ନୂଆଦିଲ୍ଲୀ: ପେଟ୍ରୋଲ୍‌ ପମ୍ପ୍‌ରୁ ‌ଲୋକମା‌ନେ ଯେଭଳି ପେଟ୍ରୋଲ୍‌ ଓ ଡିଜେଲ୍ କିଣିପାରୁଛନ୍ତି, ସେହିପରି ସ୍ବତନ୍ତ୍ର ଧରଣର ପମ୍ପ୍‌ରୁ ସେମାନେ ଇଥାନଲ୍‌ କିଣିପାରିବେ। ଦେଶରେ ଇଥାନଲ୍‌ ପମ୍ପ୍ ସ୍ଥାପନ କରିବା ଲାଗି କେନ୍ଦ୍ର ସରକାର ଯୋଜନା ରଖିଛନ୍ତି। ଏନେଇ ଏକ ସ୍ବତନ୍ତ୍ର ନୀତି ପ୍ରସ୍ତୁତ କରାଯିବ ବୋଲି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତୀନ ଗଡ଼କରୀ କହିଛନ୍ତି। ସେ କହିଲେ ଆସନ୍ତା ୧୫ ଦିନ ଭିତରେ ମୁଁ ପେଟ୍ରୋଲିୟମ୍ ମନ୍ତ୍ରୀଙ୍କ ସହ ଏବିଷୟରେ କଥା ହେବି। ପ୍ରଥମେ ନୀତି ପ୍ରସ୍ତୁତ ହେବ ଓ ସେହି ଅନୁସାରେ ଦେଶବ୍ୟାପୀ ଇଥାନଲ୍‌ ପମ୍ପ୍ ସ୍ଥାପନ କରାଯିବ। ଭାରତରେ ଇଥାନଲ୍‌ କାରବାରର ବ୍ୟାପକ ସମ୍ଭାବନା ରହିଛି। ବାଲାଂଦେଶ ମଧ୍ୟ ଇଥାନଲ୍‌ ମାଗୁଥିବା ସେ କହିଛନ୍ତି। ଏବେ ପୁନେରେ ତିନିଟି ଇଥାନଲ୍‌ ପମ୍ପ୍‌ ରହିଛି।

Advertisment

ଏଥିପାଇଁ କିନ୍ତୁ ଫ୍ଲେକ୍ସ ଫୁଏଲ୍‌ ବ୍ୟବହାର ହେଉଥିବା ଇଞ୍ଜିନ ଲାଗିଥିବା ଗାଡ଼ି ଦରକାର। ସେଭଳି ଗାଡ଼ି ସଂଖ୍ୟା ବଢ଼ିଲେ ଇଥାନଲ୍‌ ପମ୍ପ୍‌ ସଂଖ୍ୟା ବୃଦ୍ଧି ପାଇବ। ଆଗାମୀ ଦିନରେ ବିଭିନ୍ନ ରାଜ୍ୟରେ ଏଭଳି ପେଟ୍ରୋଲ ପମ୍ପ୍ ଖୋଲିପାରିବ ଓ ଶେଷରେ ଦେଶବ୍ୟାପୀ ତାହାର ସମ୍ପ୍ରସାରଣ କରାଯାଇପାରିବ ବୋଲି ମନ୍ତ୍ରୀ ଗଡ଼କରୀ କହିଛନ୍ତି। ବର୍ତ୍ତମାନ ଅଳ୍ପ ପରିମାଣ ଇଥାନଲ୍‌କୁ ପେଟ୍ରୋଲ୍‌ରେ ମିଶାଇ ବିକ୍ରି କରାଯାଉଛି। ଇଥାନଲ୍‌ ମିଶ୍ରଣ ହାରକୁ ୨୦%ରେ ପହଞ୍ଚାଇବା ଲାଗି ୧୦୦୦ ଲିଟର ଇଥାନଲ୍‌ ଦରକାର। ବଜାଜ, ହିରୋ ଓ ଟିଭିଏସ୍‌ ଭଳି କଂପାନି ଏଭଳି ମୋଟରସାଇକଲ୍ ନିର୍ମାଣ କରିବା ଲାଗି ପ୍ରସ୍ତୁତ ହୋଇଛନ୍ତି ଯାହା ୧୦୦% ବାୟୋଇଥାନଲ୍‌ରେ ଚାଲିପାରିବ। ଅଟୋରିକ୍ସା ମଧ୍ୟ ଇଥାନଲ୍‌ରେ ଚାଲିବ ବୋଲି ସେ କହିଛନ୍ତି।

ଭାରତରେ ଏବେ ପେଟ୍ରୋଲ, ଡିଜେଲ୍, ସିଏନ୍‌ଜି‌, ଇଭି ଗାଡ଼ି ଚାଲୁଛି। ପେଟ୍ରୋଲ ଓ ଡିଜେଲ୍‌ ଅଧିକ ବ୍ୟବହାର ହେଉଛି। ଭାରତ ଏହାର ଆବଶ୍ୟକତାର ୮୫% ତେଲ ଆମଦାନି କରୁଛି ଯେଉଁଥିପାଇଁ ବିପୁଳ ବିଦେଶୀ ମୁଦ୍ରା ଖର୍ଚ୍ଚ ହେଉଛି। ତୈଳ ଆମଦାନି ଲାଗି ପ୍ରତିବର୍ଷ ୧୬ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେଉଛି। ଯେହେତୁ ଏହାର ଦାମ୍‌ ସରକାରଙ୍କ ନିୟନ୍ତ୍ରଣରେ ନାହିଁ, ତେଣୁ ଆନ୍ତର୍ଜାତିକ ବଜାରରେ ତାହା ମହଙ୍ଗା ହେଲେ ଦେଶର ଅର୍ଥନୀତିକୁ ତାହା ଗୁରୁତର ଭାବେ ପ୍ରଭାବିତ କରୁଛି। ଅନ୍ୟପକ୍ଷରେ ଅଙ୍ଗାରକାମ୍ଳ ନିର୍ଗମନ କମ୍ କରିବା ଲାଗି ରହିଥିବା ପ୍ରତିବଦ୍ଧତାକୁ ପୂରଣ କରିବା ପାଇଁ ଜୀବାଶ୍ମ ଇନ୍ଧନର ବ୍ୟବହାର କମ୍ କରିବା ଉପରେ ଗୁରୁତ୍ବ ଦିଆଯାଇଛି। ଏହି ଲକ୍ଷ୍ୟଗୁଡ଼ିକୁ ହାସଲ କରିବା ଲାଗି କମ୍ ପ୍ରଦୂଷଣ କିମ୍ବା ଆଦୌ ପ୍ରଦୂଷଣ କରୁନଥିବା ଇନ୍ଧନ ବିକଳ୍ପକୁ ସରକାର ସନ୍ଧାନ କରୁଛନ୍ତି।