ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍ଓ) ଚଳିତ ମାସରେ ୨୦୨୦-୨୧ ଆର୍ଥିକ ବର୍ଷର ସୁଧ ଜମା କରିବ। ଏଥର ସଦସ୍ୟମାନଙ୍କୁ ୮.୫ ପ୍ରତିଶତ ସୁଧ ମିଳିବ। କରୋନା ମହାମାରୀ ପ୍ରଭାବ ଯୋଗୁଁ ଆଲୋଚ୍ୟ ଆର୍ଥିକ ବର୍ଷରେ ଜମା ତୁଳନାରେ ଉଠାଣ ଅଧିକ ରହିଥିବାରୁ ଇପିଏଫ୍ଓ ସୁଧ ହାରକୁ ୮.୫%ରେ ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି ନେଇଛି। ଆସନ୍ତା ସପ୍ତାହରେ ସୁଧ ଜମା ହୋଇଯିବ ବୋଲି ଚର୍ଚ୍ଚା ହେଉଛି। ଯେକୌଣସି କାର୍ଯ୍ୟଦିବସରେ ସୁଧ ସଦସ୍ୟଙ୍କ ଖାତାରେ ଜମା କରାଯିବ। ସଦସ୍ୟମାନେ ମିସଡ୍ କଲ୍ କିମ୍ବା ଏସ୍ଏମ୍ଏସ୍ ପଠାଇ ନିଜର ଖାତା ବାଲାନ୍ସ ଜାଣିପାରିବେ।
୨୦୨୦ରେ କରୋନା ମହାମାରୀ ବ୍ୟାପିବା ପରେ ଇପିଏଫ୍ଓ ପକ୍ଷରୁ ୨୦୧୯-୨୦ ଆର୍ଥିକ ବର୍ଷର ସୁଧ ହାରକୁ ୮.୫%କୁ ହ୍ରାସ କରାଯାଇଥିଲା। ଫଳରେ ସୁଧ ସାତ ବର୍ଷର ସର୍ବନିମ୍ନ ସ୍ତରକୁ ଖସିଯାଇଥିଲା। ୨୦୧୮-୧୯ରେ ସୁଧ ହାର ୮.୬୫ ପ୍ରତିଶତ ଥିଲା। ଏହାର ଗୋଟିଏ ବର୍ଷ ପୂର୍ବରୁ (୨୦୧୭-୧୮) ସଦସ୍ୟଙ୍କୁ ୮.୫୫ ପ୍ରତିଶତ ସୁଧ ଦିଆଯାଇଥିଲା। ଖାତା ବାଲାନ୍ସ ଜାଣିବା ଲାଗି ଇପିଏଫ୍ଓ ସଦସ୍ୟମାନେ ୭୭୩୮୨୯୯୮୯୯କୁ ଏସ୍ଏମ୍ଏସ୍ ପଠାଇପାରିବେ। ଏଥିରେ ‘EPFOHO’ ଲେଖିବା ପରେ ସ୍ପେସ୍ ଦେଇ ନିଜର ୟୁଏଏନ୍ ନମ୍ବର ଲେଖିବା ପରେ ପୁଣି ଥରେ ସ୍ପେସ୍ ଦେଇ ENG ଲେଖି ମେସେଜ୍ଟିକୁ ଉପରେ ଦିଆଯାଇଥିବା ନମ୍ବରରେ ଏସ୍ଏମ୍ଏସ୍ କରିବାକୁ ହେବ। ସେହି ମେସେଜ୍ ପାଇବା ପରେ ଇପିଏଫ୍ଓ ତରଫରୁ ଖାତା ବିବରଣୀ ଏସ୍ଏମ୍ଏସ୍ ଜରିଆରେ ପଠାଇ ଦିଆଯିବ। ସେହିପରି, ଇପିଏଫ୍ଓ ପକ୍ଷରୁ ସଦସ୍ୟଙ୍କ ପାଇଁ ମିସଡ୍ କଲ୍ ସେବା ମଧ୍ୟ ପ୍ରଦାନ କରାଯାଉଛି। ସଦସ୍ୟମାନେ ୦୧୧-୨୨୯୦୧୪୦୬ ନମ୍ବରରେ ମିସଡ୍ କଲ୍ ଦେଇ ଖାତା ବିବରଣୀ ହାସଲ କରିପାରିବେ। ଯେଉଁ ମୋବାଇଲ୍ ନମ୍ବର ଇପିଏଫ୍ଓ ଖାତା ସହ ପଞ୍ଜିକୃତ ହୋଇଛି ସେହି ନମ୍ବରକୁ ବ୍ୟବହାର କରି ଉପର ଲିଖିତ ନମ୍ବରରେ ମିସଡ୍ କଲ୍ କଲେ ଖାତା ବିବରଣୀ ମିଳିବ। ଏହି ସେବା ପାଇବା ଲାଗି ଇପିଏଫ୍ଓ ସଦସ୍ୟଙ୍କୁ ୟୁଏଏନ୍ ନମ୍ବର ସିଡ୍ କରିବାକୁ ହେବ ଏବଂ କେୱାଇସି ନିୟମ ମଧ୍ୟ ପାଳନ ହୋଇଥିବା ଦରକାର।
କରୋନା ମହାମାରୀ ପ୍ରଭାବରେ ଅନେକ ଲୋକ ଜୀବିକା ହରାଇଛନ୍ତି। ସେମାନଙ୍କୁ ସାହାଯ୍ୟ କରିବା ଲାଗି ଇପିଏଫ୍ଓ ତରଫରୁ ସଦସ୍ୟମାନଙ୍କୁ ଖାତାରୁ ଆଂଶିକ ଟଙ୍କା ଉଠାଣର ସୁବିଧା ଦିଆଯାଇଥିଲା। ଅନେକ ସଦସ୍ୟ ସେହି ସୁବିଧା ହାସଲ କରିଛନ୍ତି। ଚଳିତ ବର୍ଷ ମହାମାରୀର ଦ୍ବିତୀୟ ଲହରରେ ମଧ୍ୟ ଇପିଏଫ୍ଓ ସେହି ସୁବିଧା ପୁଣି ଥରେ ପ୍ରଦାନ କରିଛି। ସଦସ୍ୟମାନଙ୍କୁ ତିନି ମାସର ମୂଳ ବେତନ କିମ୍ବା ଖାତାରେ ଥିବା ଜମା ରାଶିର ୭୫% ଅଂଶ ମଧ୍ୟରୁ ଯେକୌଣସି ଗୋଟିଏ ବିକଳ୍ପ ଚୟନ କରି ଟଙ୍କା ଉଠାଇବା ଲାଗି ଅନୁମତି ଦିଆଯାଇଛି। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅଧୀନରେ ଏହି ସୁବିଧା ଦିଆଯାଇଛି। ଏଥିପାଇଁ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସ୍କିମ୍ ୧୯୫୨ରେ ସଂଶୋଧନ କରାଯାଇଛି। ଯେଉଁମାନଙ୍କ ଦରମା ୧୫ ହଜାର ଟଙ୍କାରୁ କମ୍ ସେହି ବର୍ଗର ଲୋକମାନେ ନିଜ ଇପିଏଫ୍ଓ ଖାତାରେ ଥିବା ଜମା ରାଶି ଅଧିକ ମାତ୍ରାରେ ଉଠାଇଛନ୍ତି। ମହାମାରୀ ସମ୍ପର୍କିତ ଦାବିଗୁଡ଼ିକର ତ୍ବରିତ ସମାଧାନ ଲାଗି ଇପିଏଫ୍ଓ ପକ୍ଷରୁ ସ୍ବୟଂକ୍ରିୟ ଦାବି ସମାଧାନ ବ୍ୟବସ୍ଥା ଲାଗୁ କରାଯାଇଛି। ସାଧାରଣ ଭାବେ ଯେଉଁ ଦାବିଗୁଡ଼ିକ ସମାଧାନ ଲାଗି ୨୦ ଦିନ ପର୍ଯ୍ୟନ୍ତ ସମୟ ଲାଗୁଥିଲା ତାହା ତିନି ଦିନରେ ଫଇସଲା ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/epfo.jpg)