ଇପିଏଫ୍‌ଓ ଦେବ ୮.୫% ସୁଧ, ଭାରତୀୟ ମଜଦୁର ସଂଘର ବିରୋଧ

ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍‌ଓ) ପକ୍ଷରୁ ସୁଧ ହାର ହ୍ରାସ କରାଯାଇଛି। ୨୦୧୯-୨୦ରେ ସଦସ୍ୟମାନଙ୍କୁ ୮.୫%ର ସୁଧ ପ୍ରଦାନ କରିବାକୁ ଇପିଏଫ୍‌ଓର କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ ନିଷ୍ପତ୍ତି ନେଇଛି। ୨୦୧୮-୧୯ରେ ଏହା ସଦସ୍ୟମାନଙ୍କୁ ୮.୬୫%ର ସୁଧ ଦେଇଥିଲା। ଚଳିତ ଆର୍ଥିକ ବର୍ଷ ପାଇଁ ସେଥିରେ ୦.୧୫%ର ହ୍ରାସ କରିଛି। ଶେଷ ଥର ଲାଗି ୨୦୧୨-୧୩ରେ ଇପିଏଫ୍‌ ସୁଧ ଏହି ସ୍ତରରେ ଥିଲା। ଦୀର୍ଘ ସାତ ବର୍ଷ ପରେ ପୁଣି ତାହା ସେହି ସ୍ତରକୁ ଖସି ଆସିଛି। ୨୦୧୯-୨୦ ବର୍ଷ ଲାଗି ସୁଧରେ ୦.୧୫% ହ୍ରାସ କରାଯାଇଥିବାରୁ ଇପିଏଫ୍‌ଓ ୭୦୦ କୋଟି ଟଙ୍କା ସଞ୍ଚୟ କରିପାରିବ। ଟ୍ରଷ୍ଟି ବୋର୍ଡର ଏହି ନିଷ୍ପତ୍ତି ୬ କୋଟି ଇପିଏଫ୍‌ଓ ସଦସ୍ୟଙ୍କୁ ପ୍ରଭାବିତ କରିବ।

ଟ୍ରଷ୍ଟି ବୋର୍ଡ ବୈଠକ ପରେ ଶ୍ରମ ମନ୍ତ୍ରୀ ସନ୍ତୋଷ କୁମାର ଗଙ୍ଗୱାର କହିଛନ୍ତି, ସାମ୍ପ୍ରତିକ ବଜାର ସ୍ଥିତିକୁ ଦୃଷ୍ଟିରେ ରଖି ସୁଧ କମାଇବା ନିଷ୍ପତ୍ତି ନିଆଯାଇଛି। ୮.୫%ରୁ ଅଧିକ ସୁଧ ଦେଲେ ତାହା ଇପିଏଫ୍‌ଓକୁ ପ୍ରଭାବିତ କରିବାର ଆଶଙ୍କା ରହିଛି। ସେଥିପାଇଁ ଅତି ଯତ୍ନର ସହ ହିସାବ କରି ସୁଧ କମାଇବା ନିଷ୍ପତ୍ତି ନିଆଯାଇଛି। ଇପିଏଫ୍‌ ସୁଧ ହାରରେ ହ୍ରାସ ନିଷ୍ପତ୍ତିକୁ ଭାରତୀୟ ମଜଦୁର ସଂଘ ଓ ଏହାର ପ୍ରତିନିଧିମାନେ ବିରୋଧ କରିଛନ୍ତି। ଗତବର୍ଷ ଯେତିକି ସୁଧ ଦିଆଯାଉଥିଲା ତାହାକୁ ଜାରି ରଖିବାକୁ ସେମାନେ ଦାବି କରିଥିଲେ। ମାତ୍ର କୌଣସି ଅତିରିକ୍ତ ଆୟ ସୃଷ୍ଟି ହେଉନଥିବାରୁ ଫାଇନାନ୍ସ ଇଭେଷ୍ଟ୍‌ମେଣ୍ଟ୍ ଆଣ୍ଡ୍‌ ଅଡିଟ୍ କମିଟି ସୁଧ ହାରକୁ ୮.୫%କୁ ହ୍ରାସ କରିବାକୁ ସୁପାରିସ କରିଥିଲା। ଟ୍ରଷ୍ଟି ବୋର୍ଡ ବୈଠକର ନିଷ୍ପତ୍ତିକୁ ଅର୍ଥ ମନ୍ତ୍ରଣାଳୟ ମଞ୍ଜୁରି ପ୍ରଦାନ କରି ବିଜ୍ଞପ୍ତି ଜାରି କରିବା ପରେ ସେହି ସୁଧ ରାଶି ସଦସ୍ୟମାନଙ୍କ ଖାତାରେ ଜମା କରାଯିବ। ଇପିଏଫ୍‌ ସୁଧ ହାରକୁ ଅନ୍ୟାନ୍ୟ ସ୍ବଳ୍ପ ସଞ୍ଚୟ ସୁଧ ହାର ସ୍ତରକୁ ହ୍ରାସ କରିବା ଲାଗି ଅର୍ଥ ମନ୍ତ୍ରଣାଳୟ ତରଫରୁ ଶ୍ରମ ମନ୍ତ୍ରଣାଳୟକୁ କୁହାଯାଉଥିଲା। ଇପିଏଫ୍‌ଓ ୨୦୧୫-୧୬ରେ ୮.୮%, ୨୦୧୬-୧୭ରେ ୮.୬୫% ଓ ୨୦୧୭-୧୮ରେ ୮.୫୫% ସୁଧ ଦେଇଥିଲା।

ସମ୍ବନ୍ଧିତ ଖବର