ଇପିଏଫ୍‌ଓ ଦେବ ୮.୧୫% ସୁଧ, ସଦସ୍ୟଙ୍କ ପାଇଁ ଇ-ପାସ୍‌ବୁକ୍‌ ଆରମ୍ଭ

ନୂଆଦିଲ୍ଲୀ : କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍ଓ) ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଏହାର ସଦସ୍ୟମାନଙ୍କୁ ୮.୧୫ ପ୍ରତିଶତ ସୁଧ ପ୍ରଦାନ କରିବ। ଏହା ଦ୍ବାରା ସଂଗଠନର ପ୍ରାୟ ସାଢ଼େ ଛଅ କୋଟି ସଦସ୍ୟ ଉପକୃତ ହେବେ। ଶ୍ରମ ମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡର ଦୁଇ ଦିନିଆ ବୈଠକରେ ବ୍ୟାପକ ଆଲୋଚନା ପରେ ସୁଧକୁ ୮.୧୫%କୁ ବୃଦ୍ଧି କରିବା ଲାଗି ନିଷ୍ପତ୍ତି ନିଆଯାଇଛି। ୨୦୨୧-୨୨ରେ ଇପିଏଫ୍‌ଓ ୮.୧ ପ୍ରତିଶତ ସୁଧ ଦେଇଥିଲା ଯାହା ଗତ ଚାରି ଦଶଦ୍ଧି ଭିତରେ ସର୍ବନିମ୍ନ ଥିଲା। ଶେଷ ଥର ପାଇଁ ୧୯୭୭-୭୮ରେ ଇପିଏଫ୍‌ଓ ସର୍ବନିମ୍ନ ୮ ପ୍ରତିଶତ ସୁଧ ଦେଇଥିଲା। ଏହି ଅବସରରେ ଶ୍ରମ ମନ୍ତ୍ରୀ ଶ୍ରୀ ଯାଦବ ଇପିଏଫ୍‌ଓ ସଦସ୍ୟମାନଙ୍କ ଲାଗି ଇ-ପାସ୍‌ବୁକ୍ ସେବାକୁ ଆରମ୍ଭ କରିଛନ୍ତି। ଏଥି ସହିତ ୧୦୦ରୁ ଅଧିକ କର୍ମଚାରୀ କାମ କରୁଥିବା ୬୩ଟି ଆଞ୍ଚଳିକ କାର୍ଯ୍ୟାଳୟରେ କ୍ରେଚେ ସୁବିଧାକୁ ମଧ୍ୟ ସେ ଆରମ୍ଭ କରିଛନ୍ତି।

ସୁଧ ବଢ଼ାଇବା ଲାଗି ଟ୍ରଷ୍ଟି ବୋର୍ଡ ନେଇଥିବା ନିଷ୍ପତ୍ତିକୁ ଲାଗୁ କରିବା ପାଇଁ ଅର୍ଥ ମନ୍ତ୍ରାଳୟ ନିକଟକୁ ପଠାଯିବ। ମନ୍ତ୍ରାଳୟର ମଞ୍ଜୁରି ମିଳିବା ପରେ ସୁଧକୁ ସଦସ୍ୟଙ୍କ ଖାତାରେ ଜମା କରାଯିବ। ଇପିଏଫ୍‌ଓ ଏହାର ସଦସ୍ୟମାନଙ୍କୁ ୨୦୧୧-୧୨ରେ ୮.୨୫ ପ୍ରତିଶତ, ୨୦୧୨-୧୩ରେ ୮.୫ ପ୍ରତିଶତ, ୨୦୧୩-୧୪ରେ ୮.୭୫ ପ୍ରତିଶତ, ୨୦୧୪-୧୫ରେ ୮.୭୫ ପ୍ରତିଶତ, ୨୦୧୫-୧୬ରେ ୮.୮ ପ୍ରତିଶତ, ୨୦୧୬-୧୭ରେ ୮.୬୫ ପ୍ରତିଶତ ଓ ୨୦୧୭-୧୮ରେ ୮.୫୫ ପ୍ରତିଶତ ସୁଧ ଦେଇଥିଲା।

ଇପିଏଫ୍ଓ କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ ବୈଠକରେ ପେନ୍‌ସନ୍‌କୁ ନେଇ ସୁପ୍ରିମ୍‌କୋର୍ଟ ଦେଇଥିବା ରାୟ ଉପରେ ମଧ୍ୟ ଆଲୋଚନା ହୋଇଥିଲା। ବୈଠକରେ ଏନେଇ ଏକ ଷ୍ଟାଟସ୍‌ ରିପୋର୍ଟ ଉପସ୍ଥାପନ କରାଯାଇଥିଲା। ସୁପ୍ରିମକୋର୍ଟଙ୍କ ରାୟକୁ ସମ୍ପୂର୍ଣ୍ଣ ପାଳନ କରାଯିବ ବୋଲି ଶ୍ରମ ମନ୍ତ୍ରୀ ଶ୍ରୀ ଯାଦବ କହିଛନ୍ତି। ଅଧିକ ପେନ୍‌ସନ୍ ପାଇବା ଲାଗି ଆବେଦନ କରିବାର ସମୟ ସୀମାକୁ ଇପିଏଫ୍‌ଓ ମେ’ ୩କୁ ବୃଦ୍ଧି କରିସାରିଛି। ବୈଠକରେ ଫଣ୍ଡ୍‌ ମ୍ୟାନେଜରଙ୍କ ଅବଧି ବୃଦ୍ଧି ଓ ଏକ୍ସଚେଞ୍ଜ ଟ୍ରେଡେଡ୍‌ ଫଣ୍ଡ୍‌ (ଇଟିଏଫ୍)ରେ ନିବେଶ ସମ୍ପର୍କିତ ନିଷ୍ପତ୍ତି ମଧ୍ୟ ଗ୍ରହଣ କରାଯାଇଛି। ଏନ୍‌ଟିଏ ସହ ଇପିଏଫ୍‌ଓର ଏମ୍‌ଓୟୁକୁ ମଞ୍ଜୁରି ପ୍ରଦାନ କରାଯାଇଛି।

ସମ୍ବନ୍ଧିତ ଖବର