ନୂଆଦିଲ୍ଲୀ: ଧନୀ ଓ ଗରିବଙ୍କ ଭିତରେ ରହିଥିବା ଅସମାନତା ଦୂର କରିବା ଲାଗି ଧନୀଙ୍କ ଉପରେ ଚଢ଼ା ଟିକସ ଲାଗୁ କରିବା ପାଇଁ ଅର୍ଥନୀତିଜ୍ଞ ଥୋମସ୍ ପିକେଟି ଦେଇଥିବା ପ୍ରସ୍ତାବ ପ୍ରଭାବଶାଳୀ ହୋଇପାରିବନି ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ କହିଛନ୍ତି। ଟିକସ ଜରିଆରେ ସମାନତା ଆଣିବା ଲାଗି ଏକମାତ୍ର ଉପାୟ ହେଉଛି କମ୍ୟୁନିଷ୍ଟ ବିପ୍ଳବ। ଏଥିରେ କିନ୍ତୁ ଦାରିଦ୍ର୍ୟ ଦୂର ହେବ ନାହିଁ। କେବଳ ହିଂସା ହେବ। କୌଣସି ସ୍ଥାୟୀ ସମାଧାନ ମିଳିବନି ବୋଲି ସେ କହିଛନ୍ତି।
ରାଜନ କହିଛନ୍ତି ଯେ ସାରା ବିଶ୍ବରେ ଏଭଳି ଗୋଟିଏ ବି ଦେଶ ନାହିଁ ଯେଉଁଠାରେ ସମ୍ପତ୍ତି ଟିକସ ସଂଗ୍ରହରେ ସଫଳତା ମିଳିଛି। ଯେଉଁ ଦେଶ ଏଭଳି ଟିକସ ଲାଗୁ କରିଛନ୍ତି ସେମାନେ ନଗଣ୍ୟ ରାଶି ସଂଗ୍ରହ କରିପାରିଛନ୍ତି। କେବଳ ରାଜନୈତିକ ଇଚ୍ଛାଶକ୍ତି ବଳରେ ଏଭଳି ନିଷ୍ପତ୍ତି ଲାଗୁ କରାଯାଇପାରିବ ନାହିଁ। କାରଣ ଧନୀକ ଶ୍ରେଣୀର ଲୋକମାନେ ନିଜ ପ୍ରଭାବକୁ ବିସ୍ତାର କରି ଅତି ସହଜରେ ନିୟମ ବଦଳାଇପାରିବେ। ଆମେରିକା ଭଳି ଦେଶ ବହୁ ଉଦ୍ୟମ କରିବା ସତ୍ତ୍ବେ ନାମକୁ ମାତ୍ର ସମ୍ପତ୍ତି ଟିକସ ସଂଗ୍ରହ କରିପାରିଛି ବୋଲି ରାଜନ କହିଛନ୍ତି।
ଧନୀମାନଙ୍କ ଉପରେ ଟିକସ ଲଗାଇବା ବଦଳରେ କ୍ଷୁଦ୍ର ଓ ମଧ୍ୟମ ଶ୍ରେଣୀର ଉଦ୍ୟୋଗ (ଏସ୍ଏମ୍ଇ)ରେ କିଭଳି ଅଧିକ ସୁଯୋଗ ସୃଷ୍ଟି କରାଯାଇପାରିବ, ତାହା ଉପରେ ଧ୍ୟାନ ଦେଲେ ବୈଷମ୍ୟ ଦୂର କରିବାରେ ତାହା ଅଧିକ ଲାଭଦାୟକ ହୋଇପାରିବ। ଏଥିପାଇଁ ଏକ ଦୃଢ଼ ପ୍ରତିଯୋଗିତା ଆୟୋଗ ଆବଶ୍ୟକ। କୌଣସି କ୍ଷେତ୍ରରେ ସୁଯୋଗ କିଛି ନିର୍ଦ୍ଦିଷ୍ଟ ସଂସ୍ଥା କିମ୍ବା ଲୋକଙ୍କ ହାତରେ ରହିଲେ ସମାନତା ମିଳିବା କଷ୍ଟକର ହୋଇପଡ଼ିବ େବାଲି ସେ କହିଛନ୍ତି।