କର୍ମଚାରୀ ସଂଖ୍ୟା, ବେତନ କଟକଣା ହଟାଇବ ଇପିଏଫ୍‌ଓ

ସମସ୍ତ ଅଂଶୀଦାର, ରାଜ୍ୟଙ୍କ ସହ ଆଲୋଚନା

ନୂଆଦିଲ୍ଲୀ : ଅଣ ସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ସବୁ ଲୋକଙ୍କୁ ଏଭଳିକି ସ୍ବାବଲମ୍ବୀ ବ୍ୟକ୍ତିଙ୍କୁ ମଧ୍ୟ ସାମାଜିକ ସୁରକ୍ଷା ପ୍ରଦାନ କରିବା ଉପରେ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍‌ଓ) ବିଚାର କରୁଛି। ସେମାନଙ୍କୁ ଯୋଡ଼ିବା ଲାଗି ଯେଉଁ କଟକଣା ରହିଛି ତାହାକୁ ହଟାଇବା ଉପରେ ବିଚାରବିମର୍ଶ ଆରମ୍ଭ ହୋଇଛି। ବିଭିନ୍ନ ଅଂଶୀଦାରଙ୍କ ସହ ଆଲୋଚନା ପରେ ରାଜ୍ୟଗୁଡ଼ିକ ସହ ଏନେଇ ଇପିଏଫ୍ଓ କଥାବାର୍ତା କରୁଛି। ବର୍ତ୍ତମାନର ନିୟମ ଅନୁସାରେ ଇପିଏଫ୍‌ଓରେ ସାମିଲ ହେବା ଲାଗି ବେତନର ମାସିକ ସୀମା ୧୫ ହଜାର ଟଙ୍କା ରହିଥିବା ବେଳେ ଏବେ ସେହି ସଂସ୍ଥାଗୁଡ଼ିକ ସାମିଲ ହୋଇପାରୁଛନ୍ତି ଯେଉଁଠାରେ ଅତିକମ୍‌ରେ ୨୦ ଜଣ କର୍ମଚାରୀ କାମ କରୁଛନ୍ତି। ସେହି କଟକଣା ବା ନିର୍ଧାରିତ ସୀମାକୁ ଇପିଏଫ୍‌ଓ ହଟାଇବାକୁ ଚାହୁଛି।

ଇପିଏଫ୍‌ ନିୟମ ୧୯୫୨ରେ ରହିଥିବା କଟକଣାକୁ ହଟାଇଲେ ଇପିଏଫ୍‌ଓ ଏହାର ସ୍କିମ୍‌କୁ ସ୍ବାବଲମ୍ବୀ ବ୍ୟକ୍ତିଙ୍କ ପାଖରେ ପହଞ୍ଚାଇପାରିବ। ଅଣ ସଂଗଠିତ କ୍ଷେତ୍ରର ସବୁ କର୍ମଚାରୀ ଓ ଶ୍ରମିକମାନଙ୍କ ପାଖରେ ଏହି ସ୍କିମ୍ ପହଞ୍ଚାଇବା ଲାଗି ଇପିଏଫ୍‌ ନିୟମରେ ସଂଶୋଧନ ଆବଶ୍ୟକ। ଅଧିକ ସଦସ୍ୟ ସାମିଲ ହେଲେ ଇପିଏଫ୍‌ଓ ପାଖରେ ଥିବା ପାଣ୍ଠି ବୃଦ୍ଧି ପାଇବ। ବର୍ତ୍ତମାନ ଏହା ପାଖରେ ୧୨ ଲକ୍ଷ କୋଟି ଟଙ୍କାର ପାଣ୍ଠି ରହିଛି। ବର୍ଦ୍ଧିତ ରାଶିର ୧୫%କୁ ଷ୍ଟକ ବଜାରରେ ନିବେଶ କରାଯାଉଛି। ପାଣ୍ଠି ପରିମାଣ ବଢ଼ିଲେ ଏହା ଷ୍ଟକ ବଜାରର ନିବେଶକୁ ୨୫%କୁ ବଢ଼ାଇ ନିଜର ଆୟ ବୃଦ୍ଧି କରିପାରିବ। ଯାହା ଫଳରେ ସଦସ୍ୟମାନଙ୍କୁ ଏହା ଅଧିକ ସୁଧ ଦେଇପାରିବ। ଇପିଏଫ୍‌ଓ ଏହାର ସଦସ୍ୟମାନଙ୍କୁ ଭବିଷ୍ୟନିଧି ପାଣ୍ଠି ବ୍ୟତୀତ ପେନ୍‌ସନ୍ ଓ ବୀମା ସୁବିଧା ମଧ୍ୟ ପ୍ରଦାନ କରୁଛି।

ସରକାର ଯେଉଁ ସାମାଜିକ ନିରାପତ୍ତା କୋଡ୍ ପ୍ରସ୍ତୁତ କରିଛନ୍ତି ସେଥିରେ ଇପିଏଫ୍‌ଓ ଏବଂ ଇଏସ୍‌ଆଇସିରେ ଆବଶ୍ୟକ ସଂଶୋଧନ କରି ଅଣ ସଂଗଠିତ କ୍ଷେତ୍ରର କର୍ମଚାରୀ, ଡେଲିଭରି ସଦସ୍ୟ ଭାବେ କାମ କରୁଥିବା ଗିଗ୍ କର୍ମଚାରୀ ଏବଂ ଇଣ୍ଟରନେଟ୍ ଓ ମୋବାଇଲ୍ ଆପ୍‌ ଜରିଆରେ ସେବା ଯୋଗାଉଥିବା ସଂସ୍ଥା ପାଇଁ କାମ କରୁଥିବା କର୍ମଚାରୀଙ୍କୁ ସାମିଲ କରିବାକୁ ଯୋଜନା ରଖାଯାଇଛି।

ବର୍ଷର ଯେକୌଣସି ସମୟରେ ଦେଇହେବ ଜୀବନ ପ୍ରମାଣପତ୍ର
ଇପିଏଫ୍‌ଓ ପକ୍ଷରୁ ଏହାର ପେନ୍‌ସନ୍‌ଭୋଗୀମାନଙ୍କୁ କୁହାଯାଇଛି ଯେ ସେମାନେ ବର୍ଷର ଯେ କୌଣସି ସମୟରେ ଅନ୍‌ଲାଇନ୍‌‌ରେ ଲାଇଫ୍ ସାର୍ଟିଫିକେଟ୍ ବା ଜୀବନ ପ୍ରମାଣପତ୍ର ଦାଖଲ କରିପାରିବେ। ସେମାନେ ଯେଉଁ ସାର୍ଟିଫିକେଟ୍‌ ଦାଖଲ କରିବେ ତାହା ଏକ ବର୍ଷ ପର୍ଯ୍ୟନ୍ତ ବୈଧ ରହିବ। ପେନ୍‌ସନ୍‌ଭୋଗୀମାନେ ବ୍ୟାଙ୍କ, ଜନ ସେବା କେନ୍ଦ୍ର, ଡାକଘର, ଡାକ ବ୍ୟାଙ୍କ, ଉମଙ୍ଗ ଆପ୍ ଓ ନିକଟତମ ଇପିଏଫ୍ଓ କାର୍ଯ୍ୟାଳୟରେ ଜୀବନ ପ୍ରମାଣପତ୍ର ଦାଖଲ କରିପାରିବେ। ଏଥିପାଇଁ ଦରକାର ପିପିଓ ନମ୍ବର, ଆଧାର ନମ୍ବର, ବ୍ୟାଙ୍କ ଖାତା ବିବରଣୀ, ଆଧାର ସହ ଲିଙ୍କ୍‌ ହୋଇଥିବା ମୋବାଇଲ୍‌ ନମ୍ବର।

ସମ୍ବନ୍ଧିତ ଖବର