ଭୁବନେଶ୍ବର: କର୍ମଚାରୀ ରାଜ୍ୟ ବୀମା ନିଗମ (ଇଏସ୍‌ଆଇସି) ରାଜ୍ୟରେ ୫ଟି ନୂଆ ହସ୍ପିଟାଲ୍‌ ନିର୍ମାଣ କରିବାକୁ ଯୋଜନା ରଖିଛି। ସେଗୁଡ଼ିକୁ ଯାଜପୁରର ଡୁବୁରୀ, ପାରାଦୀପ, ବାଲେଶ୍ବର, ବ୍ରହ୍ମପୁର ଓ ଝାରସୁଗୁଡ଼ାରେ ସ୍ଥାପନ କରାଯିବ। ପ୍ରତି ହସ୍ପିଟାଲ୍‌ରେ ୧୦୦ଟି ଲେଖାଏଁ ଶଯ୍ୟା ରହିବ ବୋଲି ଇଏସ୍‌ଆଇସିର ଆଞ୍ଚଳିକ ନିର୍ଦ୍ଦେଶକ ରୁଦ୍ରଦୀପ ଦତ୍ତା ସୂଚନା ଦେଇଛନ୍ତି। ଏହି ପ୍ରକଳ୍ପଗୁଡ଼ିକ ସମ୍ପର୍କରେ ଅଧିକ ସୂଚନା ଦେଇ ସେ କହିଛନ୍ତି ଯେ ୨୦୨୭-୨୮ ସୁଦ୍ଧା ଡୁବୁରି ହସ୍ପିଟାଲ୍ କାର୍ଯ୍ୟକ୍ଷମ ହେବା ଆଶା କରାଯାଉଛି।

Advertisment

ବାଲେଶ୍ବର ଓ ବ୍ରହ୍ମପୁରରେ ନିର୍ମାଣ କରାଯିବାକୁ ଥିବା ହସ୍ପିଟାଲ୍ ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟା ଚୂଡ଼ାନ୍ତ ପର୍ଯ୍ୟାୟରେ ରହିଛି। ଝାରସୁଗୁଡ଼ା ହସ୍ପିଟାଲ୍‌ ପାଇଁ ଜମି ଅଧିଗ୍ରହଣ କରାଯାଇଛି। ପାରାଦୀପ ପ୍ରକଳ୍ପ ପାଇଁ ଜମି ସନ୍ଧାନ କରାଯାଉଥିବା ସେ କହିଛନ୍ତି। ରାଜ୍ୟରେ ନୂଆ ଇଏସ୍‌ଆଇସି ମେଡିକାଲ୍ କଲେଜ ସମ୍ଭାବନା ସମ୍ପର୍କରେ ସେ ଜଣାଇଛନ୍ତି ଯେ ୧୫୦ ଶଯ୍ୟାର ହସ୍ପିଟାଲ୍ ସହିତ ମେଡିକାଲ୍ କଲେଜ ସ୍ଥାପନ କରିବା ଲାଗି ଅନ୍ଧାରୁଆରେ ୨୫ ଏକର ଜମି ଚିହ୍ନଟ ହୋଇଛି। ରାଜ୍ୟ ସରକାର ‌ଏଥିପାଇଁ ଦେଇଥିବା ପ୍ରସ୍ତାବ କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ ଅଧୀନରେ ବିଚାରାଧୀନ ରହିଛି। 

ପ୍ରତି ହସ୍ପିଟାଲ୍‌ରେ ୧୦୦ ଶଯ୍ୟା
ମେଡିକାଲ୍‌ କଲେଜ ପ୍ରସ୍ତାବ ବିଚାରାଧୀନ
ରାଜ୍ୟରେ ବୀମାଭୁକ୍ତ କର୍ମଚାରୀ ସଂଖ୍ୟା ୧୫ ଲକ୍ଷ ଟପିବ

ଏହି ଅବସରରେ ଇଏସ୍‌ଆଇସି ଆଞ୍ଚଳିକ କାର୍ଯ୍ୟାଳୟରେ ସ୍ପ୍ରି-୨୦୨୫ ଓ ସର୍ବକ୍ଷମା ‌ଯୋଜନା ସମ୍ପର୍କରେ ଆଲୋଚନା ହୋଇଥିଲା। ଏଥିରେ ଯୋଗଦେଇ ବୀମା କମିସନର (ପୂର୍ବ, ଉତ୍ତର-ପୂର୍ବ ଜୋନ୍‌) ପ୍ରଣୟ ସିହ୍ନା କହିଥିଲେ ଯେ ରାଜ୍ୟରେ ଇଏସ୍‌ଆଇସି ଅଧୀନରେ ୩୦ ହଜାରରୁ ଅଧିକ ସଂସ୍ଥା ଓ ୧୦ ଲକ୍ଷରୁ ଅଧିକ ବୀମାଭୁକ୍ତ କର୍ମଚାରୀ ରହିଛନ୍ତି। ସ୍କ୍ରି-୨୦୨୫ ଯୋଜନାରେ ଜୁଲାଇ ମାସରେ ୫୧୯ ନୂଆ ସଂସ୍ଥା ଓ ୪୩ ହଜାର ନୂଆ କର୍ମଚାରୀ ଯୋଡ଼ିହୋଇଛନ୍ତି। ଚଳିତ ବର୍ଷ ଡିସେମ୍ବର ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଯୋଜନା ଅଧୀନରେ ରାଜ୍ୟରେ ବୀମାଭୁକ୍ତ କର୍ମଚାରୀ ସଂଖ୍ୟା ୧୫ ଲକ୍ଷରୁ ଅଧିକ ହେବ ବୋଲି ସେ ଆଶା ପ୍ରକଟ କରିଛନ୍ତି। ସେମାନଙ୍କ ସଂଖ୍ୟା ବଢ଼ିଲେ ରାଜ୍ୟକୁ ଅଧିକ ପାଣ୍ଠି ମିଳିପାରିବ ଏବଂ ହସ୍ପିଟାଲ୍‌ ସଂଖ୍ୟା ବଢ଼ିବ ବୋଲି ସେ କହିଛନ୍ତି।

ବୀମାଭୁକ୍ତ ହୋଇନଥିବା ସଂସ୍ଥା ଓ କର୍ମଚାରୀଙ୍କୁ ଏହି ଅଭିଯାନରେ ଯୋଡ଼ି ହୋଇ ପଞ୍ଜୀକରଣ କରିବାକୁ ସେ ଆହ୍ବାନ ଦେଇଛନ୍ତି। ରାଜକ୍ଷମା ଯୋଜନା-୨୦୨୫ ସମ୍ପର୍କରେ ସେ କହିଛନ୍ତି ଯେ କୋର୍ଟରେ ଚାଲିଥିବା ମାମଲାଗୁଡ଼ିକୁ କୋର୍ଟ ବାହାରେ ସମାଧାନ କରିବା ହେଉଛି ଏହି ଯୋଜନାର ଲକ୍ଷ୍ୟ। ଏହି ଏକ ବର୍ଷିଆ ଯୋଜନାର ଲାଭ ଉଠାଇବା ଲାଗି ସେ ସଂସ୍ଥା ଓ କର୍ମଚାରୀମାନଙ୍କୁ ଆହ୍ବାନ ଦେଇଛନ୍ତି। ଏହି ଅବସରରେ ଇଏସ୍‌ଆଇସିର ଯୁଗ୍ମ ନିର୍ଦ୍ଦେଶକ ମହେନ୍ଦ୍ର ଭୋଇ ଉପସ୍ଥିତ ଥିଲେ।