ଇଭି ଗ୍ରାହକ ଫେରାଇବେ ସବ୍‌ସିଡି ରାଶି

ସରକାରଙ୍କୁ ଚିଠି ଲେଖିଲା ଇଭି ନିର୍ମାତା ସଂଘ

ନୂଆଦିଲ୍ଲୀ: ଇଲେକ୍ଟ୍ରିକ୍ ଯାନ (ଇଭି) କିଣିଥିବା ଗ୍ରାହକମାନଙ୍କୁ ସବ୍‌ସିଡି ରାଶି ଫେରାଇବାକୁ କୁହାଯାଇପାରେ। ଏବାବଦରେ ଇଲେକ୍ଟ୍ରିକ୍ ଯାନ ନିର୍ମାତା ସଂଘ ଏସ୍‌ଏମ୍‌ଇଭି ପକ୍ଷରୁ ସରକାରଙ୍କୁ ଏକ ପତ୍ର ଲେଖାଯାଇଛି। ଦୁଇଚକିଆ ଇଭି ଉପରେ ଦିଆଯାଇଥିବା ୪୬୯ କୋଟି ଟଙ୍କାର ସବ୍‌ସିଡି ଫେରାଇବା ଲାଗି ୭ଟି କଂପାନିକୁ ସରକାର କହିଛନ୍ତି। ସେଥିରେ ହିରୋ ଇଲେକ୍ଟ୍ରିକ୍, ଓକିନାୱା, ଏମ୍ପିୟର ଇଭି, ନେବଲିଙ୍ଗ ଇଣ୍ଡିଆ, ଆମୋ ମୋବିଲିଟି ଓ ଲୋହିଆ ଅଟୋର ନାମ ରହିଛି। ଫେମ୍‌-୨ ନିୟମ ଉଲ୍ଲଂଘନ କରି ଏହି କଂପାନିଗୁଡ଼ିକ ସବ୍‌ସିଡି ହାସଲ କରିଥିବା ଅଭିଯୋଗ ରହିଛି।

ଏସ୍‌ଏମ୍‌ଇଭି ପକ୍ଷରୁ ସରକାରଙ୍କୁ ପତ୍ର ଲେଖି କୁହାଯାଇଛି ଇଭି କଂପାନିଗୁଡ଼ିକ ଲାଗି ସରକାର ସବ୍‌ସିଡି ବନ୍ଦ କରିଦେଇଛନ୍ତି। କଂପାନିଗୁଡ଼ିକ ଗ୍ରାହକଙ୍କୁ ଯେଉଁ ସବ୍‌ସିଡି ଦେଇଛନ୍ତି ତାହାକୁ‌ ଫେରାଇ ଆଣି କଂପାନିମାନଙ୍କୁ ଦିଆଯାଉ। ଗ୍ରାହକମାନଙ୍କଠାରୁ ଅଧିକ ଅର୍ଥ ଅସୁଲ କରିଥିବା କଂପାନିଗୁଡ଼ିକୁ ଅତିରିକ୍ତ ରାଶି ଫେରସ୍ତ କରିବାକୁ କୁହାଯାଇଛି। ଉଲ୍ଲେଖଯୋଗ୍ୟ ଫେଜଡ୍‌ ମାନୁଫାକ୍‌ଚରିଂ ପ୍ରୋଗାମ (ପିଏମ୍‌ପି) ଅଧୀନ‌ରେ ଥିବା ନିୟମକୁ ବହୁ ଇଭି ନିର୍ମାତା ଉଲ୍ଲଂଘନ କରୁଥିବା ଅଭିଯୋଗ ସରକାରଙ୍କ ନିକଟରେ ପହଞ୍ଚିଥିଲା।

ଏଥି‌ରେ ସ୍ଥାନୀୟ କଞ୍ଚାମାଲ ବ୍ୟବହାର ଉପରେ ଜୋର ଦିଆଯାଇଥିବା ବେଳେ କିଛି କଂପାନି ବିପୁଳ ପରିମାଣର ସାମଗ୍ରୀ ଆମଦାନି କରି ତାହା ବ୍ୟବହାର କରୁଥିଲେ। ଅଭିଯୋଗର ତଦନ୍ତ ଭାର ଏଆରଏଆଇ ଓ ଆଇସିଏଟିକୁ ପ୍ରଦାନ କରାଯାଇଥିଲା। ତଦନ୍ତରୁ ଜଣାପଡ଼ିଥିଲା ଯେ ଯେଉଁ ଯନ୍ତ୍ରାଂଶ ଓ ଉପକରଣକୁ ଭାରତରେ ନିର୍ମାଣ କରିବାକୁ କୁହାଯାଇଥିଲା ତାହାକୁ କଂପାନିଗୁଡ଼ିକ ଆମଦାନି ମାଧ୍ୟମରେ ପୂରଣ କରୁଛନ୍ତି। ତଦନ୍ତ ରିପୋର୍ଟ ମିଳିବା ପରେ ସବ୍‌ସିଡି ରାଶି ଫେରାଇବାକୁ ସରକାର ଇଭି ନିର୍ମାତାମାନଙ୍କୁ କହିଛନ୍ତି। ଯେଉଁ କଂପାନି ସବ୍‌ସିଡି ଫେରାଇବେ ନାହିଁ ସେମାନଙ୍କ ପଞ୍ଜୀକରଣ ରଦ୍ଦ କରିବାକୁ ଚେତାବନୀ ଦିଆଯାଇଛି। ସବ୍‌ସିଡି ହଡ଼ପ କରିଥିବା କଂପାନିଗୁଡ଼ିକ ବିରୋଧରେ ଏଫ୍‌ଆଇଆର୍‌ ରୁଜୁ କରିବା ଉପରେ ସରକାର ବିଚାର କରୁଛନ୍ତି। ୧୩ଟି କଂପାନି ବିରୋଧରେ ତଦନ୍ତ ହୋଇଥିଲା। ସେଥିରୁ ୬ଟି କଂପାନିକୁ କ୍ଲିନ୍‌ଚିଟ୍‌ ମିଳିଛି। ଅନ୍ୟମାନଙ୍କୁ ସବ୍‌ସିଡି ଫେରାଇବାକୁ କୁହାଯାଇଛି।

ସମ୍ବନ୍ଧିତ ଖବର