ନୂଆଦିଲ୍ଲୀ : ଏପ୍ରିଲ୍ରୁ ବହୁ ଅତ୍ୟାବଶ୍ୟକ ଔଷଧ ମହଙ୍ଗା ହେବ। ଔଷଧ ମୂଲ୍ୟକୁ ପାଇକାରୀ ମୂଲ୍ୟ ସୂଚୀ (ଡବ୍ଲୁପିଆଇ) ସହ ଯୋଡ଼ାଯାଇଛି। ଜାତୀୟ ଫାର୍ମା ମୂଲ୍ୟ କର୍ତ୍ତୃପକ୍ଷ (ଏନ୍ପିପିଆଇ) ୨୦୨୨ ପାଇଁ ଏହି ସୂଚୀ ୧୨.୧୨ ପ୍ରତିଶତ ବୋଲି ନିର୍ଧାରଣ କରିଛି। ସେହି ସୂଚୀର ବିଜ୍ଞପ୍ତି ଜାରି ହେବା ପରେ ଔଷଧ କଂପାନିଗୁଡ଼ିକ ଦାମ୍ ବଢ଼ାଇବେ। ଅତ୍ୟାବଶ୍ୟକ ଔଷଧର ଜାତୀୟ ତାଲିକା (ଏନ୍ଏଲ୍ଇଏମ୍)ରେ ସାମିଲ ଥିବା ଔଷଧଗୁଡ଼ିକର ଦାମ୍ ପାଇକାରୀ ମୂଲ୍ୟ ସୂଚୀ ଅନୁସାରେ ବୃଦ୍ଧି ପାଇବ।
ଅତ୍ୟାବଶ୍ୟକ ଔଷଧ ତାଲିକାରେ ୨୭ ପ୍ରକାର ବର୍ଗରେ ୯୦୦ରୁ ଅଧିକ ଔଷଧ ରହିଛି। ଏଥିରେ ଆଣ୍ଟିବାୟୋଟିକ୍ଠାରୁ ଆରମ୍ଭ କରି ଅଣ-ସଂକ୍ରମଣ, ଡାଇବେଟିସ୍, କ୍ୟାନସର ଓ ଶ୍ବାସ ଜନିତ ରୋଗର ଔଷଧ ସହିତ କିଛି ମେଡିକାଲ୍ ଡିଭାଇସ୍ ବି ରହିଛି। ସ୍ଥାନୀୟ ବଜାରରେ ବିକ୍ରି ହେଉଥିବା ୨୦ ପ୍ରତିଶତ ଔଷଧ ଏହି ତାଲିକାରେ ରହିଛି। ଅତ୍ୟାବଶ୍ୟକ ଔଷଧ ମୂଲ୍ୟରେ ଏଭଳି ବଡ଼ ଧରଣର ବୃଦ୍ଧି ହେବାକୁ ଯାଉଥିବାରୁ ବିଭିନ୍ନ ମହଲ ଚିନ୍ତା ପ୍ରକଟ କରିଛନ୍ତି। ବର୍ଷକ ଭିତରେ ଦାମ୍ରେ ଏତେ ବୃଦ୍ଧିକୁ ସହଜରେ ଗ୍ରହଣ କରାଯାଇପାରୁନାହିଁ। ନିୟନ୍ତ୍ରଣ ବାହାରେ ଥିବା ଔଷଧ ମୂଲ୍ୟରେ ବାର୍ଷିକ ୧୦ ପ୍ରତିଶତ ବୃଦ୍ଧି କରିବା ଲାଗି ଅନୁମତି ଦିଆଯାଇଥିବା ବେଳେ ନିୟନ୍ତ୍ରଣାଧୀନ ଔଷଧ ମୂଲ୍ୟରେ ତା’ଠାରୁ ଅଧିକ ବୃଦ୍ଧି ଚିନ୍ତାର କାଣର ହୋଇଛି।
ଗତବର୍ଷ ପାଇକାରୀ ମୂଲ୍ୟ ସୂଚୀ ଅନୁସାରେ ଔଷଧ ଦାମ୍ ୧୦ ପ୍ରତିଶତ ବଢ଼ାଇବାକୁ ଅନୁମତି ଦିଆଯାଇଥିଲା। କିନ୍ତୁ କଂପାନିଗୁଡ଼ିକ ଦାମ୍ରେ ୨-୫ ପ୍ରତିଶତ ବୃଦ୍ଧି କରିଥିଲେ। ଔଷଧ ପ୍ରସ୍ତୁତିରେ ବ୍ୟବହାର ହେଉଥିବା କଞ୍ଚାମାଲ ଦାମ୍ ବଢ଼ୁଥିବାରୁ ଚୂଡ଼ାନ୍ତ ଉତ୍ପାଦର ଦାମ୍ ବଢ଼ାଇବା ଜରୁରୀ ହୋଇପଡ଼ିଛି। ଏଥର କିନ୍ତୁ ଔଷଧ ମୂଲ୍ୟରେ ୧୨ ପ୍ରତିଶତ ଭଳି ବୃଦ୍ଧିକୁ ରୋକିବା ଲାଗି ସ୍ବାସ୍ଥ୍ୟ ମନ୍ତ୍ରାଳୟ ହସ୍ତକ୍ଷେପ କରୁ ବୋଲି ବିଭିନ୍ନ ମହଲ ଦାବି କରିଛନ୍ତି। ଯଦି ତାହା ହେବ ତେବେ କଂପାନିଙ୍କ ଦୃଷ୍ଟିରୁ ଏକ ଖରାପ ଧାରା ଆରମ୍ଭ ହେବ ବୋଲି କୁହାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/medicine.jpg)