ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍ଓ) ଏହାର ସଦସ୍ୟମାନଙ୍କୁ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ୮.୨୫ ପ୍ରତିଶତ ସୁଧ ଦେବ। ଶ୍ରମମନ୍ତ୍ରୀ ମନସୁଖ ମାଣ୍ଡଭୀୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହାର କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ (ସିବିଟି) ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ୨୦୨୩-୨୪ରେ ମଧ୍ୟ ଏହା ୮.୨୫ ପ୍ରତିଶତ ସୁଧ ଦେଇଥିଲା। ସେହି ସୁଧ ଅପରିବର୍ତ୍ତିତ ରଖିବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ଏହା ଦ୍ବାରା ଇପିଏଫ୍‌ଓର ପ୍ରାୟ ୭ କୋଟି ସଦସ୍ୟ ଉପକୃତ ହେବେ। କେନ୍ଦ୍ର ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ସୁଧର ବିଜ୍ଞପ୍ତି ପ୍ରକାଶ କରିବା ପରେ ତାହାକୁ ସଦସ୍ୟମାନଙ୍କ ଖାତାରେ ଜମା କରାଯିବ। ତେବେ ଗତ କିଛି ବର୍ଷ ହେଲା ସୁଧ ଠିକ୍ ସମୟରେ ସଦସ୍ୟଙ୍କ ଖାତାରେ ଜମା ହେଉ ନଥିବା ଅଭିଯୋଗ ରହିଛି। 

Advertisment

ଗତ କିଛି ବର୍ଷର ସୁଧ ଉପରେ ନଜର ପକାଇଲେ ତାହା ପ୍ରାୟ ଅସ୍ଥିର ରହିଥିବା ଜଣାପଡ଼ୁଛି। ୨୦୧୩-୧୪ ଓ ୨୦୧୪-୧୫ରେ ଇପିଏଫ୍‌ ସୁଧ ୮.୭୫ ପ୍ରତିଶତ ଥିଲା। ୨୦୧୫-୧୬ରେ ତାହା ୮.୮ ପ୍ରତିଶତକୁ ବୃଦ୍ଧି କରାଯାଇଥିଲା। ୨୦୧୮-୧୯ରେ ସଦସ୍ୟମାନଙ୍କୁ ୮.୬୫ ପ୍ରତିଶତର ଉଚ୍ଚା ସୁଧ ଦିଆଯାଇଥିଲା। ୨୦୧୯-୨୦ରେ ତାହା ୮.୫ ପ୍ରତିଶତକୁ ଏବଂ ୨୦୨୧-୨୨ରେ ୮.୧ ପ୍ରତିଶତକୁ ହ୍ରାସ କରାଯାଇଥିଲା। ଏହି ଦୁଇଟି ଆର୍ଥିକ ବର୍ଷ କରୋନା ମହାମାରୀ ଦ୍ବାରା ପ୍ରଭାବିତ ହୋଇଥିଲା। ୨୦୨୨-୨୩ରେ ସୁଧ ହାର ୮.୧୫ ପ୍ରତିଶତ ରହିଥିଲା। ୨୦୨୧-୨୨ର ସୁଧ ବିଗତ ୪୦ ବର୍ଷ ମଧ୍ୟରେ ସର୍ବନିମ୍ନ ଥିଲା। ସୂଚନା‌ ଅନୁଯାୟୀ, ୨୦୨୪-୨୫ରେ ଇପିଏଫ୍‌ଓ ୫.୦୮କୋଟି ଦାବିର ପ୍ରକ୍ରିୟାକରଣ କରି ସଦସ୍ୟମାନଙ୍କୁ ୨.୦୫ ଲକ୍ଷ କୋଟି ଟଙ୍କା ପ୍ରଦାନ କରିଥିଲା। ୨୦୨୩-୨୪ରେ ଏହା ୧.୮୨ ଲକ୍ଷ କୋଟି ଟଙ୍କାର ୪.୪୫ କୋଟି ଦାବିର ପ୍ରକ୍ରିୟାକରଣ କରିଥିଲା। 

ଆଜିର ବୈଠକରେ ଆହୁରି କେତେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। କର୍ମଚାରୀ ଜମା ଲିଙ୍କ୍‌ଡ ବୀମା (ଇଡିଏଲ୍‌ଆଇ) ସ୍କିମ୍‌ର ବିଭିନ୍ନ ସୁବିଧାରେ ଉନ୍ନତି ଅଣାଯାଇଛି। ଚାକିରିରେ ଯୋଗ ଦେବାର ଗୋଟିଏ ବର୍ଷ ମଧ୍ୟ‌ରେ କର୍ମଚାରୀଙ୍କ ଦେହାନ୍ତ ହେଲେ ତାଙ୍କୁ ୫୦ ହଜାର ଟଙ୍କାର ସର୍ବନିମ୍ନ ବୀମା ରାଶି ଦିଆଯିବ। କୌଣସି ସଦସ୍ୟଙ୍କ ମାସିକ ଯୋଗଦାନ ୬ ମାସ ପୂର୍ବରୁ ବନ୍ଦ ହୋଇଥିଲେ ମଧ୍ୟ ତାଙ୍କ ଦେହାନ୍ତ ହେଲେ, ପରିବାରକୁ ବୀମା ରାଶି ପ୍ରଦାନ କରାଯିବ। ସେହିପରି ଗୋଟିଏ ସଂସ୍ଥାରୁ ଚାକିରି ଛାଡ଼ି ଅନ୍ୟ ଏକ ସଂସ୍ଥାରେ ଯୋଗ ଦେବାରେ ଦୁଇ ମାସର ବ୍ୟବଧାନ ରହିଲେ, ତାହାକୁ ଚାକିରି ଜାରି ରହିଥିବା ବିଚାର କରାଯିବ। ଇଡିଏଲ୍‌ଆଇ ସ୍କିମ୍‌ରେ ହୋଇଥିବା ଏହି ପରିବର୍ତ୍ତନଗୁଡ଼ିକ ଦ୍ବାରା ବର୍ଷକୁ ପ୍ରାୟ ୨୦ ହଜାର ଦେହାନ୍ତ ମାମଲାରେ ସଦସ୍ୟମାନେ ଉପକୃତ ହୋଇପାରିବେ।