ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍ଓ) ସଦସ୍ୟମାନଙ୍କ ପେନ୍ସନ୍ରେ ବୃଦ୍ଧି ଆଣିବା ଉପରେ ସରକାର ବିଚାର କରୁଛନ୍ତି। କର୍ମଚାରୀ ପେନ୍ସନ୍ ସ୍କିମ୍ (ଇପିଏସ୍)ରେ ଯୋଡ଼ି ହୋଇଥିବା ସଦସ୍ୟମାନେ ଅବସର ନେବା ପରେ ଯେଭଳି ଅଧିକ ପେନ୍ସନ୍ ପାଇବେ ତାହାକୁ ନେଇ ବିଚାରବିମର୍ଶ ଚାଲିଛି। ବର୍ତ୍ତମାନ ଅଧିକାଂଶ ସଦସ୍ୟଙ୍କ ପେନ୍ସନ୍ ମାସିକ ୩୦୦୦-୪୦୦୦ ଟଙ୍କା ମଧ୍ୟରେ ରହିଛି ଯାହା ବର୍ତ୍ତମାନ ସମୟର ଦରଦାମ୍ ଦୃଷ୍ଟିରୁ ଯଥେଷ୍ଟ ନୁହେଁ। ତେଣୁ ସଦସ୍ୟମାନଙ୍କ ପେନ୍ସନ୍ ବଢ଼ାଇବା ଲାଗି ଏକ ବ୍ୟାପକ ଯୋଜନା ଉପରେ କାମ ଚାଲିଛି। ସେଥିପାଇଁ ଇପିଏସ୍ ସ୍କିମ୍ରେ ବ୍ୟାପକ ପରିବର୍ତ୍ତନ କରାଯିବ। ସଦସ୍ୟମାନେ ପେନ୍ସନ୍ ଲାଗି ନିଜ ଦରମାରୁ ଯେଭଳି ଅଧିକ ଅର୍ଥ ଦେଇପାରିବେ ସେଥିପାଇଁ ବ୍ୟବସ୍ଥା ହେବ। ସଦସ୍ୟମାନେ ଯେଭଳି ନିଜ ପ୍ରକୃତ ଦରମା ଉପରେ ପେନ୍ସନ୍ ଖାତାକୁ ଯୋଗଦାନ ଦେଇପାରିବେ ସେଥିପାଇଁ ଇପିଏସ୍ରେ ପରିବର୍ତ୍ତନ କରିବା ଉପରେ ଶ୍ରମ ମନ୍ତ୍ରଣାଳୟ ବିଚାର କରୁଛି। ଏହା ହେଲେ ସଦସ୍ୟମାନେ ଅଧିକ ପେନ୍ସନ୍ ପାଇପାରିବେ। ଯେଉଁ ସଦସ୍ୟ ପେନ୍ସନ୍ ଖାତାକୁ ଯେତେ ଅଧିକ ଅବଦାନ ଦେବାକୁ ଚାହିବେ ତାହା ଯେଭଳି ଦେଇପାରିବେ ସେଥିପାଇଁ ବ୍ୟବସ୍ଥା ହେବ। ଏହା ଦ୍ବାରା ପେନ୍ସନ୍କୁ ସାର୍ବଜନୀନ କରିବା ଲାଗି ସରକାର ଯେଉଁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି ତାହା ହାସଲ କରିବାର ଯୋଜନା ରହିଛି।
ସଦସ୍ୟ ଦେଇପାରିବେ ଅଧିକ ଅବଦାନ
ଟଙ୍କା ଉଠାଇବାକୁ ମିଳିବ ଏଟିଏମ୍ କାର୍ଡ
ପ୍ରଚଳିତ ନିୟମ ଅନୁସାରେ ଇପିଏଫ୍ଓ ଖାତାରେ କର୍ମଚାରୀଙ୍କ ମୂଳ ଦରମାର ୧୨ ପ୍ରତିଶତ ରାଶି ଜମା ହେଉଛି। ତେବେ ନିଯୁକ୍ତିଦାତା ଦେଉଥିବା ୧୨ ପ୍ରତିଶତ ରାଶିର ୮.୩୩ ପ୍ରତିଶତକୁ ପେନ୍ସନ୍ ଖାତାରେ ଜମା କରାଯାଉଛି। ଏହି ବ୍ୟବସ୍ଥାରେ ଜଣେ ଘରୋଇ କ୍ଷେତ୍ରର କର୍ମଚାରୀ ଯେତେ ଅଧିକ ଦରମା ପାଉଥାନ୍ତୁ ନା କାହିଁକି ତାଙ୍କ ଦରମାକୁ ମାସିକ ୧୫ ହଜାର ଟଙ୍କା ବିଚାର କରି ତାହା ଉପରେ ଇପିଏଫ୍ ଅବଦାନ ରାଶି କଟାଯାଉଛି। ସେଥିପାଇଁ ସଦସ୍ୟମାନଙ୍କୁ ଅଧିକ ପେନ୍ସନ୍ ମିଳିପାରୁନାହିଁ। ନୂଆ ବ୍ୟବସ୍ଥାରେ ସଦସ୍ୟମାନେ ନିଜ ପ୍ରକୃତ ଦରମା ଉପରେ ଅବଦାନ ରାଶି ଦେଇପାରିବେ। ତେବେ ଏହି ଯୋଜନା ଏବେ ପ୍ରାରମ୍ଭିକ ପର୍ଯ୍ୟାୟରେ ରହିଛି। ଏହାର ପୂର୍ଣ୍ଣାଙ୍ଗ ରୂପରେଖ ପ୍ରସ୍ତୁତ କରିବା ଲାଗି ଆହୁରି କିଛି ସମୟ ଲାଗିବ ବୋଲି ଜଣାପଡ଼ିଛି। ଡେଲିଭରି ଏଜେଣ୍ଟ ଭାବେ କାର୍ଯ୍ୟ କରୁଥିବା ଗିଗ୍ କର୍ମଚାରୀଙ୍କୁ ଇପିଏସ୍ ସ୍କିମ୍ରେ ଯୋଡ଼ିବାକୁ ମଧ୍ୟ ସରକାର ଯୋଜନା ରଖିଛନ୍ତି। ସେମାନଙ୍କ ମାସିକ ଆୟର ୧ କିମ୍ବା ୨ ପ୍ରତିଶତ ରାଶିକୁ ଅବଦାନ ରାଶି ଭାବେ ସଂଗ୍ରହ କରାଯିବ।
ଅନ୍ୟ ପକ୍ଷରେ ଇପିଏଫ୍ଓର ସୂଚନା ପ୍ରଯୁକ୍ତି ବ୍ୟବସ୍ଥାକୁ ଆହୁରି ଉନ୍ନତ କରିବା ଉପରେ ମଧ୍ୟ ବିଚାର କରାଯାଉଛି। ଏହାହେଲେ ସଦସ୍ୟମାନେ ଅତି ସହଜରେ ଓ ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରିପାରିବେ। ଦୁଇଟି ପର୍ଯ୍ୟାୟରେ ଏହି ଯୋଜନା କାର୍ଯ୍ୟକାରୀ ହେବ। ପ୍ରଥମ ପର୍ଯ୍ୟାୟରେ ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ୫୦ ପ୍ରତିଶତ ସମସ୍ୟା ସମାଧାନ କରାଯିବ। ଦ୍ବିତୀୟ ପର୍ଯ୍ୟାୟକୁ ୨୦୨୫ ଜୁନ୍ ସୁଦ୍ଧା ଶେଷ କରାଯିବ। ସଦସ୍ୟମାନଙ୍କୁ ଏଟିଏମ୍ କାର୍ଡ ଦେବା ଉପରେ ମଧ୍ୟ ସରକାର ବିଚାର କରୁଛନ୍ତି। ତାହାକୁ ବ୍ୟବହାର କରି ସେମାନେ ନିଜ ପିଏଫ୍ ଖାତାର ୫୦ ପ୍ରତିଶତ ପର୍ଯ୍ୟନ୍ତ ରାଶି ଉଠାଇପାରିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/11/29/7lx4kGoA6Lt1tZgeTv01.jpg)