ରାସ ପାଇବ। ବର୍ତ୍ତମାନ ଇପିଏଫଓର ପ୍ରାୟ ୬.୮ କୋଟି ସଦସ୍ୟ ରହିଛନ୍ତି। ମାସିକ ବେତନ ସୀମା ୨୧ ହଜାର ଟଙ୍କାକୁ ବଢ଼ାଗଲେ ଇପିଏଫଓରେ ଆଉ ୭୫ ନିୟୁତ ସଦସ୍ୟ ଯୋଡ଼ିହେବେ। ତେବେ ଏହାଦ୍ବାରା କମ୍ପାନିଗୁଡ଼ିକ ବେତନ ବୋଝ ବଢ଼ିଯିବ।

ସମ୍ବନ୍ଧିତ ଖବର