ନୂଆଦିଲ୍ଲୀ: ବିଶ୍ବବ୍ୟାପୀ ଇଲେକ୍ଟ୍ରିକ୍ କାର୍ ମୂଲ୍ୟରେ ହ୍ରାସ ଘଟୁଛି। ଚଳିତ ବର୍ଷ ପେଟ୍ରୋଲ୍ କାର୍‌ ଦାମ୍ ସହ ତାହା ସମାନ ହୋଇଯିବ ବୋଲି ଆଶା କରାଯାଉଛି। ଇଭିକୁ ନେଇ କଂପାନିଗୁଡ଼ିକ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା, ସରକାରଙ୍କ ପ୍ରୋତ୍ସାହନ ଏବଂ ଲିଥିୟମ୍‌ ମୂଲ୍ୟରେ ହ୍ରାସ ଯୋଗୁ ଇଭି ମୂଲ୍ୟ କମୁଛି। ଲିଥିୟମ୍ ଓ କୋବାଲ୍‌ଟ ମୂଲ୍ୟ କମ୍ ହେବା ପରେ ଲିଥିୟମ୍-ଆୟନ ବ୍ୟାଟେରି ମୂଲ୍ୟରେ ୨୦ ପ୍ରତିଶତ ହ୍ରାସ ଘଟିଛି। ବିଶ୍ବ ସ୍ତରରେ ଟେସ୍‌ଲା, ଜେନେରାଲ୍ ମୋଟର୍ସ, ଫୋର୍ଡ ମୋଟର ନୂଆ କାରଖାନାରୁ ବ୍ୟାଟେରି ଯୋଗାଣ ବଢ଼ାଇବାକୁ ପ୍ରସ୍ତୁତ ହୋଇଥିବା ବେଳେ ଫକ୍ସୱାଗନ, ନିସାନ ଓ ହୁଣ୍ଡାଇ ନିଜର ଇଭି ମଡେଲ୍‌ ସଂଖ୍ୟା ବଢ଼ାଇବାକୁ ଯାଉଛନ୍ତି। ଅନ୍ୟପକ୍ଷରେ ଭାରତରେ ବିଳାସପୂର୍ଣ୍ଣ କାର୍ ନିର୍ମାଣ କରୁଥିବା ସଂସ୍ଥାଗୁଡ଼ିକ ଇଭିକୁ ନେଇ ବଡ଼ ଯୋଜନା ପ୍ରସ୍ତୁତ କରିଛନ୍ତି। ମର୍ସିଡିସ୍‌-ବେଞ୍ଜ, ବିଏମ୍‌ଡବ୍ଲୁ, ଅଡି ଓ ଭଲ୍‌ଭୋ ଭଳି ସଂସ୍ଥା ନିଜର ଇଭି ମଡେଲ୍‌ ଆଣିବା ଉପରେ କାମ କରୁଛନ୍ତି। ସେଗୁଡ଼ିକର ମୂଲ୍ୟ କିନ୍ତୁ ପେଟ୍ରୋଲ ଓ ଡିଜେଲ୍ ମଡେଲ୍‌ରୁ ଅଧିକ ରହିବ।