ଇପିଏଫ୍‌ଓ ଦେବ ସ୍ବାସ୍ଥ୍ୟ ସୁବିଧା: ସେବା ପରିସର ବ୍ୟାପକ କରିବ

ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍ଓ) ଏହାର ସେବା ପରିସରକୁ ବ୍ୟାପକ କରିବା ଲାଗି ଏକ ବଡ଼ ଯୋଜନା ଉପରେ କାମ କରୁଛି। ଭବିଷ୍ୟନିଧି ପାଣ୍ଠି ବ୍ୟତୀତ ସଦସ୍ୟମାନଙ୍କୁ ଏହା ଅନ୍ୟାନ୍ୟ ସାମାଜିକ ସୁରକ୍ଷା ସୁବିଧା ପ୍ରଦାନ କରିବାକୁ ଚାହୁଛି। ଏନେଇ ପ୍ରାରମ୍ଭିକ ଆଲୋଚନା ମଧ୍ୟ ଆରମ୍ଭ ହୋଇଯାଇଛି। ଇପିଏଫ୍‌ଓ ଏହାର ସଦସ୍ୟମାନଙ୍କୁ ପେନ୍‌ସନ୍‌ଠାରୁ ଆରମ୍ଭ କରି ସ୍ବାସ୍ଥ୍ୟ ସେବା, ମାତୃତ୍ବ ସମୟ ପାଇଁ ଏବଂ ଦିବ୍ୟାଙ୍ଗମାନଙ୍କୁ ମିଳୁଥିବା ସୁବିଧା ଦେବାକୁ ଚାହୁଛି।

ଗତ ଅଗଷ୍ଟ ୨୫-୨୬ରେ ଅନୁଷ୍ଠିତ ଜାତୀୟ ଶ୍ରମ ସମ୍ମିଳନୀ ଅବସରରେ ରାଜ୍ୟମାନଙ୍କୁ ଇପିଏଫ୍ଓ ନିଜର ଯେଉଁ ଭିଜନ ୨୦୪୭ ଦସ୍ତାବିଜ ଦେଇଥିଲା ସେଥିରେ ଏହି ଯୋଜନା ବିଷୟରେ ଆଲୋଚନା କରାଯାଇଛି। ଲୋକମାନଙ୍କୁ ବିଭିନ୍ନ ପ୍ରକାର ମୌଳିକ ସେବା ଯୋଗାଇ ଦେବା ଲାଗି ଆନ୍ତର୍ଜାତିକ ଶ୍ରମ ସଂଗଠନ (ଆଇଏଲ୍‌ଓ) ଦେଇଥିବା ପରାମର୍ଶ ଆଧାରରେ ସେହି ଯୋଜନା ପ୍ରସ୍ତୁତ କରାଯାଇଛି। ମୌଳିକ ସାମାଜିକ ସୁରକ୍ଷାର ମ୍ୟାନେଜର ଭାବେ ଇପିଏଫ୍ଓ କାର୍ଯ୍ୟ କରିବାକୁ ଚାହୁଛି। ତାହା ହେଉଛି ଅଣସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକମାନଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ କରିବା ଲାଗି ଜାତୀୟ ସ୍ତରରେ ନିର୍ଧାରଣ କରାଯାଇଥିବା କେତେକ ସମାଧାନ। ସବୁ ନାଗରିକ ଓ ପିଲାମାନଙ୍କ ଲାଗି ତାହା ଲାଗୁ କରିବାକୁ ଆଇଏଲ୍‌ଓ ପରାମର୍ଶ ଦେଇଥିଲେ ମଧ୍ୟ ପ୍ରାରମ୍ଭିକ ପର୍ଯ୍ୟାୟରେ ୪୫ କୋଟି ଲୋକଙ୍କୁ ଏହି ସୁବିଧା ଦେବା ବିଷୟରେ ଇପିଏଫ୍‌ଓ ବିଚାର କରୁଛି। ସେମାନଙ୍କ ମଧ୍ୟରୁ ୯୦ ପ୍ରତିଶତରୁ ଅଧିକ ଲୋକ ଅଣସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି।

ଆଗାମୀ ଦିନରେ ଏହି ଯୋଜନା କିଭଳି କାର୍ଯ୍ୟକାରୀ ହେବ ତାହା ଏବେଠାରୁ ଆକଳନ କରିବା କଷ୍ଟକର ବ୍ୟାପାର। କାରଣ ବର୍ତ୍ତମାନ ପରିସ୍ଥିତିରେ ଏହା କେବଳ ଆଲୋଚନା ସ୍ତରରେ ରହିଛି। ଏହାର ସମ୍ପୂର୍ଣ୍ଣ ରୂପରେଖ ଆସନ୍ତା କିଛି ମାସ ପରେ ଜଣାପଡ଼ିଛି। ଏହି ଯୋଜନାଗୁଡ଼ିକୁ ଲାଗୁ କରିବା ଲାଗି ସଦସ୍ୟମାନେ କେତେ ଟଙ୍କାର ଯୋଗଦାନ ଦେବେ ଓ ସରକାରଙ୍କ ତରଫରୁ କ’ଣ ଯୋଗଦାନ ମିଳିବ ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ। ସେ ବିଷୟରେ ଇପିଏଫ୍‌ଓ ସୂଚନା ଦେବ। ଇପିଏଫ୍‌ଓ ମତରେ ଅଣସଂଗଠିତ କ୍ଷେତ୍ରର ଲୋକମାନଙ୍କ ପାଇଁ ସାମାଜିକ ସୁରକ୍ଷା ଉତ୍ପାଦ ଆଣିବାର ବହୁ ସମ୍ଭାବନା ରହିଛି। ସଂସ୍ଥାର ଆକାର ଓ ମଜୁରି ସୀମା ଯୋଗୁ ବହୁ ଲୋକ ସଂଗଠିତ କ୍ଷେତ୍ରର ସାମାଜିକ ସୁରକ୍ଷା ସୁବିଧା ହାସଲ କରିପାରୁନାହାନ୍ତି। ସେଭଳି ଲୋକମାନଙ୍କ ପାଇଁ ଅଭିନବ ସାମାଜିକ ସୁରକ୍ଷା ଯୋଜନା କାର୍ଯ୍ୟକାରୀ କରିବା ଲାଗି ଇପିଏଫ୍‌ଓ ପାଖରେ ବ୍ୟାପକ ସୁଯୋଗ ରହିଛି।

ସମ୍ବନ୍ଧିତ ଖବର