ହ୍ବାଟ୍‌ସଆପ୍ ନୀତିକୁ ୟୁରୋପରେ ବିରୋଧ

ନୂଆଦିଲ୍ଲୀ: ନୂଆ ଗୋପନୀୟତା ନୀତି ଜାରି କରି ଭାରତରେ ବିବାଦୀୟ ହୋଇପଡ଼ିଥିବା ହ୍ବାଟସ୍‌ଆପ୍‌କୁ ୟୁରୋପରେ ମଧ୍ୟ ବିରୋଧ ସାମ୍ନା କରିବାକୁ ପଡ଼ିଛି। ଗୋପନୀୟତା ନୀତିରେ କଂପାନି ଆଣିଥିବା ପରିବର୍ତ୍ତନକୁ ୟୁରୋପୀୟ ଗ୍ରାହକ ସଂଗଠନ ଦୃଢ଼ ବିରୋଧ କରିଛି। କିଛି ବ୍ୟବହାରକାରୀ ହ୍ବାଟସ୍‌ଆପ୍ ଛାଡ଼ି ଟେଲିଗ୍ରାମ୍ ଓ ସିଗ୍‌ନାଲ୍ ଭଳି ଆପ୍ ବ୍ୟବହାର କରିବା ଆରମ୍ଭ କରିଛନ୍ତି। ‌

ଫେସବୁକ୍ ମାଲିକାନାରେ ଥିବା ‌ମୋବାଇଲ୍ ମେସେଜିଂ ସଂସ୍ଥା ହ୍ବାଟସ୍‌ଆପ୍ ପକ୍ଷରୁ ଚଳିତ ବର୍ଷ ଜାନୁଆରିରେ ବ୍ୟବହାରକାରୀମାନଙ୍କ ପାଇଁ ଗୋପନୀୟତା ନୀତିରେ ପରିବର୍ତ୍ତନ ଅଣାଯାଇଥିଲା। ଏହି ନୀତିକୁ ଗ୍ରହଣ କରିବା ଲାଗି ବ୍ୟବହାରକାରୀମାନଙ୍କୁ ଏକ ପ୍ରକାର ବାଧ୍ୟ କରାଯାଇଛି। ବ୍ୟବହାରକାରୀଙ୍କ ତଥ୍ୟ ଫେସବୁକ୍ ସହିତ ବାଣ୍ଟିବା ଲାଗି ହ୍ବାଟସ୍‌ଆପ୍ ଅନୁମତି ଲୋଡ଼ିଥିଲା। ନୂଆ ନୀତିରେ ଏହି ବ୍ୟବସ୍ଥାକୁ ପ୍ରବଳ ବିରୋଧ କରାଯାଉଛି। ଯଦିଓ କଂପାନି ପକ୍ଷରୁ ସଫେଇ ଦିଆଯାଇଛି ଯେ ଏହା କେବଳ ବ୍ୟବସାୟ ସହିତ ହେଉଥିବା ବାର୍ତ୍ତାଳାପ ଉପରେ ଲାଗୁ ହେବ ମାତ୍ର ତାହାକୁ କେହି ବିଶ୍ବାସକୁ ନେଇ ପାରୁନାହାନ୍ତି। ହ୍ବାଟସ୍‌ଆପ୍ ପକ୍ଷରୁ କୁହାଯାଇଛି ଯେ ଲୋକମାନଙ୍କ ବ୍ୟକ୍ତିଗତ ବାର୍ତ୍ତାଳାପ ସମ୍ପୂର୍ଣ୍ଣ ସୁରକ୍ଷିତ। କାରଣ କଂପାନି ଏଣ୍ଡ୍‌-ଟୁ-ଏଣ୍ଡ୍ ଏନ୍‌କ୍ରିପ୍‌ସନ୍ ବ୍ୟବସ୍ଥା ଲାଗୁ କରିଛି।

କେହି ସେହି ବାର୍ତ୍ତାଗୁଡ଼ିକୁ ହାସଲ କରିପାରିବେ ନାହିଁ। ୟୁରୋପୀୟ ଗ୍ରାହକ ସଂଗଠନ ଓ ଏହାର ସଦସ୍ୟ ଆଠ ଜଣ ସଦସ୍ୟ ହ୍ବାଟସ୍‌ଆପ ନୀତି ବିରୋଧରେ ୟୁରୋପୀୟ କମିସନଙ୍କ ନିକଟକରେ ଅଭିଯୋଗ କରିଛନ୍ତି। ନୂଆ ନୀତିକୁ ଗ୍ରହଣ କରିବା ଲାଗି ବ୍ୟବହାରକାରୀମାନଙ୍କ ଉପରେ ହ୍ବାଟସ୍‌ଆପ୍ ଯେଉଁ ଚାପ ପକାଉଛି ତାହା ଯୁକ୍ତିଯୁକ୍ତି ନୁହେଁ ବୋଲି ସେମାନେ କହିଛନ୍ତି। ହ୍ବାଟସ୍‌ଆପ୍ ଏହାର ନୂଆ ଗୋପନୀୟତା ନୀତିକୁ ସରଳ ଭାଷାରେ ବୁଝାଇବା ବଦଳରେ ଅତ୍ୟନ୍ତ ଚତୁରତାର ସହ ଶବ୍ଦ ଚୟନ କରି ବର୍ଣ୍ଣନା କରିଛି। ବାଣିଜ୍ୟିକ ଯୋଗାଯୋଗରେ ସର୍ତ୍ତାବଳୀକୁ ଅତ୍ୟନ୍ତ ସ୍ପଷ୍ଟ ଭା‌ଷାରେ ବୁଝାଇବା ଲାଗି ୟୁରୋପରେ ନିୟମ ରହିଛି। ହ୍ବାଟସ୍‌ଆପ୍ ତାହାର ଖୋଲାଖୋଲି ଉଲ୍ଲଂଘନ କରିଥିବା କୁହାଯାଇଛି।

ସମ୍ବନ୍ଧିତ ଖବର