ନୂଆଦିଲ୍ଲୀ: କର୍ମଚାରୀ ରାଜ୍ୟ ବୀମା ନିଗମ (ଇଏସ୍‌ଆଇସି) ପକ୍ଷରୁ ଦେଶରେ ୨୦ଟି ନୂଆ ମେଡିକାଲ୍ କଲେଜ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। ସେଥିରୁ ଗୋଟିଏ ଓଡ଼ିଶାର ରାଜଧାନୀ ଭୁବନେଶ୍ବରରେ ସ୍ଥାପନ କରାଯିବ। ଏସଂକ୍ରାନ୍ତୀୟ ପ୍ରସ୍ତାବକୁ ମଞ୍ଜୁରି ପ୍ରଦାନ କରାଯାଇଛି ବୋଲି ଶ୍ରମମନ୍ତ୍ରୀ ମନସୁଖ ମାଣ୍ଡଭୀୟ ସୂଚନା ଦେଇଛନ୍ତି। ଆସନ୍ତା ଦୁଇ ବର୍ଷ ମଧ୍ୟରେ ନୂଆ ମେଡିକାଲ୍ କଲେଜଗୁଡ଼ିକୁ ଖୋଲିବାକୁ ଉଦ୍ୟମ କରାଯିବ।

Advertisment

ଇଏସ୍‌ଆଇସି ଏଭଳି ଏକ ସମୟରେ ଅଧିକ ମେଡିକାଲ୍‌ କଲେଜ ଖୋଲିବାକୁ ଯାଉଛି ଯେତେବେଳେ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସା କରିବା ସାଧାରଣ ଲୋକଙ୍କ ପାଇଁ ଅସମ୍ଭବ ହୋଇପଡ଼ିଛି। ନୂଆ ମେଡିକାଲ୍ କଲେଜଗୁଡ଼ିକ ଦ୍ବାରା ନିଗମର ୩.୭୨ କୋଟି ଶ୍ରମିକ ଓ ସେମାନଙ୍କ ପରିବାର ପାଖରେ ସୁଲଭ ମୂଲ୍ୟର ସ୍ବାସ୍ଥ୍ୟସେବା ପହଞ୍ଚିପାରିବ ବୋଲି ଆଶା କରାଯାଉଛି। ନୂତନ ମେଡିକାଲ୍ କଲେଜଗୁଡ଼ିକ ଖୋଲିବା ପରେ ଇଏସ୍‌ଆଇସିର ମେଡିକାଲ୍ କଲେଜ ସଂଖ୍ୟା ୩୧କୁ ବୃଦ୍ଧି ପାଇବ। ସେଥିରୁ ୨୮ଟି କଲେଜକୁ ଇଏସ୍‌ଆଇସି ନିଜେ ପରିଚାଳନା କରିବ ଏବଂ ୩ଟି କଲେଜକୁ ବିଭିନ୍ନ ରାଜ୍ୟ ସରକାରଙ୍କ ସହ ମିଶି ଚଳାଇବ।