ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍‌ଓ)ର ସଦସ୍ୟମା‌ନେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ସେମାନଙ୍କ ଜମାରାଶି ଉପରେ ୮.୨୫ ପ୍ରତିଶତ ସୁଧ ପାଇବେ। ଇପିଏଫ୍‌ଓର କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ ଏ ନେଇ ପୂର୍ବରୁ ନେଇଥିବା ନିଷ୍ପତ୍ତିକୁ ଅର୍ଥ ମନ୍ତ୍ରାଳୟ ଚଳିତ ସପ୍ତାହରେ ମଞ୍ଜୁରି ପ୍ରଦାନ କରିଛି। ଅର୍ଥ ମନ୍ତ୍ରାଳୟର ଏଭଳି ନିଷ୍ପତ୍ତି ଫଳରେ ଇପିଏଫ୍‌ଓର ପ୍ରାୟ ୭ କୋଟିରୁ ଅଧିକ ସଦସ୍ୟ ଉପକୃତ ହେବେ। 

Advertisment

ଉଲ୍ଲେଖଯୋଗ୍ୟ, କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ମନସୁଖ ମାଣ୍ଡଭୀୟଙ୍କ ଅଧ୍ୟକ୍ଷତାରେ ଚଳିତବର୍ଷ ‌‌ଫେବ୍ରୁଆରି ୨୮ରେ ଅନୁଷ୍ଠିତ ଇପିଏଫ୍‌ଓର କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ (ସିବିଟି)ର ୨୩୭ତମ ବୈଠକରେ ସଦସ୍ୟମାନଙ୍କୁ ୨୦୨୪-୨୫ ଆର୍ଥିକବର୍ଷ ଲାଗି ୮.୨୫ ପ୍ରତିଶତ ସୁଧ ପ୍ରଦାନ ନିମନ୍ତେ ସ୍ଥିର ହୋଇଥିଲା। ଏହାଦ୍ବାରା କ୍ରମାଗତ ଭାବେ ଦ୍ବିତୀୟ ବର୍ଷ ପାଇଁ ସଦସ୍ୟମାନଙ୍କୁ ୮.୨୫ ପ୍ରତିଶତ ଇପିଏଫ୍‌ ସୁଧ ମିଳିବ। ୨୦୨୨-୨୩ରେ ସଦସ୍ୟମାନଙ୍କୁ ୮.୧୫ ପ୍ରତିଶତ ସୁଧ ମିଳିଥିଲା। ୨୦୨୩-୨୪ରେ ଏଥିରେ ୦.୧୦ ପ୍ରତିଶତ ବୃଦ୍ଧି କରାଯାଇ ୮.୨୫ ପ୍ରତିଶତ ରଖାଯାଇଥିଲା। ୨୦୨୨ ମାର୍ଚ୍ଚରେ ଇପିଏଫ୍‌ଓ ଏହାର ସଦସ୍ୟମାନଙ୍କ ସୁଧ ହାରକୁ ୨୦୨୧-୨୨ ଆର୍ଥିକବର୍ଷ ପାଇଁ ୮.୧୦ ପ୍ରତିଶତକୁ ହ୍ରାସ କରିଥିଲା, ଯାହାକି ପ୍ରାୟ ୪ ଦଶନ୍ଧି ମଧ୍ୟରେ ସର୍ବନିମ୍ନ। ଇପିଏଫ୍‌ ସୁଧ ହାର ୧୯୭୭-୭୮ରେ ୮ ପ୍ରତିଶତ ଏବଂ ୨୦୨୦-୨୧ରେ ୮.୫୦ ପ୍ରତିଶତ ରହିଥିଲା।