ଆୟକର ପୋର୍ଟାଲ୍‌ରେ ତ୍ରୁଟି: ଇନ୍‌ଫୋସିସ୍‌କୁ ଅର୍ଥମନ୍ତ୍ରୀଙ୍କ ତାଗିଦ୍‌, ସମୟ ନଷ୍ଟ ନକରି ଶୀଘ୍ର ସମାଧାନ କର

ନୂଆଦିଲ୍ଲୀ: ଚଳିତ ମାସ ୭ ତାରିଖରୁ ଉପଲବ୍ଧ ହୋଇଥିବା ଆୟକର ବିଭାଗର ନୂଆ ପୋର୍ଟାଲ୍‌ରେ ଦେଖାଦେଇଥିବା ତ୍ରୁଟିକୁ ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗଭୀର ଚିନ୍ତା ପ୍ରକଟ କରିଛନ୍ତି। ଏହି ବ୍ୟବସ୍ଥା ବିକଶିତ କରିଥିବା ଆଇଟି କଂପାନି ଇନ୍‌ଫୋସିସ୍‌କୁ ତୁରନ୍ତ ସମସ୍ୟାଗୁଡ଼ିକର ସମାଧାନ କରିବାକୁ ସେ କହିଛନ୍ତି। ଆଉ ସମୟ ନଷ୍ଟ ନକରି ଶୀଘ୍ର ‌ଯେଭଳି ସେବାରେ ଉନ୍ନତି ହୋଇପାରିବ ସେ ଦିଗରେ କାମ କରିବାକୁ ସେ କଂପାନିକୁ କହିଛନ୍ତି। ଆଜି ଏ ସଂକ୍ରାନ୍ତରେ ଇନ୍‌ଫୋସିସ୍ ଓ ଅନ୍ୟ ଅଂଶୀଦାରମାନଙ୍କ ସହ ଆଲୋଚନା ବେଳେ ସେ କହିଛନ୍ତି ଯେ ଟିକସଦାତାଙ୍କ ପାଇଁ ସେବାରେ ଉନ୍ନତି ଆଣିବା ପ୍ରତି ସରକାର ଅଧିକ ଧ୍ୟାନ ଦେଉଛନ୍ତି ଓ ଏଦିଗରେ ଉଦ୍ୟମକୁ ବହୁଗୁଣିତ କରାଯାଇଛି। ଟିକସ ପୋର୍ଟାଲ୍‌କୁ ବ୍ୟବହାରକାରୀମାନଙ୍କ ଲାଗି ଅଧିକ ସହଜ କରିବାକୁ ସେ ଇନ୍‌ଫୋସିସ୍‌କୁ କହିଛନ୍ତି।

ନୂଆ ପୋର୍ଟାଲ୍‌ର ମୁଖ୍ୟ ଲକ୍ଷ୍ୟ ଥିଲା ବ୍ୟବହାରକାରୀଙ୍କ ଅନୁଭୂତିରେ ଉନ୍ନତି ଆଣିବା। କିନ୍ତୁ ସେମାନେ ଅନେକ ସମସ୍ୟା ସାମ୍ନା କରୁଥିବାରୁ ଅର୍ଥମନ୍ତ୍ରୀ ଶ୍ରୀମତୀ ସୀତାରମଣ ଚିନ୍ତା ପ୍ରକଟ କରିଛନ୍ତି। ବୈଠକରେ ଇନ୍‌ଫୋସିସ୍‌ର ସିଇଓ ସଲିଲ୍ ପାରେଖ ଓ ସିଓଓ ପ୍ରବୀଣ ରାଓ କହିଛନ୍ତି ଯେ ଅନେକ ତ୍ରୁଟିର ସମାଧାନ ହୋଇସାରିଲାଣି। ଆଉ ଯେଉଁ କିଛି ସମସ୍ୟା ରହିଛି ତାହା ସପ୍ତାହକ ଭିତରେ ସମାଧାନ ହୋଇଯିବ। ଇ-ପ୍ରୋସିଡିଂ, ଫର୍ମ ୧୫ସିଏ/ ୧୫ ସିବି, ଟିଡିଏସ୍ ଷ୍ଟେଟମେଣ୍ଟ୍, ଡିଏସ୍‌ସି, ଅତୀତର ଆଇଟିଆର୍‌ଗୁଡ଼ିକୁ ଦେଖିବା ଆଦିରେ ଯେଉଁ ସମସ୍ୟା ରହିଛି ତାହାକୁ ନିର୍ଧାରିତ ସମୟ ଭିତରେ ସମାଧାନ କରାଯିବ।

ଆୟକର ବିଭାଗର ନୂଆ ପୋର୍ଟାଲ୍ ସକ୍ରିୟ ହେବା ପରେ ସେଥିରେ ଅନେକ ତ୍ରୁଟି ଦେଖାଦେଇଥିଲା। ଟିକସଦାତାମାନେ ସେ ବିଷୟରେ ସୋସିଆଲ ମିଡିଆରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏବିଷୟରେ ସେମାନେ ଅର୍ଥମନ୍ତ୍ରୀଙ୍କୁ ଟ୍ୟାଗ୍‌ କରିବାକୁ ମଧ୍ୟ ଭୁଲିନଥିଲେ। ସମସ୍ୟାଗୁଡ଼ିକ ବିଷୟ‌ରେ ଜଣାଇବା ଲାଗି ଅଂଶୀଦାରମାନଙ୍କୁ ଅର୍ଥମନ୍ତ୍ରୀ ଆହ୍ବାନ ଦେଇଥିଲେ। ଅନ୍‌ଲାଇନ୍‌ରେ ପ୍ରସ୍ତାବ ମଧ୍ୟ ଆହ୍ବାନ କରାଯାଇଥିଲା। ପ୍ରାୟ ୭୦୦ ଇ-ମେଲ୍ ଜରିଆରେ ଅଂଶୀଦାରମାନେ ୨୦୦୦ରୁ ଅଧିକ ପ୍ରକାର ସମସ୍ୟା ବିଷୟ‌ରେ ଅବଗତ କରିଥିଲେ। ସେଥି ମଧ୍ୟରୁ ୯୦ଟି ସମସ୍ୟା ସ୍ବତନ୍ତ୍ର ଥିଲା।

ସମ୍ବନ୍ଧିତ ଖବର