ଭୁବନେଶ୍ବର: ଶିଳ୍ପପତି ସଜ୍ଜନ ଜିନ୍ଦଲଙ୍କ କମ୍ପାନି ଜେଏସ୍‌ଡବ୍ଲ୍ୟୁ ଏନର୍ଜି ପିଏସ୍‌ପି ଇଲେଭେନ୍ ଲିମିଟେଡ୍‌ ପକ୍ଷରୁ ରାଜ୍ୟରେ ଏକ ଇଭି ଓ ବ୍ୟାଟେରି ପ୍ରକଳ୍ପ ସ୍ଥାପନ କରିବାକୁ ଘୋଷଣା କରାଯାଇଥିଲା। କଟକର ବାରଙ୍ଗରେ ସ୍ଥାପନ କରାଯିବାକୁ ଥିବା ଏହି ପ୍ରକଳ୍ପ ପାଇଁ ୧୪୨୦ ଏକର ଜମି ଦରକାର। ଇଡ୍‌କୋ ତରଫରୁ ବାରଙ୍ଗ ତହସିଲ ଅଧୀନସ୍ଥ ଚାରିଟି ଗ୍ରାମରେ ଥିବା ୮୭୧.୪୨ ଏକର ଜମି କମ୍ପାନିକୁ ଆବଣ୍ଟନ କରାଯାଇଛି। ସେଥିରୁ ୭୮୦ ଏକର ହେଉଛି ଘରୋଇ ଜମି। ଅବଶିଷ୍ଟ ଜମିର ଅଧିଗ୍ରହଣ ପ୍ରକ୍ରିୟା ଜାରି ରହିଛି ବୋଲି ପ୍ରକଳ୍ପର ସ୍ଥିତି ସମ୍ପର୍କରେ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ ସୂଚନା ଦେଇଛନ୍ତି। 

Advertisment

ଆବଶ୍ୟକ ୧୪୨୦ ଏକର
ଅବଶିଷ୍ଟ ଜମିର ଅଧିଗ୍ରହଣ ଜାରି

ବିଧାନସଭାରେ କଟକ ବିଧାୟିକା ସୋଫିଆ ଫିରଦୋସ୍‌ଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ସ୍ବାଇଁ ଜଣାଇଛନ୍ତି ଯେ ଜେଏସ୍‌ଡବ୍ଲ୍ୟୁ ଗ୍ରୁପ୍‌ ରାଜ୍ୟରେ ଏକ ଇଭି କମ୍ପ୍ଲେକ୍ସ ଓ ଲିଥିୟମ୍ ଆୟନ ବ୍ୟାଟେରି ସେଲ୍ କାରଖାନା ସହିତ ଏକ ତମ୍ବା ‌େସ୍ମଲଟର୍‌ ସ୍ଥାପନ କରିବାକୁ ପ୍ରସ୍ତାବ ଦେଇଥିଲା। ୨୦୨୪ ଜାନୁଆରି ୧୬ରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ମଞ୍ଜୁରୀ କର୍ତ୍ତୃପକ୍ଷ(ଏଚ୍‌ଏଲ୍‌ସିଏ) ବୈଠକରେ ଉକ୍ତ ପ୍ରକଳ୍ପକୁ ମଞ୍ଜୁର କରାଯାଇଥିଲା। କମ୍ପାନି ଏହି ପ୍ରକଳ୍ପରେ ୪୦,୦୦୦ କୋଟି ଟଙ୍କା ନିବେଶ କରିବା ପ୍ରସ୍ତାବ ଦେଇଛି। ପ୍ରକଳ୍ପର ପ୍ରଥମ ପୁଞ୍ଜିନିବେଶର ପାଞ୍ଚ ବର୍ଷ ଭିତରେ ତାହା କାର୍ଯ୍ୟକ୍ଷମ ହେବ ବୋଲି ମନ୍ତ୍ରୀ ଜଣାଇଛନ୍ତି। ଏହି ପ୍ରକଳ୍ପ ପାଇଁ ବିଦ୍ୟୁତ୍‌ ଶକ୍ତି ଓ ଜଳ ଭଳି ବ୍ୟବସ୍ଥା ଯୋଗାଇ ଦେବା ଉପରେ ସରକାର କାର୍ଯ୍ୟ କରୁଥିବା ସେ କହିଛନ୍ତି।

କଟକ ପାଇଁ ମେକ୍ ଇନ୍ ଓଡ଼ିଶା ଓ ଉତ୍କର୍ଷ ଓଡ଼ିଶା କନ୍‌କ୍ଲେଭ୍‌ରେ ୩୨ଟି ଶିଳ୍ପ ପ୍ରସ୍ତାବ ଆସିଥିବା ମନ୍ତ୍ରୀ ଶ୍ରୀ ସ୍ବାଇଁ ଜଣାଇଛନ୍ତି। ଅଲ୍‌ଟ୍ରାଟେକ୍ ସିମେଣ୍ଟ, ଲାଲବାବା ସିମ୍‌ଲେସ୍‌ ଟ୍ୟୁବ୍‌ସ, ଶ୍ରୀ ମହାବୀର ଫେରୋ ଆଲୟଜ୍‌, ଆଭିର ଡିଷ୍ଟିଲାରି, ଇନ୍‌ଫୁନେକ୍ସ ହେଲ୍‌ଥକେୟାର, ଆଡ୍‌ସଫ୍ଟ ଟେକ୍ନୋଲୋଜିସ୍‌, ସୁପ୍ରିମ ଇଣ୍ଡଷ୍ଟ୍ରିଜ୍, ଜୟ ଭାରତ ସ୍ପାଇସେସ୍‌, ଚଲା ଇନ୍‌ଫ୍ରାଟେକ୍, ଏସ୍‌ଜିବିଏଲ୍‌ ଇନ୍‌ଫୋସିଷ୍ଟମ୍‌ସ ଓ ଅମୃତ ଧାରା ନ୍ୟୁଟ୍ରିଫୁଡ୍‌ସର ପ୍ରକଳ୍ପକୁ ମଞ୍ଜୁରି ପ୍ରଦାନ କରାଯାଇଛି।