ନୂଆଦିଲ୍ଲୀ : ଶିଳ୍ପପତି ଗୌତମ ଆଦାନିଙ୍କ ସଂସ୍ଥା ଆଦାନି ଗ୍ରୁପ୍ରେ କେବଳ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଓ ଭାରତୀୟ ଜୀବନ ବୀମା ନିଗମ (ଏଲ୍ଆଇସି)ର ନୁହେଁ ଆଉ ଏକ ବଡ଼ ସରକାରୀ ସଂସ୍ଥାର ଟଙ୍କା ମଧ୍ୟ ଲାଗିଛି। ଘରୋଇ କ୍ଷେତ୍ର କର୍ମଚାରୀମାନଙ୍କ ଭବିଷ୍ୟନିଧି ପାଣ୍ଠି ପରିଚାଳନା କରୁଥିବା କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍ଓ)ର ଟଙ୍କା ଆଦାନିଙ୍କ ଦୁଇଟି କଂପାନିରେ ଲାଗିଥିବା ଜଣାପଡ଼ିଛି। ଆଶ୍ଚର୍ଯ୍ୟର ବିଷୟ ହେଉଛି ଆଦାନି ଗ୍ରୁପ୍ ବିରୋଧରେ ଆମେରିକୀୟ ସଂସ୍ଥା ହିଣ୍ଡେନ୍ବର୍ଗ ସେୟାର ମୂଲ୍ୟ ହେରଫେର, ଆକାଉଣ୍ଟିଂ ଜାଲିଆତି ଓ ଜାଲ୍ କଂପାନି ଗଠନ ଭଳି ସଙ୍ଗିନ ଅଭିଯୋଗ ଆଣିଥିବା ସତ୍ତ୍ବେ ଆଦାନିଙ୍କ ଏହି ଦୁଇ କଂପାନିରେ ଇପିଏଫ୍ଓର ନିବେଶ ଜାରି ରହିଛି।
ଇପିଏଫ୍ଓ ନିବେଶ କରିଥିବା ଆଦାନି ଗ୍ରୁପ୍ର ଦୁଇ ସଂସ୍ଥା ହେଉଛି ଆଦାନି ଏଣ୍ଟରପ୍ରାଇଜେସ୍ ଓ ଆଦାନି ପୋର୍ଟସ୍ ଆଣ୍ଡ୍ ଏସ୍ଇଜେଡ୍। ଏହି ଦୁଇ କଂପାନିରେ ଚଳିତ ବର୍ଷ ସେପ୍ଟେମ୍ବର ପର୍ଯ୍ୟନ୍ତ ଇପିଏଫ୍ଓ ନିବେଶ ଜାରି ରଖିବ ବୋଲି ‘ଦି ହିନ୍ଦୁ’ରେ ପ୍ରକାଶ ପାଇଥିବା ଏକ ରିପୋର୍ଟରେ ଉଲ୍ଲେଖ ରହିଛି। ଇପିଏଫ୍ଓ ନିଜ ପାଖରେ ଥିବା ପାଣ୍ଠିର ୧୫ ପ୍ରତିଶତ ରାଶିକୁ ଏନ୍ଏସ୍ଇ ନିଫ୍ଟି ୫୦ ଓ ବିଏସ୍ଇ ସେନ୍ସେକ୍ସର ଏକ୍ସଚେଞ୍ଜ୍ ଟ୍ରେଡେଡ୍ ଫଣ୍ଡ୍ (ଇଟିଏଫ୍)ରେ ନିବେଶ କରିଛି। ଗତବର୍ଷ ମାର୍ଚ୍ଚ ସୁଦ୍ଧା ଇଟିଏଫ୍ରେ ଇପିଏଫ୍ଓର ନିବେଶ ପରିମାଣ ୧.୫୭ ଲକ୍ଷ କୋଟି ଟଙ୍କା ଥିଲା। ୨୦୨୨-୨୩ ଆର୍ଥିକ ବର୍ଷରେ ଏହା ଆଉ ୮,୦୦୦ କୋଟି ଟଙ୍କା ନିବେଶ କରିଛି।
ହିଣ୍ଡେନ୍ବର୍ଗର ଅଭିଯୋଗ ପରେ ଆଦାନି ଗ୍ରୁପ୍ର ଭାବମୂର୍ତ୍ତିକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ଏଭଳି ଏକ କଂପାନିରେ ଇପିଏଫ୍ଓର ନିବେଶ ଅନେକ ପ୍ରଶ୍ନ ସୃଷ୍ଟି କରୁଛି। ଏହି ରିପୋର୍ଟ ଏଭଳି ଏକ ସମୟରେ ଆସିଛି ଯେତେବେଳେ ଏହାର କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ ସୁଧ ବିଷୟରେ ନିଷ୍ପତ୍ତି ନେବା ଲାଗି ବୈଠକ ଆରମ୍ଭ କରିଛି। ଦୁଇଦିନିଆ ବୈଠକରେ ମାନସମନ୍ଥନ କରିବା ପରେ ୨୦୨୨-୨୩ ବର୍ଷ ଲାଗି ସଦସ୍ୟମାନଙ୍କୁ କେତେ ସୁଧ ଦିଆଯିବ ତାହା ଇପିଏଫ୍ଓ ଘୋଷଣା କରିବ। ୨୦୨୧-୨୨ରେ ଇପିଏଫ୍ଓ ୮.୧ ପ୍ରତିଶତ ସୁଧ ଦେଇଛି ଯାହା ଗତ ୪୦ ବର୍ଷ ଭିତରେ ସବୁଠୁ କମ୍। ଶେଷ ଥର ଲାଗି ୧୯୭୭-୭୮ରେ ଇପିଏଫ୍ଓ ୮% ସୁଧ ଦେଇଥିଲା।
ପ୍ରଶ୍ନ କଲେ ରାହୁଲ
ଲୋକସଭା ସଂସଦ ଭାବେ ଅଯୋଗ୍ୟ ଘୋଷିତ ହୋଇଥିବା କଂଗ୍ରେସ ନେତା ରାହୁଲ ଗାନ୍ଧି ଆଜି ପୁଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାରଙ୍କୁ ପ୍ରଶ୍ନ କରିଛନ୍ତି। ଲୋକମାନଙ୍କ ଟଙ୍କାକୁ କାହିଁକି ଆଦାନିଙ୍କ କଂପାନିରେ ନିବେଶ କରାଯାଇଛି ବୋଲି ସେ କହିଛନ୍ତି। ଟ୍ବିଟରେ ସେ ଲେଖିଛନ୍ତି ଯେ ଆଦାନିକୁ ଏଲ୍ଆଇସି ପାଣ୍ଠି, ଆଦାନିକୁ ଷ୍ଟେଟ୍ ବ୍ୟାଙ୍କ ପାଣ୍ଠି, ଇପିଏଫ୍ଓ ପାଣ୍ଠି ବି ଆଦାନିକୁ। ଲୋକମାନଙ୍କ ଅବସରକାଳୀନ ପାଣ୍ଠିକୁ କାହିଁକି ଆଦାନିଙ୍କ କଂପାନିରେ ନିବେଶ କରାଯାଇଛି। ପ୍ରଧାନମନ୍ତ୍ରୀ ମହାଶୟ, ତଦନ୍ତ ନାହିଁ, କି ଜବାବ ବି ନାହିଁ। ତେବେ ଏତେ ଭୟ କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି। ଆଦାନିଙ୍କ ନାମ ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଘେରିବା ଲାଗି ରାହୁଲ କୌଣସି ସୁଯୋଗ ହାତଛଡ଼ା କରନ୍ତି ନାହିଁ।