ନିତି ଆୟୋଗ ଉପାଧ୍ୟକ୍ଷଙ୍କ ଆକଳନ: ଅଭିବୃଦ୍ଧି ୧୦%ରୁ ଅଧିକ ରହିବ

ନୂଆଦିଲ୍ଲୀ: ଚଳିତ ଆର୍ଥିକ ବର୍ଷରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ୧୦ ପ୍ରତିଶତରୁ ଅଧିକ ରହିବ। ଏହି ଆକଳନ କରିଛନ୍ତି ନିତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର। ରେକର୍ଡ ଖରିଫ ଫସଲ ଏବଂ ଭଲ ରବି ଫସଲ ଯୋଗୁ ଅର୍ଥନୀତିରେ ଏଭଳି ବୃଦ୍ଧି ଦେଖାଦେବ ବୋଲି ସେ କହିଛନ୍ତି। ତେବେ ମୁଦ୍ରାସ୍ଫୀତି ଉଚ୍ଚସ୍ତରରେ ରହିବା କାରଣରୁ ବିଶ୍ବ ଅର୍ଥନୀତିରେ ଯେଉଁ ସୁଧାର ଆସୁଛି ସେଥିରେ ନିରନ୍ତରତା ବଜାୟ ରହିବା ନେଇ ସେ ଆଶଙ୍କା ପ୍ରକଟ କରିଛନ୍ତି।

ଭାରତର ଅଭିବୃଦ୍ଧି ୧୦ ପ୍ରତିଶତ ଉପରେ ରହିବା ସହିତ ଗ୍ରାମାଞ୍ଚଳରେ ଚାହିଦା ବୃଦ୍ଧି ଘଟିବ ଏବଂ ମାନୁଫାକ୍‌ଚରିଂ କ୍ଷେତ୍ରରେ ସୁଧାରକୁ ଏହା ତ୍ବରାନ୍ବିତ କରିବ ବୋଲି ନିତି ଆୟୋଗର ନ୍ୟୁଜଲେଟର ‘ଅର୍ଥନୀତି’ରେ ରାଜୀବ କୁମାର ଏହା ଲେଖିଛନ୍ତି। କୁମାରଙ୍କ କହିବାନୁଯାୟୀ, ରପ୍ତାନି ବଢ଼ିବା ଦ୍ବାରା ଅର୍ଥନୈତିକ ଅଭିବୃଦ୍ଧି ଏବଂ ନିଯୁକ୍ତି ସୃଷ୍ଟି ଅଧିକ ମାତ୍ରାରେ ହେବ। ଅକ୍ଟୋବର ୨୧ ତାରିଖରେ ଭାରତରେ ୧୦୦ କୋଟି କରୋନା ଟିକା ଲୋକଙ୍କୁ ଦିଆଯାଇଛି। ସେପ୍ଟେମ୍ବର ମାସରେ ଭାରତର ଅର୍ଥନୈତିକ ସୁଧାର ଭଲ ରହିଛି। ବିଜୁଳି ବ୍ୟୟ ଠାରୁ ଆରମ୍ଭ କରି ରେଳରେ ମାଲ ପରିବହନ, ଜିଏସ୍‌ଟି ଆଦାୟ, ଇ-ୱେ ବିଲ୍ ଆଦି ପ୍ରମୁଖ ସୂଚକ ଗୁଡ଼ିକରୁ ଏହାର ସୂଚନା ମିଳିଛି। ସେହିଭଳି ରପ୍ତାନି ଓ ଆମଦାନିରେ ମଧ୍ୟ ଉଲ୍ଲେଖନୀୟ ବୃଦ୍ଧି ପରିଲକ୍ଷିତ ହୋଇଛି। ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଟିକସ ଆଦାୟ ବୃଦ୍ଧିରେ ଯେଉଁ ଧାରା ଦେଖାଦେଇଛି ତାହା ସରକାରଙ୍କୁ ବିତ୍ତୀୟ କ୍ଷେତ୍ରରେ ସହାୟକ ହୋଇଛି। ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି ପକ୍ଷରୁ ୨୦୨୧ରେ ବିଶ୍ବର ଜିଡିପି ଅଭିବୃଦ୍ଧି ୫.୯ ପ୍ରତିଶତ ରହିବ ବୋଲି କୁହାଯାଇଛି।

ବିକଶିତ ଦେଶଗୁଡ଼ିକର ଅଭିବୃଦ୍ଧି ୫.୨ ପ୍ରତିଶତ ଏବଂ ଉଦୀୟମାନ ଅର୍ଥନୀତିର ଅଭିବୃଦ୍ଧି ୬.୪ ପ୍ରତିଶତ ରହିବ ବୋଲି ଆଶା ରହିଛି। ଆମେରିକା ଏବଂ ଚୀନର ଅଭିବୃଦ୍ଧି ଯଥାକ୍ରମ‌େ ୬ ଏବଂ ୮ ପ୍ରତିଶତ ରହିବ। ତେବେ ବିଶ୍ବରେ କରୋନା ମହାମାରୀ ପରିଚାଳନା ପାଇଁ ସରକାରମାନଙ୍କୁ ବିପୁଳ ପରିମାଣର ଋଣ କରିବାକୁ ପଡ଼ିଛି। ଏଥିପାଇଁ ୨୦୨୦ରେ ବିଶ୍ବର ଋଣ ପରିମାଣ ରେକର୍ଡ ୨୨୬ ଲକ୍ଷ କୋଟି ଆମେରିକୀୟ ଡଲାରକୁ ବୃଦ୍ଧି ଘଟିଛି। ପୂର୍ବବର୍ଷ ତୁଳନାରେ ଋଣ ପରିମାଣରେ ୨୭ ଲକ୍ଷ କୋଟି ଆମେରିକୀୟ ଡଲାର ବୃଦ୍ଧି ଘଟିଛି।

ଉଲ୍ଲେଖଯୋଗ୍ୟ, ପୂର୍ବରୁ ଭାରତର ଅଭିବୃଦ୍ଧି ୧୦.୫ ପ୍ରତିଶତ ରହିବ ବୋଲି ରିଜର୍ଭ ବ୍ୟାଙ୍କ ଆକଳନ କରିଥିବାବେଳେ ପରେ ଏହାକୁ ୯.୫ ପ୍ରତିଶତକୁ ହ୍ରାସ କରିଛି। ସେହିଭଳି ୨୦୨୧ରେ ୯.୫ ପ୍ରତିଶତ ଏବଂ ୨୦୨୨ରେ ୮.୫ ପ୍ରତିଶତ ଅଭିବୃଦ୍ଧି ଭାରତ ହାସଲ କରିବ ବୋଲି ଆଇଏମ୍‌ଏଫ୍‌ ଆକଳନ କରିଛି।

ସମ୍ବନ୍ଧିତ ଖବର