ଭୁବନେଶ୍ବର: ପ୍ରାଚୀନ କାଳରେ ସବୁଠୁ ଧନୀ ଥିଲେ ରାଜା ମହାରାଜାମାନେ। ସେମାନଙ୍କ ସମ୍ପତ୍ତି ମୁଖ୍ୟତଃ ଜମିବାଡ଼ି ଓ ସୁନା ଆକାରରେ ରହୁଥିଲା। କିନ୍ତୁ ଆଜିର ଧନୀମାନଙ୍କ ସମ୍ପତ୍ତି ଭିନ୍ନ ରୂପରେ ରହିଛି। ବିଶ୍ବର ସବୁଠୁ ବଡ଼ ଧନୀ ଏଲନ୍‌ ମସ୍କଙ୍କଠାରୁ ଆରମ୍ଭ କରି ବିଲ୍‌ ଗେଟ୍‌ସ ଓ ୱାରେନ୍ ବଫେଙ୍କ ପର୍ଯ୍ୟନ୍ତ ମହାନ ଧନୀମାନଙ୍କ ସମ୍ପତ୍ତି ଇକ୍ବିଟି ସେୟାର ଆକାରରେ ରହିଛି। ସେମାନେ ଗଠନ କରିଥିବା କିମ୍ବା ନେତୃତ୍ବ ନେଉଥିବା ସଂସ୍ଥାର ଇକ୍ବିଟି ‌ସେୟାର ଭାଗ ଅନୁସାରେ ସେମାନଙ୍କ ସମ୍ପତ୍ତିରେ ହ୍ରାସ ବୃଦ୍ଧି ହେଉଛି। ଯେଉଁମାନେ ସମ୍ପତ୍ତି ବଢ଼ାଇବାକୁ ଚାହୁଛନ୍ତି ସେମାନେ ନିଜ ନିବେଶ ରଣନୀତିରେ ଇକ୍ବିଟି ନିଶ୍ଚିତ ରୂପେ ସାମିଲ କରିବା ଦରକାର ବୋଲି ମିରାଏ ଆସେଟ୍‌ ମ୍ୟୁଚୁଆଲ୍ ଫଣ୍ଡ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ସହକାରୀ ନିର୍ଦ୍ଦେଶକ ସ୍ବରୂପ ମହାନ୍ତି କହିଛନ୍ତି।

Advertisment

ଆଜି ବୁରଗୁଣ୍ଡି ୱେଲ୍‌ଥ ମ୍ୟାନେଜମେଣ୍ଟ୍‌ ଓ ମିରାଏ ଆସେଟ୍‌ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ସେ କହିଛନ୍ତି ଯେ ଦରଦାମ୍‌ର ମୁକାବିଲା କରିପାରୁଥିବା ‌ଆର୍ଥିକ ଉପକରଣରେ ନିବେଶ କରିବା ବୁଦ୍ଧିମାନର ପରିଚୟ। ଆପଣଙ୍କ ନିବେଶ ଯଦି ମୁଦ୍ରାସ୍ଫୀତିର ମୁକାବିଲା କରିପାରୁନାହିଁ, ତେବେ ଆପଣମାନେ ଟଙ୍କା ହରାଉଛନ୍ତି ବୋଲି ସେ ନିବେଶକମାନଙ୍କୁ କହିଛନ୍ତି। ନିବେଶ ଭାବାବେଗର ବିଷୟ ନୁହେଁ, ଏହା ହେଉଛି କେତେ ରିଟର୍ଣ୍ଣ ମିଳିବ ଓ ଗଣିତର ବିଷୟ। ତେଣୁ ନିବେଶ କରିବା ବେଳେ ଭାବକୁ ଗୁରୁତ୍ବ ନଦେଇ ଗଣିତ ଉପରେ ଗୁରୁତ୍ବ ଦେବାକୁ ସେ କହିଛନ୍ତି। ‘୨୦୨୩ ପରବର୍ତ୍ତୀ ସମୟରେ ସମ୍ପତ୍ତି ଗଠନ’ ବିଷୟ ଉପରେ ବକ୍ତବ୍ୟ ରଖି ‌ଶ୍ରୀ ମହାନ୍ତି କହିଛନ୍ତି ଯେ ଭାରତ ଏବେ ବିଶ୍ବର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ହୋଇରହିଛି। ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି) ପରିମାଣ ୩.୭ ଲକ୍ଷ କୋଟି ଡଲାରରେ ପହଞ୍ଚିଛି। ୨୦୩୦ ସୁଦ୍ଧା ତାହା ୬.୩ ଲକ୍ଷ କୋଟି ଟଙ୍କାରୁ ଅଧିକ ହୋଇଯିବ ବୋଲି ଆକଳନ କରାଯାଇଛି। ଭାରତ ଏକ ଟ୍ରିଲିଅନ ଡଲାର ଅର୍ଥନୀତିରେ ପରିଣତ ହେବାକୁ ୫୭ ବର୍ଷ ଲାଗିଥିଲା। କିନ୍ତୁ ଏକରୁ ଦୁଇ ଲକ୍ଷ କୋଟି ଡଲାର ଅର୍ଥନୀତି ହେବା ଲାଗି ମାତ୍ର ୮ ବର୍ଷ ସମୟ ଲାଗିଥିଲା। ୨୦୧୪ରେ ଜିଡିପି ପରିମାଣ ୨ ଲକ୍ଷ କୋଟି ଟଙ୍କା ଥିଲା ଏବେ ତାହା ସାଢ଼େ ତିନି ଲକ୍ଷ କୋଟି ଟଙ୍କାରୁ ଅଧିକ ହୋଇପାରିଛି ବୋଲି ସେ କହିଛନ୍ତି। ୨୦୧୩-୧୯ ମଧ୍ୟରେ ଭିତ୍ତିଭୂମିରେ ୫୭ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ହୋଇଥିଲା। ୨୦୨୦-୨୦୨୫ ମଧ୍ୟରେ ସେଥିରେ ପ୍ରାୟ ଦୁଇ ଗୁଣା ଅଧିକ ଅର୍ଥାତ ୧୧୧ ଲକ୍ଷ କୋଟି ଟଙ୍କା ନିବେଶ ହେବାକୁ ଯାଉଛି। ଭିତ୍ତିଭୂମିରେ ନିବେଶ ଅର୍ଥ ବ୍ୟବସାୟ ବୋଲି ସେ କହିଛନ୍ତି। ଅଭିବୃଦ୍ଧି ଦ୍ରୁତ ଗତିରେ ବଢ଼ିବା, ଲୋକମାନଙ୍କ ହାରାହାରି ବୟସ ୩୩ ବର୍ଷ ରହିବା ଓ ଶ୍ରମ ମୂଲ୍ୟ କମ୍ ରହିବା ଆଦି ଦୃଷ୍ଟିରୁ ଭାରତ ବିଶ୍ବର ଅନ୍ୟ ଦେଶଗୁଡ଼ିକ ତୁଳନାରେ ବହୁତ ଭଲ ସ୍ଥିତିରେ ରହିଛି। ସମ୍ପତ୍ତି ସୃଷ୍ଟି ଲାଗି ଏବେ ଦେଶରେ ଅନୁକୂଳ ସ୍ଥିତି ରହିଛି। ଦ୍ରୁତ ବିକାଶର ଲାଭ ପାଇବାର ଶ୍ରେଷ୍ଠ ଉପାୟ ପୁଞ୍ଜି ବଜାରରେ ନିବେଶ ବୋଲି ସେ କହିଛନ୍ତି।

କୋଭିଡ୍ ପରବର୍ତ୍ତୀ ସମୟରେ ଷ୍ଟକ ବଜାରରେ ଭଲ ପ୍ରଦର୍ଶନ କରୁଥିବା ଷ୍ଟକ୍‌ଗୁଡ଼ିକ ବିଷୟରେ ଆଲୋଚନା କରି ସେ କହିଛନ୍ତି ଯେ ସମସ୍ତେ ଭାବୁଥିଲେ ଫାର୍ମା ଓ ଆଇଟି କଂପାନିର ସେୟାର ଅଧିକ ଚାହିଦାରେ ରହିବ। କିନ୍ତୁ ବାସ୍ତବ ସତ ହେଉଛି ବ୍ୟାଙ୍କ, ଆର୍ଥିକ ସେବା, ଉପଯୋଗିତା ଓ ଧାତବ କଂପାନିର ସେୟାର ଅଧିକ ଚାହିଦାରେ ରହିଛି। ଫାର୍ମା ଓ ଆଇଟି ସେମାନଙ୍କଠାରୁ ପଛୁଆ ଅଛନ୍ତି ବୋଲି ସେ କହିଛନ୍ତି। ନିବେଶକମାନଙ୍କୁ ଆହ୍ବାନ ଦେଇ ସେ କହିଛନ୍ତି ଯେ ନିଜର ଆବଶ୍ୟକତା ଓ ବିପଦ ଗ୍ରହଣ କରିବାର କ୍ଷମତା ଅନୁସାରେ ନିବେଶ ନିଷ୍ପତ୍ତି ନେବା ଦରକାର। ନିବେଶର ଗଣିତକୁ ଭଲ ଭାବେ ବୁଝିବା ଦରକାର। ବୁଝିବିଚାରି ନିବେଶ କଲେ ବହୁତ ଭଲ ରିଟର୍ଣ୍ଣ ମିଳିପାରିବ। ଏହି ଅବସରରେ ଆକ୍ସିସ୍ ବ୍ୟାଙ୍କ ସର୍କଲ୍‌ ମୁଖ୍ୟ ବିପ୍ଳବୀ ପଟ୍ଟନାୟକ, ଇନଭେ‌ଷ୍ଟ୍‌ମେଣ୍ଟ୍‌ କାଉନ୍‌ସିଲ୍‌ ମୁଖ୍ୟ ସିଦ୍ଧାର୍ଥ ବସୁ ଓ ବୁରଗୁଣ୍ଡି ୱେଲ୍‌ଥ ମ୍ୟାନେଜମେଣ୍ଟ୍‌ର ପ୍ରଡକ୍ଟ ହେଡ୍‌ ସୁବର୍ଣ୍ଣା ଭଟ୍ଟାଚାର୍ଜୀ ଓ ବହୁ ନିବେଶକ ଉପସ୍ଥିତ ଥିଲେ।