ଇଟିଏଫ୍‌ର ବଜାର ମୂଲ୍ୟ ୮୭ ହଜାର କୋଟି ଟପିଲା

ଭୁବନେଶ୍ୱର: ଏକ୍ସଚେଞ୍ଜ ଟ୍ରେଡେଡ୍‌ ଫଣ୍ଡ୍‌ (ଇଟିଏଫ୍‌) ଖୁବ୍‌ କମ୍‌ ସମୟ ଭିତରେ ଏକ ଲୋକପ୍ରିୟ ନିବେଶ ବିକଳ୍ପ ଭାବେ ଉଭା ହୋଇଛି। ଇପିଏଫ୍‌ଓ ଭଳି ସଂସ୍ଥା ଏଥିରେ ନିବେଶ କରିଥିବା ବେଳେ ଭାରତ ସରକାର ମଧ୍ୟ ପୁଞ୍ଜି ପ୍ରତ୍ୟାହାର ପାଇଁ ଏହାକୁ ଏକ ଉପଯୁକ୍ତ ମାଧ୍ୟମ ଭାବେ ଗ୍ରହଣ କରିଛନ୍ତି ବୋଲି ‘ଏସିଆ ଇଣ୍ଡେକ୍ସ ପ୍ରାଇଭେଟ୍‌ ଲିମିଟେଡ୍‌’ର ଆସୋସିଏଟ୍‌ ଡାଇରେକ୍ଟର ବେଦ ମାଲ୍ଲା କହିଛନ୍ତି। ସେ କହିଛନ୍ତି ଇଟିଏଫ୍‌ର ମୋଟ ବଜାର ମୂଲ୍ୟ ବା ପରିଚାଳନା ଅଧୀନ ସମ୍ପତ୍ତି (ଏୟୁଏମ୍‌) ପରିମାଣ ବହୁତ କମ୍‌ ଦିନ ଭିତରେ ୮୭ ହଜାର କୋଟି ଟଙ୍କା ଟପିଗଲାଣି। ୨୦୧୩ ଡିସେମ୍ବରରେ ଏହାର ଏୟୁଏମ୍‌ ମାତ୍ର ୮ ହଜାର କୋଟି ଟଙ୍କା ଥିଲା। ମାତ୍ର ଇପିଏଫ୍‌ଓ ଓ ଭାରତ ସରକାରଙ୍କ ଦ୍ୱାରା ନିବେଶ ପରେ ଇଟିଏଫ୍‌ର ଲୋକପ୍ରିୟତା ବହୁତ ବଢ଼ିଯାଇଛି। ବିଗତ ଚାରି ବର୍ଷ ଭିତରେ ଇଟିଏଫ୍‌ ଏୟୁଏମ୍‌ରେ ୭୬.୬% ବୃଦ୍ଧି ପାଇଛି। ଇଟିଏଫ୍‌ ଏକ ମ୍ୟୁଚୁଆଲ୍‌ ଫଣ୍ଡ୍‌ ଭଳି। ଏହା ଏକ ପରୋକ୍ଷ ନିବେଶ ଉତ୍ପାଦ। ଏଥିରେ କ୍ଷତିର ମାତ୍ରା କମ୍‌ ରହିଥାଏ। ତେଣୁ ଖୁଚୁରା ନିବେଶକମାନେ ଏହା ଉପରେ ଭରସା କରିପାରିବେ। ବମ୍ବେ ଷ୍ଟକ ବଜାର ସେନ୍‌ସେକ୍ସର ଚଳନ ଅନୁସାରେ ନିବେଶକମାନଙ୍କୁ ଲାଭ ମିଳିବ। ଶ୍ରୀ ଭଲ୍ଲା କହିଛନ୍ତି ଯେ କେବଳ ଭାରତ ନୁହେଁ ସାରା ବିଶ୍ୱରେ ଇଟିଏଫ୍‌ର ଲୋକପ୍ରିୟତା ବଢ଼ିବାରେ ଲାଗିଛି।

ସମ୍ବନ୍ଧିତ ଖବର