ଇପିଏଫ୍‌ ସୁଧ ନିଷ୍ପତ୍ତି ମାର୍ଚ୍ଚରେ

ନୂଆଦିଲ୍ଲୀ : କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫ୍‌ଓ) ସଦସ୍ୟମାନଙ୍କୁ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଦିଆଯିବାକୁ ଥିବା ସୁଧ ସଂପର୍କରେ ଆସନ୍ତା ମାର୍ଚ୍ଚ ମାସରେ ନିଷ୍ପତ୍ତି ନିଆଯିବ। ଇପିଏଫଓ ଟ୍ରଷ୍ଟି ବୋର୍ଡର ବୈଠକ ମାର୍ଚ୍ଚ ମାସରେ ଗୌହାଟୀଠାରେ ଅନୁଷ୍ଠିତ ହେବ। ଏହି ବୈଠକରେ ୨୦୨୧-୨୨ ଆର୍ଥିକ ବର୍ଷର ସୁଧ ସଂପର୍କରେ ଆଲୋଚନା ହେବ ବୋଲି କେନ୍ଦ୍ର ଶ୍ରମ ମନ୍ତ୍ରୀ ଭୂପେନ୍ଦର ଯାଦବ କହିଛନ୍ତି। ୨୦୨୦-୨୧ ବର୍ଷ ଭଳି ୨୦୨୧-୨୨ ଆର୍ଥିକ ବର୍ଷରେ ସୁଧହାର ୮.୫ ପ୍ରତିଶତରେ ଅପରିବର୍ତ୍ତିତ ରହିବ କି ବୋଲି ପ୍ରଶ୍ନ ହେବାରୁ ମନ୍ତ୍ରୀ କହିଥିଲେ ଯେ ଆୟ ଆକଳନ ଅନୁସାରେ ଏ ନେଇ ନିଷ୍ପତ୍ତି ନିଆଯିବ। ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ସଦସ୍ୟମାନଙ୍କୁ ୮.୫ ପ୍ରତିଶତ ସୁଧ ହାର ପ୍ରଦାନ କରାଯିବ ବୋଲି ଗତବର୍ଷ ମାର୍ଚ୍ଚ ମାସରେ ନିଷ୍ପତ୍ତି ନିଆଯାଇଥିଲା। ଅକ୍ଟୋବର ମାସରେ ଅର୍ଥ ମନ୍ତ୍ରାଳୟ ଉକ୍ତ ନିଷ୍ପତ୍ତି ଉପରେ ମୋହର ମାରିଥିଲା। ଏହାପରେ ସଦସ୍ୟମାନଙ୍କ ଖାତାକୁ ସଂପୃକ୍ତ ରାଶି ସ୍ଥାନାନ୍ତର ହୋଇଥିଲା।

ସମ୍ବନ୍ଧିତ ଖବର