ନୂଆଦିଲ୍ଲୀ: ପେଟ୍ରୋଲ୍ ଚାଳିତ ଦୁଇଚକିଆ ଯାନ ତୁଳନାରେ ଇଲେକ୍ଟ୍ରିକ୍ ସ୍କୁଟର ପରିବେଶ ପ୍ରତି କେତେ ଲାଭଦାୟକ ତାହା ଜାଣିବା ଲାଗି ଏକ ସର୍ବେକ୍ଷଣ କରାଯାଇଥିଲା। ସେଥିରୁ ଜଣାପଡ଼ିଛି ଯେ ଏକ ଇଲେକ୍ଟ୍ରିକ୍ ସ୍କୁଟର ନିଜ ଜୀବନକାଳ ଭିତରେ ପେଟ୍ରୋଲ୍ ସ୍କୁଟର ତୁଳନାରେ ୩୮ ପ୍ରତିଶତ କାର୍ବନ ହ୍ରାସ କରିବ। ଖଣି ଖନନଠାରୁ ଆରମ୍ଭ କରି ବ୍ୟାଟେରି ନିର୍ମାଣ, ଗାଡ଼ି ଉତ୍ପାଦନ ଏବଂ ରିସାଇକଲିଂ ଆଦି ବିଭିନ୍ନ ବିଷୟକୁ ଏଥିପାଇଁ ବିଚାରକୁ ନିଆଯାଇଛି। ଇଣ୍ଟରନ୍ୟାସନାଲ୍ କାଉନ୍ସିଲ୍ ଅଫ୍ କ୍ଲିନ୍ ଟ୍ରାନ୍ସପୋର୍ଟ (ଆଇସିସିଟି) ପକ୍ଷରୁ କରାଯାଇଥିବା ଏହି ସର୍ବେକ୍ଷଣ ରିପୋର୍ଟକୁ ଏଥର ଏନର୍ଜି ଜାରି କରିଛି।
ଏକ ତୁଳନାତ୍ମକ ଚିତ୍ର ପ୍ରଦାନ କରି ରିପୋର୍ଟରେ କୁହାଯାଇଛି ଯେ ଇଭିରେ ୬୦ ପ୍ରତିଶତ ବିଦ୍ୟୁତ ଶକ୍ତି ଗାଡ଼ିକୁ ଚଲାଇବାରେ ବ୍ୟବହାର ହୁଏ। ମାତ୍ର ପେଟ୍ରୋଲ ଓ ଡିଜେଳ୍ କ୍ଷେତ୍ରରେ ମାତ୍ର ୧୭-୨୧% ଶକ୍ତି ବ୍ୟବହାର ହୋଇଥାଏ। ପ୍ରାୟ ୮୦ ପ୍ରତିଶତ ଶକ୍ତି ନଷ୍ଟ ହୁଏ। ଏକ ୧୨୫ ସିସି ପେଟ୍ରୋଲ ଚାଳିତ ସ୍କୁଟର ତୁଳନାରେ ଅକ୍ଷୟ ଶକ୍ତି ଦ୍ବାରା ଚାର୍ଜ ହେଉଥିବା ଇଭିରେ କାର୍ବନ ନିର୍ଗମନ ୮୫% କମ୍ ରହିଥାଏ।
ରିପୋର୍ଟରେ କୁହାଯାଇଛି ଯେ ଏକ ୧୧୦ ସିସି ପେଟ୍ରୋଲ୍ ଚାଳିତ ସ୍କୁଟର ତୁଳନାରେ ଇଲେକ୍ଟ୍ରିକ୍ ସ୍କୁଟରରେ ୩୮% କମ୍ କାର୍ବନ ନିର୍ଗମନ ହେବ। ଏକ ଇଭି ସ୍କୁଟର ଯଦି ନିଜ ଜୀବନକାଳରେ ଦୁଇଟି ବ୍ୟାଟେରି ପ୍ୟାକ୍ ବ୍ୟବହାର କରିବ ତେବେ ପେଟ୍ରୋଲ୍ ଚାଳିତ ସ୍କୁଟର ତୁଳନାରେ ତାଙ୍କ ୩୫% କାର୍ବନ କମ୍ କରିବ। ସୋଲାର ଗ୍ରିଡ୍ ଜରିଆରେ ଇଭି ଚାର୍ଜ କରିବା ଦ୍ବାରା ୨୦୨୨ରେ ୫୬,୩୧,୦୦୦ କେଜି ଅଙ୍ଗାରକାମ୍ଳ ଗ୍ୟାସ୍ ନିର୍ଗମନକୁ ରୋକାଯାଇପାରିଛି ବୋଲି ରିପୋର୍ଟରେ କୁହାଯାଇଛି। ଏଥର ଏନର୍ଜିର ସିଇଓ ତରୁଣ ମେହ୍ତା କହିଛନ୍ତି ପରିବେଶ ଦୃଷ୍ଟିକୋଣରୁ ଜୀବାଶ୍ମ ଇନ୍ଧନ ଚାଳିତ ଗାଡ଼ି ତୁଳନାରେ ଇଭି କେତେ ଗୁରୁତ୍ବପୂର୍ଣ୍ଣ ତାହା ଏହି ରିପୋର୍ଟରୁ ଜଣାପଡ଼ୁଛି। ଇ-ଯାନ ଗ୍ରହଣୀୟତା କ୍ଷେତ୍ରରେ ଭାରତ ଆଗକୁ ବଢ଼ୁଛି। ତେବେ ଇଭି ସଂଖ୍ୟା ଆହୁରି ବଢ଼ିବା ଦରକାର। ଏକ ସ୍ବଚ୍ଛ ଭବିଷ୍ୟତ ଲାଗି ଇଭି ବିପ୍ଳବ ସହ ଯୋଡ଼ି ହେବା ପାଇଁ ସେ ଲୋକମାନଙ୍କୁ ଆହ୍ବାନ ଦେଇଛନ୍ତି।