ଇପିଏଫ୍‌ ସୁଧ କମିବ, ୮.୫% ସୁଧ ଦେବାକୁ ଅମଙ୍ଗ

ମାର୍ଚ୍ଚରେ ହୋଇଥିଲା ନିଷ୍ପତ୍ତି, ଶ୍ରମିକ ସଂଗଠନ ବିରୋଧ କରିବେ

ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍‌ଓ) ଏହାର ସଦସ୍ୟମାନଙ୍କୁ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ କମ୍ ସୁଧ ଦେବା ଉପରେ ବିଚାର କରୁଛି। ଏହି ବର୍ଷ ପାଇଁ ୮.୫% ହାରରେ ସୁଧ ଦେବା ଲାଗି ଗତ ମାର୍ଚ୍ଚରେ ନିଷ୍ପତ୍ତି ହୋଇଥିଲା। ତାହାର ପୁନର୍ବିଚାର ଲାଗି ବିଚାରବିମର୍ଶ ଆରମ୍ଭ ହୋଇଛି। ବିଭିନ୍ନ ସ୍ଥାନରେ ଇପିଏଫ୍‌ଓ କରିଥିବା ନିବେଶରୁ ଭଲ ରିଟର୍ଣ୍ଣ ମିଳିନଥିବା ବେଳେ ଆବଶ୍ୟକ ପରିମାଣର ନଗଦ ରାଶି ମଧ୍ୟ ମିଳୁନାହିଁ। ଏହି ଦୁଇଟି ପ୍ରମୁଖ ବିଷୟ ବିଚାରକୁ ନେବା ପରେ ସୁଧ କମ୍ କରିବା ଲାଗି ଇପିଏଫ୍‌ଓ ଚାହୁଛି। ସୁ‌ଧରେ କୌଣସି ପ୍ରକାର‌ ହ୍ରାସ ହେଲେ ଶ୍ରମିକ ସଂଗଠନଗୁଡ଼ିକ ତାହାର ତୀବ୍ର ବିରୋଧ କରିବେ ବୋଲି କହିଛନ୍ତି।

ଭାରତୀୟ ମଜଦୁର ସଂଘର ବ୍ରିଜେଶ ଉପାଧ୍ୟାୟ କହିଛନ୍ତି, ପୂର୍ବରୁ ନିଷ୍ପତ୍ତି ହୋଇ ସାରିଥିବା ସୁଧ ସଂକ୍ରାନ୍ତରେ କୌଣସି ପୁନର୍ବିଚାର ହେଉ ବୋଲି ଆମେ ଚାହୁନାହୁଁ। ଗତ ଆର୍ଥିକ ବର୍ଷରେ ହୋଇଥିବା ଆୟ ଓ ରିଟର୍ଣ୍ଣ ବିଚାରକୁ ନେଇ ସୁଧ ନିଷ୍ପତ୍ତି ନିଆଯାଇଛି। ଯଦି ସୁଧରେ ପରିବର୍ତନ କରାଯିବ ‌ତେବେ ଆମେ ତାହାକୁ ବିରୋଧ କରିବୁ ବୋଲି ସେ କହିଛନ୍ତି। ଇପିଏଫ୍‌ଓ ସୁଧ କମ୍ କଲେ ଏହାର ୬୦ ନିୟୁତ ସଦସ୍ୟ ପ୍ରଭାବିତ ହେବେ। ୨୦୧୮-୧୯ ଆର୍ଥିକ ବର୍ଷରେ ଇପିଏଫ୍‌ଓ ୮.୬୫% ସୁଧ ଦେଇଥିଲା। ୨୦୧୯-୨୦ ଆର୍ଥିକ ବର୍ଷ ଲାଗି ମଧ୍ୟ ୮.୫% ସୁଧ ବିଷୟରେ ଘୋଷଣା ହୋଇସାରିଛି। ଏପର୍ଯ୍ୟନ୍ତ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସେହି ସୁଧକୁ ମଞ୍ଜୁର କରାଯାଇନାହିଁ। ଅର୍ଥ ମନ୍ତ୍ରଣାଳୟର ମଞ୍ଜୁରି ମିଳିବା ପରେ ହିଁ ଶ୍ରମ ମନ୍ତ୍ରଣାଳୟ ସୁଧର ବିଜ୍ଞପ୍ତି ଜାରି କରିବ। ଏହି ପ୍ରକ୍ରିୟା ଶେଷ ହେବା ପରେ ଗ୍ରାହକଙ୍କ ଖାତାରେ ସୁଧ ରାଶି ଜମା ହୋଇଥାଏ। ୨୦୧୯-୨୦ ଆର୍ଥିକ ବର୍ଷ ଲାଗି ଘୋଷଣା ହୋଇଥିବା ସୁଧ ଦେଇ ହେବ ନା ନାହିଁ ତାହାର ଅନୁଶୀଳନ କରିବା ଲାଗି ଖୁବ୍‌ଶୀଘ୍ର ଇପିଏଫ୍‌ଓର ଅର୍ଥ, ନିବେଶ ଓ ଅଡିଟ୍ କମିଟିର ବୈଠକ ବସିବ।

ଲକ୍‌ଡାଉନ୍ ଘୋଷଣା ହେବା ପରେ ଇପିଏଫ୍‌ଓର ନଗଦ ରାଶି ପ୍ରବାହ ଗୁରୁତର ଭାବେ ପ୍ରଭାବିତ ହୋଇଛି। ଗୋଟିଏ ପଟେ ଇପିଏଫ୍‌ ଖାତାରୁ ସଦସ୍ୟମାନେ ବିପୁଳ ପରିମାଣର ଟଙ୍କା ଉଠାଇଥିବା ବେଳେ ସଦସ୍ୟ ଓ ନିଯୁକ୍ତିଦାତାଙ୍କ ଠାରୁ ଆସୁଥିବା ଯୋଗଦାନ ରାଶି ମଧ୍ୟ କମ୍ ହୋଇଛି। ଲକ୍‌ଡାଉନ୍ ପୀଡ଼ା କମ୍ କରିବା ଲାଗି ଗତ ମାର୍ଚ୍ଚରେ ଇପିଏଫ୍‌ ଉପରେ କେତେକ ପଦକ୍ଷେପ ଘୋଷଣା କରାଯାଇଥିଲା। ତିନି ମାସ ଲାଗି ଉଭୟ କର୍ମଚାରୀ ଓ ନିଯୁକ୍ତିଦାତାଙ୍କ ପାଇଁ ଇପିଏଫ୍‌ ବାବଦ ଯୋଗଦାନକୁ ମୂଳ ବେତନର ୧୨ ପ୍ରତିଶତରୁ ହ୍ରାସ କରି ୧୦ ପ୍ରତିଶତ କରାଯାଇଛି। କେତେକ ନିର୍ଦିଷ୍ଟ ବର୍ଗର କର୍ମଚାରୀମାନଙ୍କ ଇପିଏଫ୍‌ ଯୋଗଦାନ ରାଶି କେନ୍ଦ୍ର ସରକାର ଦେବେ ବୋଲି ମଧ୍ୟ ଘୋଷଣା କରିଛନ୍ତି। କର୍ମଚାରୀଙ୍କ ପାଇଁ କଂପାନିଗୁଡ଼ିକ ଦେଉଥିବା ଯୋଗଦାନ ରାଶି ଜମା କରିବା ଲାଗି କିଛି ସଂସ୍ଥା ଅଧିକ ସମୟ ଲୋଡ଼ିଛନ୍ତି। ସଦସ୍ୟମାନଙ୍କୁ ତିନି ମାସ ଦରମା ସହ ସମାନ ପରିମାଣର ଅର୍ଥରାଶି ଇପିଏଫ୍‌ ଖାତାରୁ ଉଠାଇବା ଲାଗି ଅନୁମତି ଦିଆଯାଇଛି। ଏହି ସମସ୍ତ କାରଣରୁ ଇପିଏଫ୍‌ଓ ପାଖରେ ‌ଯେତିକି ନଗଦ ଟଙ୍କା ରହିବା କଥା ତାହା ରହିପାରିନାହିଁ। ଅନ୍ୟ ପକ୍ଷରେ ଷ୍ଟକ ବଜାର ଅସ୍ଥିର ରହିବା କାରଣରୁ ସେଠାରୁ ମଧ୍ୟ ଭଲ ରିଟର୍ଣ୍ଣ ମିଳିନାହିଁ। ଇପିଏଫ୍‌ଓ ଯେତିକି ପରିମାଣର ରାଶି ଷ୍ଟକ ବଜାରରେ ନିବେଶ କରୁଛି ତାହାର ୮୫ ପ୍ରତିଶତ ଡେବ୍‌ଟ ଫଣ୍ଡ୍ ଓ ୧୫ ପ୍ରତିଶତ ଏକ୍ସଚେଞ୍ଜ୍‌ ଟ୍ରେଡେଡ୍‌ ଫଣ୍ଡ୍‌ରେ ନିବେଶ କରାଯାଉଛି। ଗତ ଏପ୍ରିଲ୍ ଓ ମେ’ ମାସରେ ଇପିଏଫ୍‌ଓ ପକ୍ଷରୁ ୩.୬୧ ନିୟୁତ ସଦସ୍ୟଙ୍କ ୧୧,୫୪୦ କୋଟି ଟଙ୍କାର ଦାବି ସମାଧାନ କରାଯାଇଛି। ସେଥଇ ମଧ୍ୟରୁ ୪୫୮୦ କୋଟି ଟଙ୍କା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ସମ୍ପର୍କିତ ଦାବି ଥିଲା।

ସମ୍ବନ୍ଧିତ ଖବର