ନୂଆଦିଲ୍ଲୀ : କେରଳ ହାଇକୋର୍ଟଙ୍କ ରାୟ ପରେ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫଓ)ର ସଦସ୍ୟମାନେ ଅଧିକ ପେନ୍ସନ୍ ପାଇବା ନେଇ ଆଶା ରଖିଥିଲେ। କିନ୍ତୁ ସେହି ଆଶା ପ୍ରତି ଏବେ ଆଶଙ୍କା ସୃଷ୍ଟି ହୋଇଛି। କେରଳ ହାଇକୋର୍ଟ ଦେଇଥିବା ରାୟକୁ ଇପିଏଫଓ ସୁପ୍ରିମ କୋର୍ଟରେ ଚ୍ୟାଲେଞ୍ଜ କରିବାକୁ ଯୋଜନା ଚଳାଇଥିବା ଜଣାଯାଇଛି। ଇପିଏଫ୍ଓର ଇପିଏସ୍ ବା କର୍ମଚାରୀ ପେନ୍ସନ୍ ଯୋଜନା ଅନୁଯାୟୀ ଜଣେ କର୍ମଚାରୀ ତାଙ୍କ ଚାକିରିର ଶେଷ ବେତନ ଯାହା ରହିଛି ତାହାର ୫୦% ପେନସନ ପାଇବା ବ୍ୟବସ୍ଥା ରହିଛି। କିନ୍ତୁ ଏହି ପେନ୍ସନ୍ ହିସାବ ବେଳେ କର୍ମଚାରୀଙ୍କ ମାସିକ ବେତନକୁ ସର୍ବାଧିକ ୧୫ ହଜାର ଟଙ୍କାରେ ସୀମିତ ରଖାଯାଇଛି। ତେବେ କେରଳ ହାଇକୋର୍ଟ ଏହି ସୀମା ଉଠାଇ ଦେଇ ଶେଷ ବେତନ ଅନୁସାରେ କର୍ମଚାରୀଙ୍କୁ ପେନ୍ସନ୍ ଦେବାକୁ ନିର୍ଦେଶ ଦେଇଥିଲେ। ଇପିଏଫ୍ଓ ଅଧିକାରୀଙ୍କ ଯୁକ୍ତି ହେଲା ଇପିଏସ୍କୁ ମାସିକ ଯେତିକି ଯୋଗଦାନ ଦିଆଯାଉଛି ତାହା ଅତ୍ୟନ୍ତ କମ୍। ଏହି ଯୋଗଦାନରେ ଅଧିକ ପେନ୍ସନ୍ ପ୍ରଦାନ କରିବା ସମ୍ଭବ ନୁହେଁ। ଇପିଏଫ୍ଓ ନିକଟରେ ଆବଶ୍ୟକ ଅଧିକ ଅର୍ଥ ନଥିବା ଯୋଗୁ କର୍ମଚାରୀଙ୍କ ସର୍ବନିମ୍ନ ମାସିକ ପେନ୍ସନ୍ ୨୦୦୦ ଟଙ୍କାକୁ ବୃଦ୍ଧି କରାଯିବାକୁ ଥିବା ଯୋଜନାକୁ ସ୍ଥଗିତ ରଖାଯାଇଛି। କର୍ମଚାରୀମାନେ ସେମାନଙ୍କ ଭବିଷ୍ୟତ ପାଣ୍ଠିକୁ ବେତନର ୧୨% ପ୍ରଦାନ କରିଥାନ୍ତି। ନିଯୁକ୍ତିଦାତା ବି ୧୨% ଅର୍ଥ ଦେଇଥାନ୍ତି। ଏଥିରୁ ୮.୩୩% ଅର୍ଥ ଇପିଏସ୍କୁ ଯାଇଥାଏ। କିନ୍ତୁ ଏହି ରାଶିର ସର୍ବୋଚ୍ଚ ସୀମାକୁ ୧୨୫୦ ଟଙ୍କାରେ ଧାର୍ଯ୍ୟ କରାଯାଇଛି। ଯଦି ଜଣେ କର୍ମଚାରୀ ତାଙ୍କ ଶେଷ ବେତନର ୫୦% ପେନ୍ସନ୍ ଆକାରରେ ପାଇବାକୁ ଚାହୁଥାନ୍ତି ତାହେଲେ ତାଙ୍କ ମୂଳ ବେତନର ୮.୩୩% ଅର୍ଥ ଇପିଏସ୍କୁ ଦେବାକୁ ହେବ। କେବଳ ସେତିକି ନୁହେଁ, ପିଛିଲା ବର୍ଷ ଗୁଡ଼ିକର ଏରିଅର ବାବଦ ରାଶିକୁ ଭବିଷ୍ୟନିଧି ପାଣ୍ଠିରୁ ଇପିଏସ୍କୁ ଆଣିବାକୁ ହେବ। ତେବେ ଏହା ସହଜ ନୁହେଁ। ଅର୍ଥ ହିସାବ ନେଇ ବଡ଼ ସମସ୍ୟା ଦେଖାଦେବ ବୋଲି ଯୁକ୍ତି ଦର୍ଶାଯାଇଛି।
କର୍ମଚାରୀଙ୍କୁ ଅଧିକ ପେନ୍ସନ୍ ପ୍ରଦାନ ମାମଲା : ସୁପ୍ରିମକୋର୍ଟ ଯାଇପାରେ ଇପିଏଫ୍ଓ
/sambad/media/post_attachments/wp-content/uploads/2019/05/sc-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)