ନୂଆଦିଲ୍ଲୀ: ବିଭିନ୍ନ ସଂସ୍ଥା ଓ କମ୍ପାନିରେ କାର୍ଯ୍ୟରତ ଅଧିକରୁ ଅଧିକ ଶ୍ରମିକ ଯେଭଳି ସାମାଜିକ ସୁରକ୍ଷା ପରିସରକୁ ଆସିପାରିବେ ସେ ନେଇ ବିଭିନ୍ନ ଶ୍ରମିକ ସଂଘଗୁଡ଼ିକ ଦାବି କରିଆସୁଛନ୍ତି। ଏଭଳି ସ୍ଥିତିରେ କେନ୍ଦ୍ର ସରକାର ଇପିଏଫ୍ଓ(କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ) ଓ ଇଏସ୍ଆଇସି (କର୍ମଚାରୀ ରାଜ୍ୟ ବୀମା ନିଗମ)ର ସଦସ୍ୟମାନଙ୍କ ସର୍ବନିମ୍ନ ବେତନ ସୀମା ୨୫ ହଜାର ଟଙ୍କାକୁ ବୃଦ୍ଧି କରିବା ଲାଗି ବିଚାର କରୁଛନ୍ତି।
ବର୍ତ୍ତମାନ ଇପିଏଫଓର ସୁବିଧା ପାଇବା ପାଇଁ କର୍ମଚାରୀଙ୍କ ମାସିକ ସର୍ବୋଚ୍ଚ ବେତନ ସୀମା ୧୫ ହଜାର ଟଙ୍କା ରହିଛି। ସେହିଭଳି ଇଏସଆଇସି ପାଇଁ ସର୍ବୋଚ୍ଚ ବେତନ ସୀମା ୨୧ ହଜାର ଟଙ୍କା ରଖାଯାଇଛି। ୨୦ ଜଣରୁ ଅଧିକ କର୍ମଚାରୀଙ୍କୁ ନିଯୁକ୍ତି ଦେଇଥିବା ସଂସ୍ଥା ତାହାର କର୍ମଚାରୀଙ୍କୁ ଏହି ସୁବିଧା ପ୍ରଦାନ କରିବା ବାଧ୍ୟତାମୂଳକ। କିନ୍ତୁ ଏହି ବେତନ ସୀମା ଗତ ଅନେକ ବର୍ଷ ହେଲା ସଂଶୋଧନ ହୋଇନାହିଁ। ଇପିଏଫ୍ଓର ବେତନ ସୀମା ଶେଷ ଥର ପାଇଁ ୨୦୧୪ ମସିହାରେ ସଂଶୋଧନ ହୋଇଥିଲା। ସେହିପରି ଇଏସ୍ଆଇସିର ବେତନ ସୀମା ୨୦୧୭ରେ ବଢ଼ିଥିଲା। କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମାସିକ ସର୍ବନିମ୍ନ ବେତନ ୧୮ ହଜାର ଟଙ୍କା। କିନ୍ତୁ ଇପିଏଫ୍ଓରେ ସାମିଲ ହେବା ପାଇଁ ସର୍ବୋଚ୍ଚ ବେତନ ସୀମା ଏହାଠାରୁ କମ୍ ରହିଛି। ତେଣୁ ଏହି ସୀମାକୁ ଯଦି ୨୫ ହଜାର ଟଙ୍କାକୁ ବୃଦ୍ଧି କରାଯାଏ ତା’ହେଲେ ଅଧିକରୁ ଅଧିକ ଶ୍ରମିକ ଏହି ଯୋଜନାରେ ସାମିଲ ହୋଇପାରିବେ। ସେହିଭଳି ଇଏସ୍ଇଆଇ କ୍ଷେତ୍ରରେ ବେତନ ସୀମା ବୃଦ୍ଧି କରାଗଲେ ଅଧିକ ଶ୍ରମିକ ଉପକୃତ ହୋଇପାରନ୍ତେ।
ଭାରତୀୟ ମଜଦୁର ସଂଘ (ବିଏମ୍ଏସ୍) ପକ୍ଷରୁ କେନ୍ଦ୍ର ଶ୍ରମ ମନ୍ତ୍ରୀ ମନସୁଖ ମାଣ୍ଡଭୀୟଙ୍କ ସହିତ ଏ ନେଇ ଆଲୋଚନା ହୋଇଛି। ଦୁଇଟି ଯାକ ଯୋଜନାର ବେତନ ସୀମାକୁ ଦୁଇଗୁଣା କରିବା ପାଇଁ ସଂଘ ଦାବି କରିଥିଲା। ବର୍ତ୍ତମାନ କର୍ମଚାରୀଙ୍କୁ ଏହି ଦୁଇଟି ଯାକ ସାମାଜିକ ସୁରକ୍ଷା ଯୋଜନାରେ ସାମିଲ ପାଇଁ ରହିଥିବା ବେତନ ସୀମା କମ୍ ରହିଛି। ଲୋକଙ୍କ ଆୟ ଏବଂ ଦରଦାମ ବଢ଼ୁଥିବାରୁ ଉକ୍ତ ସୀମାକୁ ବଢ଼ାଇବା ପାଇଁ ମତ ପ୍ରକାଶ ପାଉଛି।