ଅବସର ବୟସ ବଢ଼ାଇବା ସପକ୍ଷରେ ଇପିଏଫ୍‌ଓ

ନୂଆଦିଲ୍ଲୀ: ଆସନ୍ତା ୨୦୪୭ ବେଳକୁ ଭାରତ ବୟସ୍କ ଲୋକମାନଙ୍କ ଏକ ଦେଶରେ ପରିଣତ ହେବ। ସେହି ସମୟରେ ୧୪ କୋଟି ଲୋକଙ୍କ ବୟସ ୬୦ ବର୍ଷରୁ ଅଧିକ ହେବ। ତାହା ଦେଶର ପେନ୍‌ସନ୍ ପାଣ୍ଠି ବ୍ୟବସ୍ଥା ଉପରେ ଚାପ ସୃଷ୍ଟି କରିବ। ତେଣୁ ଲୋକମାନଙ୍କ ଅବସର ବୟସ ସୀମାକୁ ବଢ଼ାଇବା ସପକ୍ଷରେ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍ଓ) ଏହାର ଭିଜନ୍ ୨୦୪୭ରେ ଯୁକ୍ତି ବାଢ଼ିଛି। ଦେଶରେ ପେନ୍‌ସନ୍ ବ୍ୟବସ୍ଥାକୁ ନିରବଚ୍ଛିନ୍ନ ରଖିବା ଲାଗି ଲୋକମାନଙ୍କ ହାରାହାରି ଆୟୁ ଅନୁସାରେ ଅବସର ବୟସ ନିର୍ଧାରଣ କରିବାକୁ ଏଥିରେ ପ୍ରସ୍ତାବ ଦିଆଯାଇଛି। କିଛି ଦେଶ ଅବସର ବୟସ ସୀମା ବଢ଼ାଇଛନ୍ତି। ସେମାନଙ୍କ ଅଭିଜ୍ଞତାରୁ ଶିକ୍ଷା ହାସଲ କରାଯାଇପାରିବ ବୋଲି ଏହି ଦସ୍ତାବିଜରେ କୁହାଯାଇଛି। ଇପିଏଫ୍‌ଓର ୬ କୋଟିରୁ ଅଧିକ ସଦସ୍ୟ ଥିବା ବେଳେ ଏହା ପାଖରେ ପ୍ରାୟ ୧୨ ଲକ୍ଷ କୋଟି ଟଙ୍କାର ପାଣ୍ଠି ରହିଛି। ଇପିଏଫ୍‌ଓ ଏହାର ଯୋଜନାରେ ପେନ୍‌ସନ୍ ପାଣ୍ଠି ନିୟାମକ ଓ ବିକାଶ କର୍ତ୍ତୃପକ୍ଷ (ପିଏଫ୍‌ଆର୍‌ଡିଏ)କୁ ସାମିଲ କରିବାକୁ ଚାହୁଛି। ଏହି ସଂସ୍ଥା କେନ୍ଦ୍ର ସରକାରଙ୍କ ଏନ୍‌ପିଏସ୍ ସ୍କିମ୍‌ର ପରିଚାଳନା କରୁଛି।

ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (ଏନ୍ଏସ୍‌ଓ) ତଥ୍ୟ ଅନୁସାରେ ୨୦୩୧ ସୁଦ୍ଧା ଦେଶରେ ୬୦ ବର୍ଷରୁ ଅଧିକ ବୟସର ଲୋକଙ୍କ ସଂଖ୍ୟା ୨୦୨୧ର ୧୩.୮ କୋଟି ତୁଳନାରେ ୪୧ ପ୍ରତିଶତ ବୃଦ୍ଧି ପାଇ ୧୯.୪ କୋଟିରେ ପହଞ୍ଚିବ। ଉଭୟ ପୁରୁଷ ଓ ମହିଳାଙ୍କ ହାରାହାରି ଆୟୁ ବଢ଼ିବ। ସେହି ଅନୁସାରେ ବୟସ୍କ ଲୋକଙ୍କ ଅବସରକାଳୀନ ପାଣ୍ଠି ଓ ସ୍ବାସ୍ଥ୍ୟ ସୁରକ୍ଷା ଆବଶ୍ୟକତା ବୃଦ୍ଧି ପାଇବ। ଭାରତରେ ବିଭିନ୍ନ ବ୍ୟବସ୍ଥାରେ ଅବସର ବୟସ ୫୮ରୁ ୬୫ ବର୍ଷ ମଧ୍ୟରେ ରହିଛି। ୟୁରୋପୀୟ ସଂଘ ଅଧୀନରେ ଥିବା ଦେଶଗୁଡ଼ିକରେ ଅବସର ବୟସ ୬୫ ବର୍ଷ ଧାର୍ଯ୍ୟ କରାଯାଇଛି। ଡେନ୍‌ମାର୍କ, ଇଟାଲି ଓ ଗ୍ରିସ୍‌ରେ ତାହା ୬୭ ବର୍ଷ ରହିଥିବା ବେଳେ ଆମେରିକାରେ ୬୬ ବର୍ଷ ରହିଛି।

ସମ୍ବନ୍ଧିତ ଖବର