ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍ଓ) ପକ୍ଷରୁ ବହୁ ସ୍ଥାନୀୟ ଦାବି ସମାଧାନ ବ୍ୟବସ୍ଥା ଆରମ୍ଭ କରାଯାଇଛି। ଏହାଫଳରେ ଦେଶର ଯେକୌଣସି ସ୍ଥାନରେ ଥିବା ଆଞ୍ଚଳିକ କାର୍ଯ୍ୟାଳୟରେ ଅନ୍ଲାଇନ୍ ଦାବିଗୁଡ଼ିକର ସମାଧାନ କରାଯାଇପାରିବ। ଭବିଷ୍ୟନିଧି ପାଣ୍ଠି, ପେନସନ, ଆଂଶିକ ଉଠାଣ ଏବଂ ଦାବି ଏବଂ ସ୍ଥାନାନ୍ତର ଭଳି ସବୁ ପ୍ରକାର ଦାବିକୁ ଏହି ବ୍ୟବସ୍ଥାରେ ସମାଧାନ କରାଯାଇପାରିବ। ଏହା ଦ୍ବାରା ଇପିଏଫ୍ଓର ୬ କୋଟି ସଦସ୍ୟ ଉପକୃତ ହେବେ।
କରୋନା ସଙ୍କଟ ଯୋଗୁଁ ଇପିଏଫ୍ଓର ୧୩୫ଟି କ୍ଷେତ୍ରୀୟ କାର୍ଯ୍ୟାଳୟ ପ୍ରଭାବିତ ହୋଇଛି। ଅନେକ ସ୍ଥାନରେ ସର୍ବନିମ୍ନ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରାଯାଉଛି। କୋଭିଡ୍-୧୯ ସଙ୍କଟ ସମୟର ଅଭାବକୁ ଦୂର କରିବା ଲାଗି ଅଗ୍ରୀମ ଉଠାଣ ସୁବିଧା ଦିଆଯାଇଥିବାରୁ ସଦସ୍ୟମାନଙ୍କ ଦ୍ବାରା ଦାଖଲ କରାଯାଉଥିବା ଦାବିର ସଂଖ୍ୟା ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇଛି ଯାହା ଇପିଏଫ୍ଓର କ୍ଷେତ୍ରୀୟ କାର୍ଯ୍ୟାଳୟଗୁଡ଼ିକର କାର୍ଯ୍ୟ ଭାର ବଢ଼ାଇଛି। ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲୁଥିବା ଏବଂ ନିକଟରେ ସ୍ବୟଂକ୍ରିୟ ଦାବି ସମାଧାନ ପ୍ରକ୍ରିୟା ପ୍ରଚଳନ ହୋଇଥିବା କାର୍ଯ୍ୟାଳୟଗୁଡ଼ିକରେ କାର୍ଯ୍ୟଭାର ଅପେକ୍ଷାକୃତ କମ ରହିଥିବାରୁ ଏଠାରେ କୋଭିଡ-୧୯ ସଂକ୍ରାନ୍ତ ଦାବିକୁ ମାତ୍ର ୩ ଦିନ ମଧ୍ୟରେ ସମାଧାନ କରାଯାଇପାରିବ। ଦେଶବ୍ୟାପୀ ଦାବି ସମାଧାନ କାର୍ଯ୍ୟଚାପକୁ ବିତରଣ କରି ବିଳମ୍ବ ହ୍ରାସ କରିବା ଉଦ୍ଦେଶ୍ୟରେ, ଭୌଗଳିକ କ୍ଷେତ୍ର ଆଧାରରେ ଦାବି ସମାଧାନ କରିବାର ସାଧାରଣ ପ୍ରକ୍ରିୟା ବଦଳରେ ବିଭିନ୍ନ ସ୍ଥାନରେ ଥିବା ଇପିଏଫଓ କାର୍ଯ୍ୟାଳୟରେ ଦାବି ସମାଧାନ ପ୍ରକ୍ରିୟା ପ୍ରଚଳନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ପକଳ୍ପକୁ ଗତ ୧୦ ତାରିଖରେ ଗୁରୁଗ୍ରାମ କ୍ଷେତ୍ରରେ କାର୍ଯ୍ୟକାରୀ ହୋଇଛି।ଏହି ବ୍ୟବସ୍ଥାର ଶୁଭାରମ୍ଭ ଫଳରେ ଅବରୋଧ ଅଞ୍ଚଳରେ ପଡ଼ୁଥିବା କାର୍ଯ୍ୟାଳୟଗୁଡ଼ିକର ଦାବି ଅନ୍ୟ କ୍ଷେତ୍ରୀୟ କାର୍ଯ୍ୟାଳୟକୁ ସ୍ଥାନାନ୍ତର କରାଯାଇଛି। ଆହୁରି ବହୁସ୍ଥାନୀୟ ଦାବି ସମାଧାନ ସୁବିଧା ପ୍ରଚଳନ କରାଯିବା ଫଳରେ ସାକ୍ଷାତମୁକ୍ତ ଦାବି ସମାଧାନ ପ୍ରକ୍ରିୟାର ବୃହତର ଉଦ୍ଦେଶ୍ୟ ସାଧିତ ହୋଇପାରିବ। ଯାହାକି ଅଧିକ ପାରଦର୍ଶିତା, ଦକ୍ଷତା ଆଣିବା ସହିତ ସଦସ୍ୟମାନଙ୍କ ଅଭିଯୋଗ ହ୍ରାସ କରିବ ଏବଂ ଅନଲାଇନ ଦାବି ସମାଧାନ ପ୍ରକ୍ରିୟାକୁ ଦ୍ରୁତ କରିପାରିବ। ଏହା ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ସଂକଳ୍ପ ଡିଜିଟାଲ ଇଣ୍ଡିଆ କ୍ଷେତ୍ରରେ ଏକ ଅନୁକୂଳ ପଦକ୍ଷେପ ହେବ। ୨୦୨୦ ଏପ୍ରିଲ୍ ୧ ଠାରୁ ଇପିଏଫ୍ଓ ପକ୍ଷରୁ ୨୭୦ କୋଟି ଟଙ୍କା ମୂଲ୍ୟର ୮୦ ହଜାରରୁ ଅଧିକ ଦାବିର ସମାଧାନ କରାଯାଇଛି।