ନୂଆଦିଲ୍ଲୀ: ଦେଶରେ ଇଲେକ୍ଟ୍ରିକ୍ ଯାନ (ଇଭି)ର ଗ୍ରହଣୀୟତା ବୃଦ୍ଧି ପାଉଥିବା ବେଳେ ଗ୍ରାହକମାନଙ୍କୁ ଚାର୍ଜିଂ ସୁବିଧା ଦେବା ଲାଗି ପେଟ୍ରୋଲ୍ ପମ୍ପ୍ଗୁଡ଼ିକରେ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଗତ ଦୁଇ ବର୍ଷ ମଧ୍ୟରେ ତୈଳ କମ୍ପାନିଗୁଡ଼ିକ ପେଟ୍ରୋଲ୍ ପମ୍ପ୍ରେ ବହୁ ସଂଖ୍ୟାରେ ଚାର୍ଜିଂ ଷ୍ଟେସନ୍ ସ୍ଥାପନ କରିଛନ୍ତି। ଫଳରେ ସାରା ଦେଶରେ ଏବେ ପ୍ରତି ପଞ୍ଚମ ପେଟ୍ରୋଲ୍ ପମ୍ପ୍ରେ ଇଭି ଚାର୍ଜିଂ ସୁବିଧା ଉପଲବ୍ଧ ହୋଇପାରିଛି। ତୈଳ ମନ୍ତ୍ରଣାଳୟ ତଥ୍ୟ ଅନୁସାରେ ଦେଶର ୧୭,୯୦୦ରୁ ଅଧିକ ପେଟ୍ରୋଲ୍ ପମ୍ପ୍ରେ ଇଭି ଚାର୍ଜିଂ ସୁବିଧା ରହିଛି। ସେଥିରୁ ୯୫ ପ୍ରତିଶତରୁ ଅଧିକ ପେଟ୍ରୋଲ୍ ପମ୍ପ୍ ସରକାରୀ ତୈଳ କମ୍ପାନିଗୁଡ଼ିକ ଅଧୀନରେ ରହିଛି। ଦୁଇ ବର୍ଷ ପୂର୍ବେ ମାତ୍ର ୪୧୦୦ଟି ପେଟ୍ରୋଲ୍ ପମ୍ପ୍ରେ ଇଭି ଚାର୍ଜିଂ ସୁବିଧା ଥିଲା। ଦେଶରେ ଇଣ୍ଡିଆନ୍ ଅଏଲ୍ର ସର୍ବାଧିକ ୧୦,୦୫୭ଟି ପେଟ୍ରୋଲ୍ ପମ୍ପ୍ରେ ଇଭି ଚାର୍ଜିଂ ସୁବିଧା ଥିବା ବେଳେ ହିନ୍ଦୁସ୍ତାନ ପେଟ୍ରୋଲିୟମ୍ର ୩୭୦୫ ଓ ଭାରତ ପେଟ୍ରୋଲିୟମ୍ର ୩୧୪୬ଟି ପେଟ୍ରୋଲ୍ ପମ୍ପ୍ରେ ଇଭି ଚାର୍ଜିଂ ସୁବିଧା ରହିଛି।
ବହୁ ସଂଖ୍ୟାରେ ଇଭି ଚାର୍ଜିଂ ଷ୍ଟେସନ୍ ଖୋଲାଯାଇଥିଲେ ମଧ୍ୟ ଗ୍ରାହକମାନଙ୍କ ମୌଳିକ ଆବଶ୍ୟକତା ପୂରଣ କରିବାରେ ସେଗୁଡ଼ିକ ବିଫଳ ହୋଇଛନ୍ତି। ସ୍ଲୋ ଚାର୍ଜର ଥିବାରୁ ଗାଡ଼ି ଚାର୍ଜ କରିବା ଲାଗି ବହୁ ସମୟ ଲାଗୁଛି। ନିଜ ଘରେ ଲୋକମାନେ ସ୍ଲୋ ଚାର୍ଜରରେ ଗାଡ଼ି ଚାର୍ଜ କରୁଛନ୍ତି। ସେମାନେ ସେହିଭଳି ସ୍ଲୋ ଚାର୍ଜର ଥିବା ପେଟ୍ରୋଲ୍ ପମ୍ପର ଇଭି ଚାର୍ଜିଂ ଷ୍ଟେସନ ଆସିବାକୁ ପସନ୍ଦ କରୁନାହାନ୍ତି। ଲୋକମାନେ ଫାଷ୍ଟ ଚାର୍ଜର ଥିବା ଚାର୍ଜିଂ ଷ୍ଟେସନ ଖୋଜୁଛନ୍ତି ଯେଉଁଥିରେ ୪୫ ମିନିଟ୍ ମଧ୍ୟରେ ଏକ କାର୍ର ବ୍ୟାଟେରି ୮୦ ପ୍ରତିଶତ ଚାର୍ଜ ହୋଇଯାଉଛି। ସ୍ଲୋ ଚାର୍ଜରରେ ସେତିକି ଚାର୍ଜ ହେବା ଲାଗି ୬ ଘଣ୍ଟା ସମୟ ଲାଗୁଛି। ଦେଶରେ ଥିବା ମାତ୍ର ୨୦ ପ୍ରତିଶତ ପେଟ୍ରୋଲ୍ ପମ୍ପ୍ ଇଭି ଚାର୍ଜିଂ ଷ୍ଟେସନ୍ରେ ଫାଷ୍ଟ୍ ଚାର୍ଜର ରହିଛି। ରାଜପଥ ପାର୍ଶ୍ବରେ ଭୋଜନ ସୁବିଧା ସହ ଥିବା ବଡ଼ ବଡ଼ ପେଟ୍ରୋଲ୍ ପମ୍ପର ଚାର୍ଜିଂ ବ୍ୟବସ୍ଥା ପ୍ରତି କିଛିଟା ଚାହିଦା ରହିଛି। ସହର ଭିତରେ ଥିବା ଷ୍ଟୋଟ ପେଟ୍ରୋଲ୍ ପମ୍ପ୍ଗୁଡ଼ିକରେ ଚାହିଦା କମ୍ ରହିଛି। ଚାର୍ଜିଂ ଷ୍ଟେସନ୍ ପ୍ରତି ଲୋକମାନେ ବିମୁଖ ରହିବାର ଅନ୍ୟତମ କାରଣ ହେଉଛି ପେଟ୍ରୋଲ୍ ପମ୍ପ ଡିଲରମାନଙ୍କ ଆଭିମୁଖ୍ୟ। ଯେହେତୁ ସେଥିରୁ ବିଶେଷ କିଛି ରୋଜଗାର ହେଉନି, ତେଣୁ ଡିଲରମାନେ ଏହି ବ୍ୟବସାୟ ପ୍ରତି ସେତେଟା ଧ୍ୟାନ ଦେଉନାହାନ୍ତି। ଫାଷ୍ଟ୍ ଚାର୍ଜର ପାଇଁ ଘଣ୍ଟା ପିଛା କମିସନ ମାତ୍ର ୫୦ ଟଙ୍କା ରହିଛି। ସେହି ସମୟରେ ପେଟ୍ରୋଲ୍, ଡିଜେଲ୍ ବିକ୍ରିରୁ ଡିଲରମାନଙ୍କ ଅଧିକ ରୋଜାର ହେଉଛି।