୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ୮.୫% ରେ ଅପରିବର୍ତ୍ତିତ ରହିଲା ଇପିଏଫ ସୁଧହାର

ନୂଆଦିଲ୍ଲୀ : କର୍ମଚାରୀ ଭବିଷ୍ୟନିଧି ସଂଗଠନ (ଇପିଏଫଓ) ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ସୁଧହାରକୁ ୮.୫ ପ୍ରତିଶତରେ ଅପରିବର୍ତ୍ତିତ ରଖିଛି । ଆଜି ବସିଥିବା ଇପିଏଫଓର କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

ଗତ ବର୍ଷ କରୋନା ମହାମାରୀ ଓ ଲକଡାଉନ ଯୋଗୁଁ ଇପିଏଫ ପାଣ୍ଠିକୁ ଯେତିକି ଜମା ଆସିଥିଲା ତା’ଠାରୁ ଅଧିକ ଉଠାଣ ହୋଇଥିଲା । ଗତ ବର୍ଷ ମାର୍ଚ୍ଚମାସରେ ଲକଡାଉନ ଘୋଷଣା ହେବା ପରେ ଇପିଏଫଓ ନିଜ ଖାତାଧାରୀମାନଙ୍କୁ ଆଂଶିକ ଉଠାଣ ବା ଅଗ୍ରୀମ ଉଠାଣ ପାଇଁ ଅନୁମତି ଦେଇଥିଲା । ଗତ ଡିସେମ୍ବର ୩୧ ସୁଦ୍ଧା ଇପିଏଫଓ ପ୍ରାୟ ୫୬.୭୯ ଲକ୍ଷ କୋଭିଡ-୧୯ ଅଗ୍ରୀମ ଉଠାଣ ଆବେଦନ ପାଇଛି ଓ ପ୍ରାୟ ୧୪,୩୧୦ କୋଟି ଟଙ୍କାର ଉଠାଣ ମଞ୍ଜୁର କରିଛି ।

୨୦୧୯-୨୦ ଆର୍ଥିକ ବର୍ଷରେ ମଧ୍ୟ ସୁଧହାର ୮.୫ ପ୍ରତିଶତ ଥିଲା । ତାହାର ପୂର୍ବ ଆର୍ଥିକ ବର୍ଷ ଅର୍ଥାତ ୨୦୧୮-୧୯ରେ ଏହା ୮.୬୫ ପ୍ରତିଶତ ଥିଲା । ଗତ ବର୍ଷ ମାର୍ଚ୍ଚମାସରେ ହିଁ ସୁଧହାରକୁ ୮.୬୫ ପ୍ରତିଶତରୁ କମାଇ ୮.୫ ପ୍ରତିଶତ କରାଯାଇଥିଲା ।

ଇପିଏଫଓର ପେ’ରୋଲ ତଥ୍ୟ ଅନୁସାରେ ଡିସେମ୍ବର ୨୦୨୦ ସୁଦ୍ଧା ନୂଆ ଏନରୋଲମେଣ୍ଟ ୨୪ ପ୍ରତିଶତ ବୃଦ୍ଧି ପାଇ ୧୨.୫୪ ଲକ୍ଷରେ ପହଞ୍ଚିଛି ।

 

ସମ୍ବନ୍ଧିତ ଖବର