ଏସାର ଷ୍ଟିଲ୍‌ ମାମଲାରେ ନାଟକୀୟ ମୋଡ଼, ଶେଷ ମୁହୂର୍ତରେ ଅଫର ଦେଲେ ପ୍ରମୋଟର

କହିଲେ ସବୁ ଋଣ ଶୁଝିଦେବୁ, ଅଫରକୁ ଆର୍ସେଲର ମିତ୍ତଲର ବିରୋଧ

ନୂଆଦିଲ୍ଲୀ: ଇନ୍‌ସଲ୍‌ଭେନ୍ସି ଆଣ୍ଡ୍‌ ବ୍ୟାଙ୍କରପ୍‌ସି କୋଡ୍‌ (ଆଇବିସି) ଆଇନ ଅନୁଯାୟୀ ଦେବାଳିଆ ଘୋଷିତ ହୋଇଥିବା ଏସାର ଷ୍ଟିଲ୍ ମାମଲାରେ ନାଟକୀୟ ମୋଡ଼ ଦେଖିବାକୁ ମିଳିଛି। ଏସାର ଷ୍ଟିଲ୍‌କୁ ନିଲାମ କରାଯାଉଥିଲା ଓ ଏଥିପାଇଁ ଆର୍ସେଲର୍‌ ମିତ୍ତଲ ସବୁଠୁ ଅଧିକ ମୂଲ୍ୟର ବିଡ୍‌ ଦାଖଲ କରିଥିଲା। ନିଲାମ ପ୍ରକ୍ରିୟା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଏସାର ଷ୍ଟିଲ୍‌କୁ ବଞ୍ଚାଇବା ପାଇଁ ଏହାର ପ୍ରମୋଟର ରୁଇୟା ଭ୍ରାତାଙ୍କ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଏତେ ଦିନ ଚୁପ୍ ରହିବା ପରେ ହଠାତ୍‌ କଂପାନିର ପ୍ରମୋଟର କହିଛନ୍ତି ଯେ ଆମେ ସବୁ ସଂସ୍ଥାର ଋଣ ଶୁଝିଦେବୁ। ‌ଇନ୍‌ସଲ୍‌ଭେନ୍ସି ପ୍ରକ୍ରିୟାରୁ ଏସାର ଷ୍ଟିଲ୍‌କୁ ମୁକ୍ତ କରିବାକୁ ସେମାନେ ଅନୁରୋଧ କରିଛନ୍ତି।କଂପାନି ଉପରେ ବକେୟା ଥିବା ୫୪,୩୮୯ କୋଟି ଟଙ୍କାର ଋଣକୁ ପରିଶୋଧ କରିବାକୁ ଏସାର ଷ୍ଟିଲ୍‌ର ଅଂଶଧନକାରୀମାନେ ଋଣ ପ୍ରଦାନକାରୀ କମିଟିକୁ ପ୍ରସ୍ତାବ ଦେଇଛନ୍ତି। ଆଇବିସିର ଧାରା ୧୨ଏ ଅନୁଯାୟୀ ସେମାନେ ଏହି ପ୍ରସ୍ତାବ ଦେଇଛନ୍ତି। ତେବେ ଏସାର୍‌ ପ୍ରମୋଟରଙ୍କ ଏହି ଅଫରକୁ ଆର୍ସେଲର ମିତ୍ତଲ ତୀବ୍ର ବିରୋଧ କରିଛି। କୌଣସି ପରିସ୍ଥିତିରେ ଏସାର ଷ୍ଟିଲ୍‌କୁ ଇନ୍‌ସଲ୍‌ଭେନ୍ସି ପ୍ରକ୍ରିୟାରୁ ମୁକ୍ତ କରାଯାଇପାରିବ ନାହିଁ ବୋଲି ‌ଆର୍ସେଲର ମିତ୍ତଲ କହିଛି। ଆଇବିସି ଆଇନରେ ସେଭଳି ବ୍ୟବସ୍ଥା ନାହିଁ ବୋଲି କଂପାନି କହିଛି। ଏସାର ଷ୍ଟିଲ୍‌କୁ ଅଧିଗ୍ରହଣ କରିବା ପାଇଁ ଆର୍ସେଲର୍‌ ମିତ୍ତଲ ବହୁତ ଉଦ୍ୟମ କରିଛି। ପ୍ରଥମେ କଂପାନି ଯେଉଁ ବିଡ୍‌ ଦେଇଥିଲା ତାହାକୁ ରଦ୍ଦ କରିଦିଆଯାଇଥିଲା। ଉତ୍ତମ ଗାଲ୍‌ଭା ଷ୍ଟିଲ୍‌ ଓ କେଏସ୍‌ଏସ୍ ପେଟ୍ରୋନ୍‌ର ୭୪୬୯ କୋଟି ଟଙ୍କା ବକେୟା ରଖିଥିବାରୁ ଆର୍ସେଲର ମିତ୍ତଲକୁ ଅଯୋଗ୍ୟ ଘୋଷଣା କରାଯାଇଥିଲା। ଏହା ପରେ କୌଣସି ମତେ ଟଙ୍କା ଯୋଗାଡ଼ କରି ଆର୍ସେଲର ମିତ୍ତଲ ଏହି ଦୁଇ ସଂସ୍ଥାର ସବୁ ବକେୟା ଶୁଝି ଦେଇଥିଲା। ନିକଟରେ ଏହା ପୁଣି ଥରେ ୪୨ ହଜାର ‌େକାଟି ଟଙ୍କାର ବିଡ୍‌ ଦାଖଲ କରିଥିଲା। ତାହାକୁ ସର୍ବୋଚ୍ଚ ବିଡ୍‌ ଘୋଷଣା କରାଯାଇଛି। ଆର୍ସେଲର ମିତ୍ତଲ ହାତରୁ ଏସାର ଷ୍ଟିଲ ଖସିଯିବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି।

ସମ୍ପୂର୍ଣ୍ଣ ଘଟଣାଟି କ’ଣ?
ବ୍ୟାଙ୍କଗୁଡ଼ିକ ଠାରୁ କୋଟି କୋଟି ଟଙ୍କାର ଋଣ ନେଇ ପରିଶୋଧ କରୁନଥିବା ୧୨ଟି ସଂସ୍ଥାର ଇନ୍‌ସଲ୍‌ଭେନ୍ସି ବିଚାର କରିବା ପାଇଁ ୨୦୧୭ ଜୁନ୍‌ରେ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ବ୍ୟାଙ୍କଗୁଡ଼ିକୁ ନିର୍ଦେଶ ଦିଆଯାଇଥିଲା। ସେହି ୧୨ ସଂସ୍ଥା ମଧ୍ୟରୁ ଗୋଟିଏ ହେଉଛି ଏସାର ଷ୍ଟିଲ୍। କଂପାନି ଉପରେ ବ୍ୟାଙ୍କଗୁଡ଼ିକର ୩୯,୩୯୪ କୋଟି ଟଙ୍କା ଓ କଂପାନି ପରିଚାଳନା ପାଇଁ ଋଣ ଦେଉଥିବା ସଂସ୍ଥାଗୁଡ଼ିକର ୫୦୦୦ କୋଟି ଟଙ୍କା ବକେୟା ଅଛି। ୨୦୧୭ ଜୁଲାଇରେ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ନେତୃତ୍ବରେ ଏସାର ଷ୍ଟିଲ୍‌କୁ ଋଣ ଦେଇଥିବା ଅନ୍ୟ ବ୍ୟାଙ୍କଗୁଡ଼ିକ କଂପାନିକୁ ଦେବାଳିଆ ଘୋଷଣା କରିବାକୁ ଜାତୀୟ କଂପାନି ଲ’ ଟ୍ରିବ୍ୟୁନାଲ୍‌ରେ ଆବେଦନ କରିଥିଲେ। ସେହିବର୍ଷ ଅଗଷ୍ଟ ମାସରେ ମାମଲାକୁ ଟ୍ରିବ୍ୟୁନାଲ୍ ବିଚାର ପାଇଁ ଗ୍ରହଣ କରିଥିଲେ। ଏସାର ଷ୍ଟିଲ୍‌କୁ ନିଲାମ କରି ବ୍ୟାଙ୍କଗୁଡ଼ିକର ଋଣ ଅର୍ଥ ଆଦାୟ କରିବାକୁ ଉଦ୍ୟମ ଆରମ୍ଭ କରାଯାଇଥିଲା। ଏସାର ଷ୍ଟିଲ୍‌କୁ ପାଇବା ପାଇଁ ଆର୍ସେଲର ମିତ୍ତଲ, ଅନିଲ ଅଗ୍ରୱାଲ୍‌ଙ୍କ ବେଦାନ୍ତ ଓ ରୁଷିଆର ଭିଟିବି ବ୍ୟାଙ୍କ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ଚାଲିଥିବା ବେଳେ ଆର୍ସେଲର ମିତ୍ତଲ ଆଗୁଆ ଅଛି।

ସମ୍ବନ୍ଧିତ ଖବର