ଟାଟା ମୋଟର୍ସ ଡିଲର୍‌ସିପ୍‌ରେ ଇଭି ଚାର୍ଜିଂ ଷ୍ଟେସନ, ୪୫ ମିନିଟ୍‌ରେ ଗାଡ଼ି ଫୁଲ୍‌ ଚାର୍ଜ ହେବ

ଭୁବନେଶ୍ବର: ସାମନ୍ତରାପୁର ଠାରେ ଥିବା ଟାଟା ମୋଟର୍ସର ଡିଲର୍‌ସିପ୍ ‘ଡିଅନ୍ ଅଟୋମୋଟିଭ୍‌’ରେ କଂପାନି ତରଫରୁ ରାଜ୍ୟର ପ୍ରଥମ ଇଲେକ୍ଟ୍ରିକ୍ ଯାନ (ଇଭି) ଚାର୍ଜିଂ ଷ୍ଟେସନ ସ୍ଥାପନ କରାଯାଇଛି। ଆଜି ଏହାକୁ ରାଜ୍ୟ ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ଟାଟା ମୋଟର୍ସର ଆଞ୍ଚଳିକ ପ୍ରବନ୍ଧକ ଶିଶିର ଶ୍ରୀବାସ୍ତବ କହିଛନ୍ତି ଯେ ଏହା ହେଉଛି ରାଜ୍ୟରେ ଏବଂ ଭୁବନେଶ୍ବରରେ କଂପାନିର ପ୍ରଥମ ଇଭି ଚାର୍ଜିଂ ଷ୍ଟେସନ। ଟାଟା ପାୱାର ଓ ଟାଟା ମୋଟର୍ସର ମିଳିତ ସହଯୋଗିତାରେ ଏହାକୁ ସ୍ଥାପନ କରାଯାଇଛି। ଆଗାମୀ ଦିନରେ କଂପାନି ସାରା ଓଡ଼ିଶାରେ ଏଭଳି ଚାର୍ଜିଂ ଷ୍ଟେସନ ସ୍ଥାପନ କରିବାର ଯୋଜନା ରଖିଛି। ସେ କହିଛନ୍ତି ଯେ ପୂର୍ବରୁ ଇଲେକ୍ଟ୍ରିକ୍ କାର୍‌ ଚାର୍ଜ କରିବା ଲାଗି ୭-୮ ଘଣ୍ଟା ସମୟ ଲାଗୁଥିଲା।

ମାତ୍ର ଡିଅନ୍ ଅଟୋମୋଟିଭ୍‌ରେ ସ୍ଥାପନ କରାଯାଇଥିବା ଚାର୍ଜିଂ ଷ୍ଟେସନରେ ଗୋଟିଏ ଗାଡ଼ି ୪୫ ମିନିଟ୍‌ରେ ଫୁଲ୍ ଚାର୍ଜ ହୋଇଯିବ। ଏଠାରେ ଏକାଥରେ ତିନିଟି ଗାଡ଼ି ଚାର୍ଜ କରାଯାଇପାରିବ। ଗାଡ଼ି ଫୁଲ୍‌ ଚାର୍ଜ ହେଲେ ୨୫୦-୩୦୦ କିମି ପର୍ଯ୍ୟନ୍ତ ଯାତ୍ରା କରିପାରିବ। ବର୍ତ୍ତମାନ ଟାଟା ମୋଟର୍ସ ଦୁଇଟି ଇଲେକ୍ଟ୍ରିକ୍ କାର୍‌ ବିକ୍ରି କରୁଛି। ତାହା ହେଉଛି ନେକ୍ସନ ଏସ୍‌ୟୁଭି ଓ ଟିଗୋର ସେଦାନ। କଂପାନି ଏହାର ଉତ୍ପାଦ ବର୍ଗରେ ଇଲେକ୍ଟ୍ରିକ୍ ଯାନ ମଡେଲ୍‌ ସଂଖ୍ୟା ବଢ଼ାଇବା ଦିଗରେ କାର୍ଯ୍ୟ କରୁଛି। ଏହି ଅବସରରେ ଡିଅନ୍ ଅଟୋମୋଟିଭ୍‌ର ଏମ୍‌ଡି ସବ୍ୟସାଚୀ ମିଶ୍ର ଓ ଅନ୍ୟମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର